ମୋ ଦଶମ ଶ୍ରେଣୀ, ଝରଣା ଓ ବିତିଯାଇଥିବା ସେଇ ସବୁ ଦିନମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ମୋ ଦଶମ ଶ୍ରେଣୀ, ଝରଣା ଓ ବିତିଯାଇଥିବା ସେଇ ସବୁ ଦିନମାନ

ୟା ଭିତରେ ଏତେ ଗୁଡ଼ାଏ ଦିନ ବିତି ଗଲାଣି ବୋଲି ଜମା ବିଶ୍ୱାସ କରି ହେଉନି। ପୁରା ୧୧ ବର୍ଷ। ସେଇଦିନମାନଙ୍କର କଥା ସବୁ ଏବେବି ମୋ ପାଇଁ ସୁନ୍ଦର ଆଉ ସ୍ମୃତି ମଧୁର ହୋଇ ରହିଛି। ସାରା ଜୀବନ ରହିଥିବେ ଆଉ ମନେ ପଡ଼ୁଥିବେ କେତେବେଳେ ଆଖିର ଲୁହ ହୋଇ ତ କେତେବେଳେ ଓଠର ହସ ହୋଇ। ନହେଲେ ବିରହର ବେଦନା ହୋଇ ମଧୁର ଯନ୍ତ୍ରଣାରେ ମତେ ଛଟ୍‌ପଟ୍‌ କରୁଥିବେ ସାରା ଜୀବନ। ମୁଁ ଭୁଲି ପାରିବିନି ସେମାନଙ୍କୁ ଜମା। ସେଇ ସମୟକୁ, ସେଇ ଦିନମାନଙ୍କୁ ଆଉ ଅନ୍ତରର ମଣିଷମାନଙ୍କୁ…

    ଲେଖା- ଜଗମୋହନ ମହାରଣା

୧- ମ୍ୟାଟ୍ରିକ୍ ପରୀକ୍ଷା ଓ ସପ୍ତଶଯ୍ୟା ହାଇସ୍କୁଲ୍

ପରୀକ୍ଷା ସେଣ୍ଟର ପଡ଼ିଥାଏ ସପ୍ତଶଯ୍ୟା ହାଇସ୍କୁଲ୍‌। ସ୍କୁଲ୍‌ଟି ଗୋଟେ ଛୋଟ ମୁଣ୍ଡିଆ ଉପରେ ହିଁ ତୋଳା ହୋଇଛି। ସେଇଠୁ ସପ୍ତଶଯ୍ୟା ପାହାଡ଼ ଆଉ ମାତ୍ର ଅଳ୍ପ ବାଟ। ସେଇ ସ୍କୁଲ୍‌ଟି ଦେଖିବାକୁ ଭାରି ସୁନ୍ଦର। ଦେଖିଲେ ଲାଗିବ ଏଇ ଯେମିତି ମୁଣ୍ଡିଆ ଉପରୁ ସ୍କୁଲ୍‌ଟି ଧୀରେ ଧୀରେ ତଳକୁ ଓହ୍ଲାଉଛି। ଧାଡ଼ି ଧାଡ଼ି ଶ୍ରେଣୀଗୃହ, ଦେବଦାରୁ ଗଛ, ଥାକ ଥାକ ନଡ଼ିଆ ଗଛ, ଫୁଲ ବଗିଚା, ନଳକୂଅ, ଖେଳପଡ଼ିଆ ସବୁ ସେଇ ଢଳି ପଡ଼ୁଥିବା ମୁଣ୍ଡିଆ ଉପରେ ହିଁ ଥାଆନ୍ତି। ପରୀକ୍ଷା ପରେ ୧୧ ବର୍ଷ ଭିତରେ ସେଇ ରାସ୍ତା ଦେଇ ମୁଁ ମାତ୍ର ୨ ଥର ଯାଇଛି। ଦେଖିଲେ ଖୁସି ଲାଗେ ଆଉ ଆତ୍ମ ବିଭୋର ବି। ଅନୁଭବ ହୁଏ ଯେ, ଏଇ ସ୍କୁଲ୍‌ଟି ମୋ ୧୫ ବର୍ଷ ପାଠପଢ଼ାର ପରୀକ୍ଷା ନେଇଛି। ମତେ କଷିଛି ଆଉ ମାପିଛି।

