
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ଫଳାଫଳ ଆସିବା ପରେ ଆଜି ବିଜେଡିର ପ୍ରଥମ ସଂସଦୀୟ ଦଳ ବୈଠକ ବସିଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବିଜେଡିର ସମସ୍ତ ନବ ନିର୍ବାଚିତ ସାଂସଦଙ୍କ ସହ ନବୀନ ଆଲୋଚନା କରିଥିଲେ।
ମୁଖ୍ୟତଃ ନୂଆ ଲୋକସଭାରେ ଦଳର ଆଭିମୁଖ୍ୟ କ’ଣ ରହିବ, ସେ ନେଇ ନବୀନ ଆଲୋଚନା କରିଥିଲେ। ତା’ସହିତ ସଂସଦରେ କିଏ କେଉଁ ପ୍ରସଙ୍ଗ ଉଠାଇବେ, ସେ ବିଷୟରେ ବି ଆଲୋଚନା ହୋଇଥିଲା। ସେହିପରି ସଂସଦୀୟ କ୍ଷେତ୍ରରେ ସାଂସଦଙ୍କ କାର୍ଯ୍ୟ ନେଇ ମଧ୍ୟ ଆଲୋଚନା ହୋଇଥିଲା।
ବୈଠକ ପରେ ବ୍ରହ୍ମପୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ଚନ୍ଦ୍ରଶେଖର ସାହୁ କହିଥିଲେ,“ସଂସଦରେ ଆମର ୩ଟି ପ୍ରମୁଖ ଦାବି ରହିବ। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ କରିବାକୁ ଆମେ ଦାବି କରିବୁ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ଅର୍ଥ ପାଇଁ ଆମେ ଦାବି ଉପସ୍ଥାପନ କରିବୁ। ତା’ସହିତ ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଆମେ ଦାବି ଉଠାଇବୁ।”
ସେହିପରି କେନ୍ଦୁଝରରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ଚନ୍ଦ୍ରାଣୀ ମୁର୍ମୁ କହିଥିଲେ,“ଆମ ଅଞ୍ଚଳରେ କିପରି ଦ୍ରୁତ ବିକାଶ ହେବ, ସେନେଇ ଚେଷ୍ଟା କରିବି। ଆମ ଦଳ ଓ ଲୋକଙ୍କ ପରାମର୍ଶ ନେଇ କାମ କରିବି। ଯେତେବେଳେ ଯେଉଁ ପ୍ରସଙ୍ଗ ସଂସଦରେ ଉଠାଇବାକୁ ପଡ଼ିବ, ତାହା ମୁଁ ଉଠାଇବି।”
ବୈଠକରେ ଭର୍ତ୍ତୃହରି ମହତାବ, ଚନ୍ଦ୍ରଶେଖର ସାହୁ, ପିନାକୀ ମିଶ୍ର, ପ୍ରମିଳା ବିଷୋୟୀ, ରମେଶ ମାଝୀ, ଚନ୍ଦ୍ରାଣୀ ମୁର୍ମୁ, ରାଜଶ୍ରୀ ମଲ୍ଲିକ, ଅନୁଭବ ମହାନ୍ତି, ଅଚ୍ୟୁତ ସାମନ୍ତ, ମଞ୍ଜୁଲତା ମଣ୍ଡଳ, ଶର୍ମିଷ୍ଠା ସେଠୀ ଓ ମହେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
from Odisha Reporter http://bit.ly/2JE8cW0
No comments:
Post a Comment