ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ଅଧିକାଂଶ ସ୍ଥାନରେ ନେତା ତାଙ୍କ ଉତ୍ତରାଧିକାରୀଙ୍କ ପାଇଁ ସ୍ଥାନ ପକ୍କା କରିଥିବା ଦେଖିବାକୁ ମିଳିଛି। ଓଡ଼ିଶା ହେଉ ବିହାର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ହରିଆନା ଭଳି ରାଜ୍ଯରେ ବାପାଙ୍କ ବଦଳରେ ପ୍ରାର୍ଥୀ ହୋଇଛନ୍ତି ପୁଅ। ହେଲେ ଏହାରି ଭିତରେ ଦେଖିବାକୁ ମିଳିଛି ପୁତୁରାଙ୍କ ପ୍ରବେଶ। ଦେଶରେ ‘ବଂଶବାଦ’ ରାଜନୀତିରେ ଏକ ବଡ଼ ପ୍ରସଙ୍ଗ ପାଲଟିଛି। କାରଣ ବିଜେପି ୨୦୧୪ରେ ବଂଶବାଦର ନାରା ଦେଇ କଂଗ୍ରେସକୁ କ୍ଷମତାଚ୍ଯୁତ କରିଥିଲା। ଏବେ ମଧ୍ଯ ବଂଶବାଦର ନାରା ଦେଇ କଂଗ୍ରେସ, ଆରଜେଡି, ଜେଡିଏସ ଭଳି ଦଳକୁ ସମାଲୋଚନା କରି ବିଜେପି କେତେକ ସ୍ଥାନରେ ସଫଳ ମଧ୍ଯ ହୋଇଛି।
ବିଜୁ ଜନତା ଦଳର ସୁପ୍ରିମୋ ନିଜ ଉତ୍ତରାଧିକାରୀ ଭାବେ ଏବେ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ରାଜନୀତିରେ ପ୍ରବେଶ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି। ଚଳିତଥର ହିଞ୍ଜଳି ଓ ବିଜେପୁର ବିଧାନସଭା ଆସନ ପାଇଁ ନିର୍ବାଚନ ଲଢୁଥିବା ନବୀନ ଆଗାମୀ ଦିନରେ କୌଣସି ଆସନ ପୁତୁରା ପାଇଁ ଛାଡି ପାରନ୍ତି ବୋଲି ଆଲୋଚନା ହେଉଛି।
ସେହପରି ପଶ୍ଚିମବଙ୍ଗର ଶାସକ ଦଳ ତୃଣମୁଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜି ତାଙ୍କ ୩୧ ବର୍ଷୀୟ ପୁତୁରା ଅଭିଷେକ ବାନାର୍ଜି ନିର୍ବାଚନୀ ମୈଇଦାନରେ ଅଛନ୍ତି। ବହୁପୂର୍ବରୁ ସେ ରାଜନୀତିରେ ସକ୍ରିୟ ଅଛନ୍ତି। ଆଗାମୀ ଦିନରେ ମମତାଙ୍କ ଉତ୍ତରାଧିକାରୀ ଅଭିଷେକ ବୋଲି ଚର୍ଚ୍ଚା ହେଉଛି। ସେହିପରି ୟୁପିର ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ମଧ୍ଯ ଚଳିତ ନିର୍ବାଚନରେ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ଦଳରେ ଯୋଗ ଦେଇ ନିଜର ଉତ୍ତରାଧିକାରୀ ସାବ୍ଯସ୍ତ କରିଛନ୍ତି। ତେବେ ଏହି ତିନି ଦଳର ନେତାଙ୍କର ଅନେକ ସାମାଞ୍ଜସ୍ଯ ସମାନ ଯେମିତି କି ଉଭୟ ନେତା ମୁଖ୍ଯମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଛନ୍ତି/ତୁଲାଇଛନ୍ତି, ଅବିବାହିତ, ସଂସଦକୁ ମଧ୍ଯ ନିର୍ବାଚିତ ହୋଇସାରିଛନ୍ତି।
ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ନିଜ ୨୪ ବର୍ଷୀୟ ପୁତୁରା ଆକାଶ ଆନନ୍ଦଙ୍କୁ ଏଥର ନିର୍ବାଚନରେ ସାମିଲ କରିଛନ୍ତି। ସୋଶାଲ ମିଡ଼ିଆ ଟ୍ବିଟରରେ ଟ୍ବିଟ୍ କରି ନିଜର ସକ୍ରିୟତା ମାୟାବତୀ ଗତବର୍ଷ ଦେଖାଇଥିଲେ। ଏବଂ ସୋଶାଲ ମିଡ଼ିଆରେ ସକ୍ରିୟତା ଦେଖାଇବା ପଛରେ ମାୟାବତୀଙ୍କ ବିଦେଶ ପଢୁଆ ପୁତୁରାର ହାତ ଥିବା ଖବର ସେତେବେଳେ ସାମ୍ନାକୁ ଆସିଥିଲା। ହେଲେ ଚଳିତ ବର୍ଷ ଆରମ୍ଭରେ ଆକଶ ଆନନ୍ଦ ବିଏସପିରେ ସକ୍ରିୟ ସଦସ୍ଯ ହୋଇ ରାଜନୀତିକ ଇନିଂସ ଆରମ୍ଭ କରିଛନ୍ତି। ଲଣ୍ଡନରେ ଏମବିଏରେ ଗ୍ରାଜୁଏସନ କରିଛନ୍ତି ଆକାଶ ଆନନ୍ଦ।
ପୂର୍ବରୁ ବିଭିନ୍ନ ସଭା ସମିତିରେ ଆକାଶ ଆନନ୍ଦଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଏପ୍ରିଲ ୭ରେ ଉତ୍ତର ପ୍ରଦେଶ ଦେଓବନ୍ଦରେ ଏସପି-ବିଏସପି-ଆରଏଲଡି ମିଳିତ ନିର୍ବାଚନୀ ରାଲିରେ ପ୍ରଥମଥର ପାଇଁ ଆକଶ ଆନନ୍ଦଙ୍କୁ ମାୟାବତୀଙ୍କ ସହ ଦେଖିବାକୁ ମିଳିଥିଲା। ଏହି ସଭାରେ ମାୟାବତୀ ଜାତି ଆଧାରରେ ଭୋଟ ଭିକ୍ଷା କରି ଅଡୁଆରେ ପଡ଼ିଥିଲେ। ଯେଉଁଥିପାଇଁ ମାୟାବତୀଙ୍କ ଉପରେ ୪୮ ଘଣ୍ଟା ନିର୍ବଚନୀ ପ୍ରଚାର ଉପରେ ରୋକ ଲଗାଇଥିଲେ ନିର୍ବାଚନ କମିଶନ।
ଏହାପରେ କିନ୍ତୁ ଆଗ୍ରାରେ ଏସପି-ବିଏସପି-ଆରଏଲଡି ମିଳିତ ଭାବରେ ଏକ ରାଲି କରିଥିଲେ। ଯେଉଁଥିରେ ମାୟାବତୀ ଯୋଗ ଦେଇପାରିନଥିଲେ କଟକଣା କାରଣରୁ। ହେଲେ ତାଙ୍କ ସ୍ଥାନରେ ପୁତୁରା ଆନନ୍ଦ ଓ ବିଏସପିର ବରିଷ୍ଠ ନେତା ଯୋଗ ଦେଇଥିଲେ।
ଉତ୍ତର ପ୍ରଦେଶରେ ଦଳିତ ବର୍ଗଙ୍କର ଗୋଟିଏ ବଡ଼ ଭୋଟ ବ୍ଯାଙ୍କ ରହିଛି। ଏହା ଉପରେ ସମସ୍ତ ରାଜନୀତିକ ଦଳଙ୍କ ନଜର ରହିଛି। ସେପଟେ ଦଳିତଙ୍କୁ ନେଇ ଭୀମ ଆର୍ମିର ଚନ୍ଦ୍ରଶେଖର ଆଜାଦ ରାବଣ ଆଗକୁ ବଢୁଥିବାରୁ ମାୟାବତୀଙ୍କ ପାଇଁ ଆଗକୁ ଚ୍ଯାଲେଞ୍ଜ ଆସୁଛି ବୋଲି ସୂଚାଇ ଦେଇଛି। ତେଣୁ ପୁତୁରା ଆନନ୍ଦଙ୍କୁ ଆଗାମୀ ଦିନରେ ଦଳିତଙ୍କ ଚେହେରା କରିବାକୁ ମାୟାବତୀ ଯୋଜନା କରୁଥିବା ଜଣାପଡ଼ିଛି।
ସେହିପରି ମମତା ବାନାର୍ଜିଙ୍କ ପୁତୁରା ଅଭିଷେକ ବାନାର୍ଜି ଏବେ ମମତାଙ୍କ ଉତ୍ତରାଧିକାରୀ ବୋଲି ଚର୍ଚ୍ଚା ହେଉଛି। ମହାମେଣ୍ଟରେ ଜରିଆରେ ନିଜର ସ୍ଥିତି ଜାହିର କରୁଥିବା ଟିଏମସି ସୁପ୍ରିମୋ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ହେବାକୁ ଅଭିଳାଶ ରଖିଥିବା ଜଣାପଡ଼ିଛି। ତେଣୁ ପୁତୁରା ଅଭିଷେକ ପାଇଁ ରାସ୍ତା ପ୍ରଶସ୍ତ କରୁଥିବା ଜଣାପଡ଼ିଛି। ହାର୍ବର ଲୋକସଭା ଆସନରୁ ୨୦୧୯ରେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଅଭିଷେକ। ୨୦୦୯ରେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ମାର୍କେଟିଂରେ ଏମବିଏ କରିଥିଲେ ଅଭିଷେକ।
ଅଭିଷେକ ଛୋଟ ଥିବାବେଳେ ତାଙ୍କୁ ରାଜନୀତିରେ ସକ୍ରିୟ କରିବା ପାଇଁ ମମତା ବାନାର୍ଜି ସେତେବେଳେ ତୃଣମୁଳ ଯୁବ ନାମରେ ଏକ ସଙ୍ଗଠନ ଗଢ଼ିଥିଲେ। ଏହାପରେ ୨୦୧୫ରେ ଟିଏମସିର ୟୁଥ କଂଗ୍ରେସର ଅଧ୍ଯକ୍ଷ ଅଭିଷେକ ହେବା ପରେ ଟିଏମସି ଯୁବ ସଙ୍ଗଠନକୁ ଭାଙ୍ଗି ଦିଆଯାଇଛି। ଚଳିତ ବର୍ଷ ନିର୍ବାଚନ ପୂର୍ବରୁ ଟିଏମସି ପଶ୍ତିମବଙ୍ଗର ୪୨ଟି ଲୋକସଭା ଆସନ ପାଇଁ ଏକ ଆଇଟି ସେଲ ଗଠନ କରିଛନ୍ତି। ଯାହାର ନେତୃତ୍ବ ଅଭିଷେକ ନେଉଛନ୍ତି।
ଉଭୟ ମମତା ଓ ମାୟାବତୀଙ୍କ ଦଳ ରାଷ୍ଟ୍ରୀୟ ଦଳର ମାନ୍ଯତା ପାଇ ସାରିଛି। ମମତା ବାନାର୍ଜି କଂଗ୍ରେସରୁ ନିଜ ରାଜନୀତିକ କ୍ଯାରିଅର ଆରମ୍ଭ କରିଥିବା ବେଳେ ମାୟାବତୀ ବିଏସପିର ପ୍ରତିଷ୍ଠାତା କାଶୀରାମଙ୍କ ଦ୍ବାରା ପ୍ରବେଶ କରିଥିଲେ। ତେବେ କାଶୀରାମଙ୍କ ପରିବାର ରାଜନୀତିରେ ସକ୍ରିୟ ନଥିବାରୁ ମାୟାବତୀ ଏବେ ବିଏସପିର ସବୁକିଛି। ତେଣୁ ପୁତୁରା ଆନନ୍ଦ ଓ ଅଭିଷେକଙ୍କ ଜରିଆରେ ଏହି ଦୁଇ ନେତା ଆଗାମୀ ପିଢି ପାଇଁ ରାସ୍ତା ପ୍ରଶସ୍ତ କରୁଥିବା ଜଣାପଡ଼ିଛି।
from Odisha Reporter http://bit.ly/2DjVxmu
No comments:
Post a Comment