୨-ସନ୍ତ ସାର୍‌ ଓ ଆମେମାନେ

ତାଙ୍କ ନାଁ ସନ୍ତୋଷ କୁମାର ଧଳ। ସମସ୍ତେ ତାଙ୍କୁ ସନ୍ତ ସାର୍ ବୋଲି ଡାକନ୍ତି। ଦେଖିବାକୁ ଚେହେରାଟି ଗମ୍ଭୀର ଲାଗେ ସତ କିନ୍ତୁ ସଦାବେଳେ ସାନ୍ତ ଓ ସ୍ମିତ ହସ ଚହଲୁଥାଏ ତାଙ୍କ ଚାହାଣିରେ। ସେଇ ସମୟରେ ସେ ହିଁ ପ୍ରକୃତରେ ପିଲାମାନଙ୍କୁ ତାଙ୍କ ଘରେ ଟ୍ୟୁଶନ ପଢ଼ଉଥିଲେ। ବାହାର ଗାଁରୁ ବି ପିଲାମାନେ ଆସନ୍ତି। ପରୀକ୍ଷାର ୨ ମାସ ଆଗରୁ ଆମେ ରାତିରେ ତାଙ୍କ ଘରେ ହିଁ ରହୁ। ରାତି ସାରା ବସିକି ପଢ଼ୁ। ମଝିରେ ମଝିରେ ସେ ଆସି ଆମକୁ ଦେଖନ୍ତି ପ୍ରକୃତରେ ଆମେ ପଢ଼ୁଛୁ ନା ଢୁଳୋଉଛୁ। କନ୍ଥା, ମାଣ୍ଡି, ବେଡ୍‌ସିଟ୍‌ ନେଇ ସେଇଠି ରଖି ଦେଉ। ଆମ ବେଳେ ମାସେ କାଳ ଲାଇନ୍‌ କଟି ଯାଇଥିଲା ଯେ, ଲ୍ୟାମ୍ପରେ କିରୋସିନ୍ ପକେଇବାକୁ ଜଣକା ୨ ଟଙ୍କା ଲେଖା ଭାଦା କରିଥିଲୁ। ଦଶମ ଶ୍ରେଣୀ ଆରମ୍ଭରୁ ପରୀକ୍ଷା ଫଳ ବାହାରିଲା ଯାଏଁ ସନ୍ତ ସାର୍‌ ପିଲାଙ୍କ ପାଇଁ ଲାଗି ଥାଆନ୍ତି। ଆଜିବି ସେ ସେମିତି ପଢ଼ଉଛନ୍ତି। ସେଇଠି। ସେଇ ଘରେ। ସେଇ ବାରଣ୍ଡାରେ।

