
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଖି ଆଗରେ ମିଠା, ଚକୋଲେଟ କିମ୍ୱା ସ୍ନାକ୍ସ ପଡ଼ିଗଲେ ଛୋଟରୁ ବଡ଼ କେହି ବି ଛାଡ଼ି ନ ଥାନ୍ତି। ଭୋକ ଥାଉ ନ ଥାଉ ଏପରି ଆଇଟମ୍କୁ ଖାଇବା ନିଶ୍ଚିତ। ସେହିପରି ଫିଲ୍ମ ହଲ୍ରେ ବସିଥିଲେ ଭୋକ ନ ଥିଲେ ବି ଆମେ ବହୁତ କିଛି ଖାଇ ଦେଇଥାଉ। ଏହାକୁ କ’ଣ କୁହାଯାଏ ଜାଣିଛନ୍ତି ? ଏହା ହେଉଛି ‘ଇମୋଶନାଲ ଇଟିଙ୍ଗ’ । ଏହାକୁ ସାଧାରଣତଃ ଚିହ୍ନଟ କରିବା କଷ୍ଟକର ହୋଇପଡ଼େ। ଏହାକୁ କେବେ ବି ଭଲ ଅଭ୍ୟାସ ଭାବେ ପରିଗଣିତ କରାଯାଇ ପାରିବ ନାହିଁ। ଆସନ୍ତୁ ଜାଣିବା, ଏପରି ସ୍ଥିତିରୁ କିପରି ନିଜକୁ ମୁକୁଳାଇବା।
ବେଳେବେଳେ ଭୋକ ଲାଗୁ ନ ଥିଲେ ବି ଖାଇଦେଲେ ଚଳିଯିବ । ହେଲେ ଯଦି ଏହା ଅଭ୍ୟାସରେ ପରିଣତ ହୋଇଯିବ, ତା ହେଲେ ଜାଣି ନେବେ ଯେ, ଆମର ନିଜ ଉପରେ ନିୟନ୍ତ୍ରଣ ନାହିଁ। ‘ଇମୋଶନାଲ ଇଟିଙ୍ଗ’ ପ୍ରକୃତରେ ଭୋକ ନୁହେଁ, ଏହା ଖାଇବା ଲାଗି ଲାଳସା। ଏହା କିଛି ସମୟ ପାଇଁ ଆପଣଙ୍କୁ ଭଲ ଲାଗିପାରେ। କିଛି ଦିନ ପରେ ଆପଣ ଏହା ଦ୍ୱାରା କବଳିତ ହୋଇଯାଆନ୍ତି ଏବଂ ଏହା ଆପଣଙ୍କ ଅଭ୍ୟାସରେ ପରିଣତ ହୋଇଯାଏ । ତେଣୁ ଖୁବ୍ ଶୀଘ୍ର ଏପରି ଅଭ୍ୟାସକୁ ଚିହ୍ନଟ କରି ଏହା କବଳରୁ ନିଜକୁ ମୁକୁଳାଇ ଆଣିବାକୁ ଚେଷ୍ଟା କରନ୍ତୁ।

ଜାଣିଛନ୍ତି କି, କ’ଣ ଏହାର ଲକ୍ଷଣ ?
‘ଇମୋଶନାଲ ଇଟିଙ୍ଗ’ ହେଉଛି ଆମ ଭିତରେ ଥିବା ନକରାତ୍ମକ ଭାବନାକୁ ଶାନ୍ତ କରିବା ନିମନ୍ତେ ଅଧିକରୁ ଅଧିକ ଖାଇବା। ଏହା କରିବା ଦ୍ୱାରା ନକରାତ୍ମକ ଜିନିଷ ଯେପରି ରାଗ, କ୍ରୋଧ, ଡର, ଥକାପଣ ଆଦିକୁ ନିଜ ଭିତରେ ଅବଦମିତ ହୋଇଯାଏ ବୋଲି ଧାରଣା ରହିଛି । ଏପରି ପ୍ରତିକୂଳ ପରିସ୍ଥିତିରୁ ମୁକୁଳିବାକୁ ଆମେ ଅସ୍ଥାୟୀ ପ୍ରୟାସ କରିଥାଉ। ଏହା କିନ୍ତୁ ମୂଳରୁ ସମାଧାନ ହୋଇନଥାଏ। ନିଜ କ୍ୟାରିଅର, ସମ୍ପର୍କ, ପରିବାର ଆଦି ବିଭିନ୍ନ ସମସ୍ୟାରେ ହନ୍ତସନ୍ତ ହେଉଥିବା ମଣିଷ ଭାବନାତ୍ମକ ଚିନ୍ତା ଯୋଗୁ ଏପରି ଓଭର ଇଟିଙ୍ଗ କରି ଦେଇଥାନ୍ତି।
ଏହାକୁ ନିୟନ୍ତ୍ରଣ କରିବା ଟିକେ କଷ୍ଟକର। କାରଣ ଏହା ପ୍ରାୟତଃ ମଣିଷର ଅଜାଣତରେ ଆରମ୍ଭ ହୋଇଯାଇଥାଏ।ଏପରି ସ୍ଥିତିରେ ପେଟ ପୁରି ଯାଇଥିଲେ ବି ଆପଣ ଆହୁରି ଖାଇବାକୁ ଚାହିଁବେ। ଏହାକୁ ଇମୋଶନାଲ ଇଟିଙ୍ଗ ଏଥିପାଇଁ କୁହାଯାଏ, କାରଣ ଏହାକୁ ସାନ୍ତ୍ୱନା ରୂପରେ ଦେଖାଯାଏ। ଏହା ଆମ ଶରୀର ଲାଗି କେବେ ବି ଲାଭଦାୟକ ବୋଲି କେହି ବି କହିବେନି।

ମନୋବୈଜ୍ଞାନିକଙ୍କ ମତରେ ଯେଉଁମାନେ ନିଜକୁ ତଥା ନିଜ ଶରୀରକୁ ଘୃଣା କରନ୍ତି ସେମାନେ ଏପରି ପଦକ୍ଷେପ ଉଠାଇଥାନ୍ତି । ଏହା ଆମକୁ ଅସ୍ଥାୟୀ ରୂପେ ଖୁସି ଦେଇଥାଏ, ହେଲେ ସ୍ଥାୟୀ ଭାବେ ନୁହେଁ। ଆମ ଶରୀରରୁ ସୁଗାର କ୍ଷରଣ ହେବା କାରଣରୁ ଏପରି ସ୍ଥିତି ଉପୁଜିଥାଏ। ଫଳରେ ଆମେ କିଛି ନ ଭାବି ନ ଚିନ୍ତି ଖାଇବାରେ ଲାଗିପଡ଼ୁ। ତେଣୁ ନିଜ ଉପରେ ନିୟନ୍ତ୍ରଣ ରଖିଲେ ଏପରି ସମସ୍ୟାରୁ ଆମେ ମୁକ୍ତି ପାଇପାରିବା।
from Odisha Reporter http://bit.ly/2LmO6kI
No comments:
Post a Comment