
ଭୁବନେଶ୍ବର (ଓଡ଼ିଶା ରିପୋର୍ଟର): ଏ ରାଜ୍ୟରେ ଗଣତାନ୍ତ୍ରିକ ଶୈଳୀରେ କ’ଣ ପ୍ରତିବାଦ କରିବାର ଅଧିକାର କାହାର ନାହିଁ ବୋଲି ବିଜେପି ପ୍ରଶ୍ନ କରିବା ସହ ପୁଲିସ ମାତ୍ରାଧିକ ପ୍ରତିକ୍ରିୟାଶୀଳ ହେବାକୁ ତୀବ୍ର ବିରୋଧ କରିଛି। ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ନବୀନ ବାବୁ ସାଢ଼େ ୪ କୋଟି ଓଡ଼ିଆ ଲୋକ ତାଙ୍କ ପରିବାର ବୋଲି ସବୁଆଡ଼େ ଖଣ୍ଡି ଓଡ଼ିଆରେ ଭାଷଣ ଦେଉଛନ୍ତି।
ଯଦି ସାଢ଼େ ୪ କୋଟି ଓଡ଼ିଆ ଲୋକ ମୁଖ୍ୟମନ୍ତ୍ରୀଙ୍କର ପରିବାର, ତା’ହେଲେ ତାଙ୍କ ପରିବାରର ଜଣେ ସଦସ୍ୟ ଯଦି କିଛି ସମସ୍ୟାକୁ ନେଇ ପ୍ରତିବାଦ କରୁଛି ତାକୁ ପୋଲିସ ଲଗାଇ କାହିଁକି ମାଡ଼ ମାରୁଛନ୍ତି ? ଓଡ଼ିଆ ଲୋକଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଏତେ ରାଗ କାହିଁକି ? ବିଜେଡି ନେତାଙ୍କ ପାଖରେ ପ୍ରତିବାଦ କଲେ ପୁଲିସ ଏତେ ପ୍ରତିକ୍ରିୟାଶୀଳ କାହିଁକି ହେଉଛି ? ଏତେ ରାଜନୈତିକ ଅସହିଷ୍ଣୁତା ଆଗରୁ ଓଡ଼ିଶାରେ କେବେ ଦେଖାଯାଇ ନଥିଲା। ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଯଦି କିଛି ପ୍ରଶ୍ନ ପଚାରିଲା,ତା ହେଲେ କ’ଣ ପୁଲିସ୍ ଲଗାଇ ତାକୁ ଜୀବନରୁ ମାରିଦେବେ ?
ଶ୍ରୀ ମହାନ୍ତି କହିଛନ୍ତି ଯେ, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ବଲାଙ୍ଗିର ଯାଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ରେ ଜଣେ ସ୍ଥାନୀୟ ଯୁବକ ନିରଞ୍ଜନ ସାହୁ ପ୍ରତିବାଦ ଜଣାଇଥିଲେ। ପୁଲିସ୍ ମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିବାର ସ୍ପଷ୍ଟ ଖବର ମିଳିଛି। ତାଙ୍କ ପରିବାର ବି ସେଇ ସମାନ ଅଭିଯୋଗ କରିଛନ୍ତି। ତାଙ୍କ ପରିବାର ଲୋକ ଆଗରୁ ଗଣମାଧ୍ୟମରେ ଅଭିଯୋଗ କରିଥିଲେ ଯେ ନିରଞ୍ଜନ ସାହୁ ପୁଲିସ୍ ମାଡ଼ରେ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କର ମଳଦ୍ୱାରରେ ପୁଲିସ ରୁଲବାଡ଼ି ପୂରାଇ ଦେବା କାରଣରୁ ତାଙ୍କର ମଳଦ୍ୱାର ଫାଟି ରକ୍ତସ୍ରାବ ହେବା ଦ୍ୱାରା ସେ ମୃତ୍ୟୁବରଣ କରିଛନ୍ତି। ତଥାପି ଶାସକ ଦଳର ଚାପରେ ଏବଂ ପୁଲିସକୁ ବଞ୍ଚାଇବା ପାଇଁ ଡାକ୍ତର ଏହାକୁ ଅନ୍ୟ ରୂପ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।
ନିରଞ୍ଜନର ଅପରାଧ କ’ଣ ଥିଲା ଯେ ତାକୁ ଏତେ ବଡ଼ ଦଣ୍ଡ ମିଳିଲା ? ସେ ବିଜେଡିକୁ ସମର୍ଥନ ନକରିବା କ’ଣ ତାର ଭୁଲ ଥିଲା କି ? ବିଜେଡି ସରକାରରେ ଅନ୍ୟାୟ ଆଉ ଅନୀତି ସୀମା ଲଂଘିଲାଣି । ଏତେ ରାଜନୈତିକ ଅସହିଷ୍ଣୁତା ଆଗରୁ କେବେ ଦେଖାଯାଇନଥିଲା । ମୁଖ୍ୟମନ୍ତ୍ରୀ ନିଜକୁ କ’ଣ ସମ୍ରାଟ ବୋଲି ନିଜକୁ ଭାବୁଛନ୍ତି ଯିଏ ତାଙ୍କ ବିରୋଧରେ ଯିବ ତା’ର ମୁଣ୍ଡକାଟ କରାଇବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
from Odisha Reporter http://bit.ly/2L4QFry
No comments:
Post a Comment