୩- ମୁଁ, କପି ଓ ଝରଣା

ମୋ ଜୀବନ ସାରା କେବେ କୌଣସିଥିରେ କପି କରିନି। କି ମାର୍କ ଅଧିକା ରଖିବାକୁ ଛଟପଟ ବି ହୋଇନି। ପରୀକ୍ଷା ସରିଗଲା ପଛେ ଦଶମ ଶ୍ରେଣୀରେ ମୁଁ କପି କରିପାରିଲିନି। କିନ୍ତୁ ମୁଁ କପି କରିଛି ବୋଲି ମୋ ଆଡ୍‌ମିଟ୍‌ କାର୍ଡ ଛଡ଼େଇନେଇଥିଲେ ସାର୍‌। ଆଉ ଝରଣା ହସୁଥିଲା। ଝରଣା ମୋ ପଛ ବେଞ୍ଚରେ ବସିଥିଲା। ମୋ ନାଁ ଆଉ ତା ନାଁ ସମାନ ଅକ୍ଷରରୁ ଆରମ୍ଭ ବୋଲି ଆଗ ପଛ ହୋଇ ବସିଥିଲୁ ଆମେ ଦୁହେଁ। ସେ ସଦାବେଳେ ମତେ କହୁଥିଲା, ହଇରେ ପାଗଳ ଲେଖୁନୁ ବସିଛୁ କ’ଣ? ତୋର କ’ଣ ସବୁ ସରିଗଲାଣି ନାଁ ତତେ କିଛି ଆସୁନି? ମୁଁ ନଲେଖିଲେ ସେ ବ୍ୟସ୍ତ ହେଉଥିଲା ଆଉ କହୁଥିଲା ରହରେ ପୁଅ ତୁ ଯଦି ଫେଲ୍‌ ନହେବୁ ମତେ କହିବୁ। ସେତିକିବେଳେ ପଛରୁ କିଏ ଗୋଟେ କାଗଜରେ ଗୋଡ଼ି ପୁରେଇ ଫିଙ୍ଗିଲା। ବାଜିଲା ମୋ ମୁଣ୍ଡରେ। ମୁଣ୍ଡ ଫୁଲିଗଲା। ବେଞ୍ଚ ତଳୁ ଆଣି ଦେଖିଲା ବେଳକୁ “ଜାତୀୟ ଜୀବନ ଓ ସଂସ୍କୃତି” ପ୍ରବନ୍ଧର ଗୋଟିଏ ସରଳାର୍ଥ ସେଥିରେ ଥିଲା। ସାର୍‌ ମୋଠୁ ଛଡ଼େଇ ନେଲେ। ଆଉ ସାଥିରେ ଆଡ୍‌ମିଟ୍‌ କାର୍ଡ୍ ବି।
ପରୀକ୍ଷା ସରିଗଲା ପରେ ଝରଣା ସହ ଥରେ ଅନ୍ତତଃ ଦେଖା ହେବ ବୋଲି ଭାବିଥିଲି। ନାଁ ତା ପରେ ଆଉ କେବେ ଦେଖା ହୋଇଛି ନାଁ ତା’ର କିଛି ଖବର ମୋ ପାଖରେ ଅଛି। ଝରଣା ମୋ ପାଇଁ ନିଜେ ଗୋଟେ କାହାଣୀ। ତାକୁ ଆଉ କେବେ ଦିନେ ଲେଖିବି।

୪-ପରୀକ୍ଷା ଶେଷ ଦିନ ଓ ଶଙ୍କରପୁର ଛକ

ପରୀକ୍ଷା ଶେଷ ଦିନ ଆମେ ସମସ୍ତେ ଯୋଜନା କରି ଯାଇଥିଲୁ ସପ୍ତଶଯ୍ୟା ପାହାଡ଼ ବୁଲିବାକୁ। ଦିନ ୩ଟା ବେଳକୁ ବର୍ଷା, ପବନ, ଘଡ଼ଘଡ଼ି ଚଡ଼ଚଡ଼ି ଏମିତି ହେଲା ଯେ ଲାଗୁଥିଲା ବାତ୍ୟା ହବ ବୋଧେ। ଆମ ଗାଡ଼ିରେ ମୁଁ, ମୋ ବାପା ଆଉ ନନା ଯାଉଥିଲୁ। ଶଙ୍କରପୁର ଛକ ପାଖରେ ପହଞ୍ଚିଲା ବେଳକୁ ଦୋକାନ ବଜାର ସବୁ ବନ୍ଦ। ରାସ୍ତାରେ ଯୋଉଠି ଖାଲଢିପ ଥିଲା ସେଠି ଆଣ୍ଠିଏ ଆଣ୍ଠିଏ ପାଣି। ଆଗ ପଛ ହେଇ ୬/୭ ଖଣ୍ଡ ଗାଡ଼ି ଯାଉଥିଲା। ବାଟରେ ଶଙ୍କରପୁର ଛକ ଆଗକୁ ଜଣେ ମଉସା ତାଙ୍କ ଚା’ ଦୋକାନ ଖୋଲିଥିଲେ। ଆମକୁ ଦେଖି କହିଲେ ପିଲେ ରହିଯା ଏଇଠି। ମଉସା ଗୋଟେ ଛୋଟ ଡେକ୍‌ଚିରେ ଚା’ ବସେଇଲେ। କେତେକପ୍ ପିଇଲୁ କେଜାଣି ମନେ ନାହିଁ। ମଉସା ଜଣକ ନେଇଥିଲେ ମାତ୍ର ୧୦ ଟଙ୍କା।

