
କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ଦୀର୍ଘଦିନ ଧରି କଂଗ୍ରେସ କବ୍ଜାରେ ଥିବା କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀକୁ ଗତ ୨ଟି ସାଧାରଣ ନିର୍ବାଚନରେ ବିଜେଡି ଦଖଲ କରି ନେଇଥିଲା। ହେଲେ ୨୦୧୯ ପୂର୍ବରୁ ଏଠାରେ ସ୍ଥିତି ସମ୍ପୁର୍ଣ୍ଣ ଭିନ୍ନ। କଂଗ୍ରେସ ଓ ବିଜେଡିର ୨ ପୁରୁଖା ନେତା ଗିରିଧର ଗମାଙ୍ଗ ଓ ଜୟରାମ ପାଙ୍ଗୀ ଏବେ ବିଜେପିରେ । ଏଣୁ ଏଠାରେ ତ୍ରିମୁଖି ନିର୍ବାଚନ ହେବ ବୋଲି ଆଶା କରାଯାଉଛି।
କୋରାପୁଟ ଜିଲ୍ଲାର ୪ଟି ବିଧାନସଭା କ୍ଷେତ୍ର ଓ ରାୟଗଡା ଜିଲାର ୩ଟି ବିଧାନସଭା କ୍ଷେତ୍ରକୁ ନେଇ ଏହି ଲୋକସଭା କ୍ଷେତ୍ର ଗଠିତ। ୨୦୧୪ରେ ବିଜେଡିର ଝିନ ହିକ୍କା ୩,୯୫,୧୦୯ ଖଣ୍ଡ ଭୋଟ ପାଇ ସାଂସଦ ହୋଇଥିବା ବେଳେ, କଂଗ୍ରେସର ଗିରିଧର ଗମାଙ୍ଗ ୩,୭୫,୭୮୧ ଓ ବିଜେପିର ଶିବ ଶଙ୍କର ଉଲ୍ଲାକା ୮୯,୭୮୮ ଖଣ୍ଡ ଭୋଟ ହାତେଇ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ରହିଥିଲେ।
ପାହାଡ ପର୍ବତ ନଦୀନାଳ ଘେରା କୋରାପୁଟ ଜିଲାରେ ଅନେକ ସମସ୍ୟା ରହିଛି। ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ଅଞ୍ଚଳରେ ଆଶାନୁରୂପ କାର୍ଯ୍ୟ ହୋଇପାରିନାହିଁ। ଏଣୁ ଏହାର ବିକାଶ ଆଧାରରେ ଲୋକେ ଏଥର ଭୋଟ ଦେବେ ବୋଲି ଆଶା। ୨୦୧୪ରେ ବିଜେଡି ପ୍ରାର୍ଥୀ ଝିନ୍ନ ହିକ୍କା ଏଠାରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ୨୦୦୯ ରେ ବିଜେଡିରୁ ଜୟରାମ ପାଙ୍ଗୀ ଗିରିଧର ଗମାଙ୍ଗକୁ ପରାଜୟ କରିଥିଲେ । ଇତିହାସ କୁହେ କୋରାପୁଟ ଲୋକସଭା ଆସନ ବିଜେଡି ଓ କଂଗ୍ରେସ ମଧ୍ୟରେ ସିଧା ସଳଖ ଲଢେଇ ହୋଇଥାଏ । ବିଜେପି ଏଠାରେ ବର୍ତ୍ତମାନ ସୁଦ୍ଧା ବିଜୟର ସ୍ୱାଦ ଚାଖି ନ ଥିବା ବେଳେ ଏଥର ଗାଦି ହାତେଇପାରେ ବୋଲି ଆଶା କରାଯାଉଛି। କାରଣ ଏହି ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ୨ ପୁରୁଖା ନେତା ଗିରିଧର ଗମାଙ୍ଗ ଓ ଜୟରାମ ପାଙ୍ଗୀ ଏବେ ବିଜେପିରେ । ତେଣୁ ବିଜେପିର ଶକ୍ତି ବୃଦ୍ଧି ଘଟିଥିବା ଅନୁମାନ କରାଯାଉଛି ।
ଅନ୍ୟପକ୍ଷରେ ବିଜେଡି ଖେଳିଛି ମହଳି କାର୍ଡ। ପୂର୍ବତନ ସାଂସଦ ଝିନ ହିକ୍କାଙ୍କ ପତ୍ନୀ କୌଶଲ୍ୟା ହିକ୍କାଙ୍କୁ ଏଥର ଦଳ ପ୍ରାର୍ଥୀ କରିଛି । ସମଗ୍ର ଅଞ୍ଚଳରେ ଜଣେ ମାତ୍ର ମହିଳା ପ୍ରାର୍ଥୀ ହୋଇଥିବାରୁ ଭୋଟରଙ୍କ ସ୍ୱତନ୍ତ୍ର ଦୃଷ୍ଟି ତାଙ୍କ ଉପରେ। କିନ୍ତୁ ସ୍ୱାମୀ ଝିନ୍ନଙ୍କ କାର୍ଯ୍ୟକାଳ ସମୟରେ ଅଞ୍ଚଳରେ ଥିବା ଅସନ୍ତୋଷ ତାଙ୍କ ବିଜୟ ପଥରେ ବାଧକ ସାଜିବ ବୋଲି ଅନୁମାନ କରାଯାଉଛି । କୌଶଲ୍ୟାଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବେ ପୂର୍ବତନ ବିଜେଡିର ତୁଙ୍ଗ ଆଦିବାସୀ ନେତା ତଥା ବର୍ତ୍ତମାନର ବିଜେପି ଦଳର ପ୍ରାର୍ଥୀ ଜୟରାମ ପାଙ୍ଗୀ । ଜୟରାମ ଦଳର ଜଣେ ଦୃଢ ଓ ଭଲ ନେତା ହୋଇଥିଲେ ମଧ୍ୟ ଦଳ ମଧ୍ୟରେ ଅନ୍ତଦ୍ୱନ୍ଦ୍ୱ ତାଙ୍କୁ ଅସୁବିଧାରେ ପକାଇପାରେ ବୋଲି ଚର୍ଚ୍ଚା । ଏଣେ ପୂର୍ବତନ କଂଗ୍ରେସ ନେତା ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅ ସପ୍ତଗିରୀ କଂଗ୍ରେସ ଟିକେଟରୁ ଲଢୁଛନ୍ତି। କିନ୍ତୁ ଦଳର ସ୍ଥିତି ଯାହା ତାଙ୍କୁ ବିଜୟ ପଥରେ ଅଗ୍ରସର ହେବା କାଠିକର ପାଠ ହେବ ବୋଲି କୁହାଯାଉଛି।
from Odisha Reporter http://bit.ly/2uPYcQ8
No comments:
Post a Comment