କ’ଣ ଅଛି ରାଜା ସ୍ୱାଇଁଙ୍କର ଏଇ ପୁରୁଣା ସ୍କୁଟରରେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

କ’ଣ ଅଛି ରାଜା ସ୍ୱାଇଁଙ୍କର ଏଇ ପୁରୁଣା ସ୍କୁଟରରେ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଏ ସେଇ ସ୍କୁଟର। ଅନେକ ସ୍ମୃତି, ଅନୁଭୂତି ଲେଖା ହୋଇ ରହିଛି ତାର ଦଦରା ଦେହରେ। ବିଶେଷ କରି ନିର୍ବାଚନକୁ ନେଇ ତାର ଅତୀତ ବେଶ ରୋମାଞ୍ଚକର। ତାକୁ ଛୁଇଁ ଦେଲେ ଯେମିତି ଦେହରେ ଶକ୍ତି ସଞ୍ଚାର ହୋଇଯାଏ। ଜିତିବାର ଆଶା ଦୁର୍ବାର ହୋଇଉଠେ। ହଁ, ରାଜା ସ୍ୱାଇଁଙ୍କର ସେଇ ସ୍କୁଟର କଥା ଆମେ କହୁଛୁ। ଏଇ ସ୍କୁଟରରେ ବସି ରାଜା ବାବୁ କଂଗ୍ରେସର ଭେଟେରାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ହରାଇଥିଲେ। ତେଣୁ ସେଇ ସ୍କୁଟରର ମହାତ୍ମ୍ୟକୁ ଅଣଦେଖା କରି ହେବ କି ?

କଟକ ଜିଲ୍ଲାର ହାଇ ପ୍ରୋଫାଇଲ ନିର୍ବାଚନ ମଣ୍ଡଳୀ ଆଠଗଡ଼। ଏଠାରେ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ ରାଜା ସ୍ୱାଇଁ। ୧୯୯୦ରୁ ଏହି ଆସନରୁ ସେ କ୍ରମାଗତ ଭାବେ ଜିତି ଆସୁଛନ୍ତି। ତୃତୀୟ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୨୩ ତାରିଖରେ ଏଠାରେ ହେବ ମତଦାନ। ଆରମ୍ଭରୁ ରାଜା ସ୍ୱାଇଁଙ୍କ ଟିକଟକୁ ନେଇ ଅନେକ କଥା ଶୁଣିବାକୁ ମିଳୁଥିଲା। ହେଲେ ଶେଷରେ ତାଙ୍କୁ ଟିକଟ ମିଳିଛି ଆଉ ସେ ଆଜି ତାଙ୍କର ପ୍ରାର୍ଥିପତ୍ର ଦାଖଲ ମଧ୍ୟ କରିଛନ୍ତି। ଅନ୍ୟପଟେ କଂଗ୍ରେସରୁ ଉମାବଲ୍ଲଭ ରଥ ମଧ୍ୟ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।  ଦୁଇ ନେତା ନିଜ ସମର୍ଥକଙ୍କ ଗହଣରେ ବେଶ ପଟୁଆରରେ ଯାଇ ନାମାଙ୍କନ ପତ୍ର ଦାଖଲ କରି ଆସିଛନ୍ତି।

ହେଲେ ରାଜା ବାବୁଙ୍କ ପଟୁଆରା ଥିଲା କିଛିଟା ନିଆରା। ବର୍ଷ ତମାମ ଫର୍ଚୁନର ଗାଡି ଧରି ବୁଲୁଥିବା ବିଧାୟକ ରାଜା ଆଜି ପୁରୁଣା ସ୍କୁଟର ଧରି ଶୋଭାଯାତ୍ରାରେ ଯାଉଥିବା ଦେଖିବାକୁ ମିଳିଥିଲା। ତେବେ ଇଏ କୌଣସି ଏମିତି ସେମିତି ସ୍କୁଟର ନୁହେଁ। ରାଜା ସ୍ୱାଇଁ କୁଆଡେ ଏଇ ସ୍କୁଟରରେ ତାଙ୍କ ପ୍ରଥମ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ୧୯୯୦ରେ । ସେତେବେଳେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଏଇ ସ୍କୁଟରରେ ପ୍ରଚାର କରି ସେ ଜାନକୀଙ୍କୁ ହରାଇ ବିଧାୟକ ହୋଇଥିଲେ। ଆଉ ତା ପରଠାରୁ ସେ ଏଇ ଆସନରୁ ଜିତି ଆସୁଛନ୍ତି। ଏପରି ଲକି ସ୍କୁଟରକୁ କଣ ସେ ନିର୍ବାଚନରେ ଆଡେଇ ଦେଇ ପାରିବେ ? ତେଣୁ ଆଜି ସ୍କୁଟରକୁ ସଫା କରି, ଫୁଲମାଳ ଦେଇ ରାଜା ପରି ତାକୁ ସଜେଇ ତା ଉପରେ ଚଢି ନାମାନଙ୍କନ ପତ୍ର ଦାଖଲ ପାଇଁ ଆସିଥିଲେ ।

ସ୍ମୃତି ରୋମନ୍ଥନ ସହ ଚର୍ଚ୍ଚାକୁ ଆସିବା ପାଇଁ ରଣେନ୍ଦ୍ରଙ୍କର ଏହା ଏକ ନୂଆ ଆଇଡିଆ ହୋଇପାରେ। କିନ୍ତୁ ପୁରୁଣା ସାଥୀ, ପୁରୁଣା ଜିନିଷ ପ୍ରତି ତାଙ୍କର କେତେ ଆନୁଗତ୍ୟ ଏକଥା ଜଣାଇ ଭୋଟରଙ୍କ ମନ ଜିତିବା ଆଉ ଏକ ଉଦ୍ଦେଶ୍ୟ ମଧ୍ୟ ହୋଇପାରେ।

 



from Odisha Reporter https://ift.tt/2OQlTkA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages