ନୂଆଦିଲ୍ଲୀ: ଲୋକସଭାରେ ଉପ ବାଚସ୍ପତି ପଦବୀ ପାଇଁ କେନ୍ଦ୍ରର ଶାସକ ଦଳ ବିଜେପି ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ୱାଇଏସଆର କଂଗ୍ରେସ ଉପରେ ନଜ ପକାଇଛି। ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଗତକାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କୁ ବିଜେପି ସାଂସଦ ଜିଭିଏଲ ନରସିମହା ରାଓ ଭେଟିବା ପରେ ଏହି ଚର୍ଚ୍ଚା ହେଉଛି। ତେବେ ଏଭଳି କିଛି ଆଲୋଚନା ହୋଇନଥିବା ବିଜେପି ନେତା ଜିଭିଏଲ୍ ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି ଲୋକସଭାରେ କିଏ ହେବ ଉପବାଚସ୍ପତି ତାହା ବିଜେପି ସ୍ଥିର କରିବ। ଗୃହରେ ସବୁଠାରୁ ବଡ଼ ଦଳ କଂଗ୍ରେସ ଦ୍ୱିତୀୟରେ ଡିଏମକେ ରହିଛି। ଏହି ଦୁଇ ଦଳ ଉପ ବାଚସ୍ପତି ପଦବୀ ପାଇଁ ମନା କରିଛନ୍ତି। ତେଣୁ ତୃତୀୟ ବୃହତ ଦଳ ଭାବରେ ଓ୍ୱାଇଏସଆର କଂଗ୍ରେସକୁ ପ୍ରସ୍ତାବ ଦିଆଯାଇପାରେ। ଓ୍ୱାଇଏସଆର କଂଗ୍ରେସ ଓ ତୃଣମୂଳ ୨୨ଟି ଲେଖାଏଁ ସିଟ୍ ଜିତିଛନ୍ତି। ହେଲେ ବିଜେପି ଓ ଟିଏମସି ପରସ୍ପରର ଘୋର ବିରୋଧୀ ହୋଇଥିବାରୁ ଟିଏମସିକୁ ଉପ ବାଚସ୍ପତି ପଦବୀ ପ୍ରସ୍ତାବ ବିଜେପି ଦେବ ନାହିଁ।
ଆନ୍ଧ୍ରପ୍ରଦେଶରେ ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହୋଇଥିଲା। ଯେଉଁଥିରେ ଓ୍ୱାଇଏସଆର କଂଗ୍ରେସ ମୁସଲିମ୍ ଓ ଖ୍ରୀଷ୍ଚିଆନ ସମ୍ପ୍ରଦାୟର ଭୋଟ ହାତେଇବାରେ ସଫଳ ହୋଇଛି। ତେଣୁ ଓ୍ୱାଇଏସଆର କଂଗ୍ରେସ ଦଳର କୌଣସି ନେତାଙ୍କୁ ଲୋକସଭାରେ ଉପ ବାଚସ୍ପତି କରାଇ ବିଜେପି ମୁସଲିମ୍ ଓ ଖ୍ରୀଷ୍ଚିଆନ ସମ୍ପ୍ରଦାୟଙ୍କ ଆସ୍ଥା ଭାଜନ ହେବାକୁ ଚେଷ୍ଟା କରୁଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ ଯେ ୧୭ତମ ଲୋକସଭାରେ ବିଜେପିର ୩୦୩ ସାଂସଦ ଥିବା ବେଳେ କଂଗ୍ରେସ ୫୨, ଡିଏମକେ ୨୩ ଏବଂ ଓ୍ୱାଇଏସଆର କଂଗ୍ରେସ ୨୨, ତୃଣମୂଳ କଂଗ୍ରେସ ୨୨, ଶିବସେନା ୧୮, ଜେଡିୟୁ ୧୬ ଏବଂ ବିଜେଡି ୧୨ ବିଏସପି ୧୦ ଆସନ ଓ ଅନ୍ୟାନ୍ୟ ଦଳଙ୍କ ପାଖରେ ୧୦ରୁ କମ୍ ସାଂସଦ ରହିଛନ୍ତି।
ପ୍ରଥମେ ବିଜେଡିକୁ ବିଜେପି ଉପ ବାଚସ୍ପତି ପଦବୀ ପାଇଁ ପ୍ରସ୍ତାବ ଦେବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏନଡିଏରେ ସାମିଲ ଥିବା ଶିବସେନା ଏହାକୁ ବିରୋଧ କରିବାରୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି। ଏନଡିଏରେ ସାମିଲ ଥିବା ଦଳ ମଧ୍ୟରେ ବିଜେପି ପରେ ଶିବସେନା ରହିଛି ତେଣୁ ଉପବାଚସ୍ପତି ପଦବୀ ପାଇଁ ଶିବସେନା ଦାବିଦାର ବୋଲି ଶିବସେନା ନେତା କହିଥିଲେ।
ସୂଚନାଯୋଗ୍ୟ ଯେ ମୋଦିଙ୍କ ପ୍ରଥମ ସରକାରରେ ମଧ୍ୟ ଉପବାଚସ୍ପତି ପଦବୀ ଏନଡିଏରେ ସାମିