
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିର୍ବାଚନ ପ୍ରଚାରକୁ ନେଇ ସରଗରମ ଲାଗି ରହିଥିବାବେଳେ ଏକ ପ୍ରାୟୋଜିତ ଭିଡିଓ ଏବେ ପଦାକୁ ଆସିଛି। ବିଜେଡି ପକ୍ଷରୁ ଅତ୍ୟନ୍ତ ଚତୁରତାର ସହ ଏଭଳି ଏକ ଭିଡିଓ ଜାରି କରାଯାଇଛି, ଯେଉଁଥିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି। ଫିଟ୍ ରହିବା ପାଇଁ ନବୀନଙ୍କ ଏଭଳି ଦିନଚର୍ଯ୍ୟାକୁ ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟବାସୀ ହୁଏତ କଦାପି ଦେଖିନଥିବେ। ଓଡ଼ିଶା ଲୋକଙ୍କ ପାଇଁ ଲଢ଼ିବା ନିମନ୍ତେ ନବୀନ ନିଜକୁ ଏହି ବ୍ୟାୟାମ ମାଧ୍ୟମରେ ଫିଟ୍ ରଖିବାକୁ ଚାହୁଁଛନ୍ତି ବୋଲି ନିଜେ ଭିଡିଓରେ କହିବାକୁ ପଛାଇ ନାହାନ୍ତି।
୨ମିନିଟ୍ ୮ ସେକେଣ୍ଡର ଏହି ଭିଡିଓରେ ୭୩ବର୍ଷୀୟ ନବୀନଙ୍କୁ କଠିନ ଶାରୀରିକ ବ୍ୟାୟାମ କରୁଥିବାର ଦେଖିବାକୁ ମିଳୁଛି। ନବୀନ ନିଜର ବାସଭବନ(ନବୀନ ନିବାସ) ଭିତରେ ଟ୍ରାକସୁଟ୍ ଓ ରାଉଣ୍ଡ ନେକ୍ ବ୍ୟାନିଅନ୍ ପିନ୍ଧି ଦୌଡ଼ୁଥିବାର ଦେଖିବାକୁ ମିଳୁଛି। ତା’ସହିତ ନବୀନ ନିଜର ବାସଭବନ ଭିତରେ ଥିବା ଅତ୍ୟାଧୁନିକ ଜିମରେ ସାଇକେଲିଂଠୁ ଆରମ୍ଭ କରି ସବୁ ପ୍ରକାର ବ୍ୟାୟାମ କରୁଛନ୍ତି। ୭୩ ବର୍ଷ ବୟସରେ ଉପନୀତ ହୋଇଥିଲେ ମଧ୍ୟ ନବୀନ ଯେଭଳି ଢଙ୍ଗରେ ବ୍ୟାୟାମ କରୁଛନ୍ତି ସେଥିରେ ସେ ସମ୍ପୂର୍ଣ୍ଣ ଯୁବ ଅବସ୍ଥାରେ ଥିବାଭଳି ଦେଖାଇବାକୁ ପ୍ରୟାସ କରିଛନ୍ତି।
ତେବେ ପ୍ରଶ୍ନ ଉଠୁଛି, ନିର୍ବାଚନବେଳେ ଏଭଳି ଭିଡିଓ କିଏ କାହିଁକି ଜାରି କଲା? କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହୁଥିବା ମୁଖ୍ୟମନ୍ତ୍ରୀଙ୍କ ଅନ୍ତରଙ୍ଗ ଦିନଚର୍ଯ୍ୟାକୁ ନିଶ୍ଚିତ ଭାବେ ତାଙ୍କ ଜାଣତରେ ସୁଟିଂ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗତ କିଛିବର୍ଷ ହେଲା ଜାରି ରହିଥିବା ପ୍ରଚାର ଉପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଏଭଳି ଭିଡିଓକୁ ପ୍ରସ୍ତୁତ କରାଯାଇଛି ବୋଲି କୁହାଯାଉଛି।
ରାଜନୀତିକ ବିଶ୍ଲେଷକଙ୍କ ମତରେ, ମୁଖ୍ୟମନ୍ତ୍ରୀ ବାର୍ଦ୍ଧକ୍ୟରେ ଉପନୀତ ହୋଇସାରିଥିବାର ଝଲକ ତାଙ୍କଠି ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥାଏ। ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ଅତି ନିକଟରୁ ଦେଖିଲେ ତାହା ଜଣାପଡ଼େ। ଏବେ ନିର୍ବାଚନ ଥିବାରୁ ଦଳୀୟ କର୍ମୀଙ୍କ ମନ ଭିତରେ ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ରହିଥିବା ଆଶଙ୍କାକୁ ଦୂର କରିବା ପାଇଁ ସୁଚିନ୍ତିତ ଢଙ୍ଗରେ ଏହି ଭିଡିଓ ଜାରି କରାଯାଇଛି।
ରାଜ୍ୟର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ନବୀନଙ୍କ ନାଁରେ ଥିବାବେଳେ ସେ ସୁସ୍ଥ ଓ ଫିଟ୍ ରହିବା ନିଶ୍ଚିତ ଭାବେ ଶୁଭଙ୍କର। କିନ୍ତୁ ନିର୍ବାଚନବେଳେ ନିଜ ନେତା ଫିଟ୍ ଅଛନ୍ତି ବୋଲି ଦର୍ଶାଇବାକୁ ଏଭଳି ଭିଡିଓ ଜାରି କରାଯିବା ବିଜେଡିର ମାନସିକତା ସାଙ୍ଗକୁ ଭୟ ଓ ଆଶଙ୍କାକୁ ପଦାରେ ପକାଇଛି ବୋଲି ଚର୍ଚ୍ଚା ହେଉଛି।
ଦେଖନ୍ତୁ ଭିଡିଓ
from Odisha Reporter http://bit.ly/2YRFbdS
No comments:
Post a Comment