୫-ଯେଉଁଦିନ ଫଳ ବାହାରିଲା

ଯେଉଁଦିନ ଆମ ପରୀକ୍ଷା ଫଳ ପ୍ରକାଶ ପାଇଲା ସେଦିନ ମୁଁ ୩ ଟା ବେଳକୁ ଜାଣିଲି ଯେ ମୁଁ ଥାର୍ଡ ଡିଭିଜନ ପାଇଛି। ମୋ ପାଖରେ ଜାଣିବାକୁ କିଛି ସୁଯୋଗ ବି ନ ଥିଲା। କେଜାଣି କଣ ପାଇଁ ମୁଁ ଜମା ବ୍ୟସ୍ତ ବି ହେଉ ନ ଥିଲି। ହାପ୍‌ ପ୍ୟାଣ୍ଟ୍ ଖଣ୍ଡେ ପିନ୍ଧି ଆମ ଅଧା ଗଢ଼ା ଘର କାନ୍ଥ ଉପରେ ବିସଥିଲି। ଘର ସାମ୍ନାରେ ଥିବା ପୋକରୀ ଆମ୍ବ ଗଛକୁ ଚାହୁଁଥିଲି। ଆମ୍ବ ପାଚିଲାଣି କି ନାହିଁ ଟେକା ମାରିବି ବୋଲି। ମୋ ଜେଜେବାପା ଏଣେ ବଜାରି, ଛତରା କହି ସବୁଦିନ ଯେମିତି ଗାଳିଦିଅନ୍ତି, ସେ ଦିନ ବି ଦେଉଥିଲେ। କହୁଥିଲେ ତୁ ତ ଫେଲ୍‌ ହେଇଥିବୁ ତୁ କାଇଁ ବ୍ୟସ୍ତ ହେବୁ। ନାହକ ଘର ଝିଅ କୁଆଡ଼େ ୫୦୦ ନମ୍ବର ରଖିଛି। ତୋ ସାଙ୍ଗ ସେକେଣ୍ଡ୍ ଡିଭିଜନ ପାଇଛି। ସେ ସବୁ କଥା ମୁଁ ଶୁଣି ପାରୁନଥିଲି। ମୁଁ ମୋ ସ୍ୱପ୍ନରେ ବୁଡ଼ିଥିଲି। ଭାବୁଥିଲି ଆଉ କିଛି। କଣ କେଜାଣି, ଜାଣିନି।

ଭୁବନେଶ୍ୱର ନାଲ୍‌କୋରେ ଚାକିରି କରିଥିବା ଜଣେ ବଡ଼ଭାଇଙ୍କୁ ଜିତୁ ନନା ଫୋନ୍‌ କରି ମୋ ରୋଲ୍‌ ନମ୍ବରଟି କହିବା ପରେ ସେ କହିଦେଲେ ୩୩୦ ନମ୍ବର ରଖିଛି। ଥାର୍ଡ ଡିଭିଜନ। ମୋ ପାଇଁ ମୋ ଥାର୍ଡ ଡିଭିଜନଟି ବହୁତ ଖୁସି ଦେଇଥିଲା। କାହିଁକି ନାଁ ମୋର ପ୍ରତିଟି ନମ୍ବର ମୋ ଧାଡ଼ି ଧାଡ଼ି ଲେଖାର ନମ୍ବର ଥିଲା। ଗଣିତରେ ୩୦ ଆଉ ଇଂଲିଶ୍‌ରେ ବି ୩୦ ରଖିଥିଲି। ବହୁତ୍‌ ଖୁସିବି ଥିଲି।

ଏବେ ବଦଳୁଥିବା ଜୀବନ ସବୁ ପରୀକ୍ଷା ନେଉଛି। ଧର୍ଯ୍ୟର, ସଚୋଟପଣର, ନିର୍ମାୟା ମନର, ଅହଂକାର ଶୂନ୍ୟର। ଏ ଜୀବନ ପରୀକ୍ଷା ନଉଛି ପ୍ରତିଟି ମୁହୂର୍ତ୍ତର।



from Odisha Reporter http://bit.ly/2WbcWZb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages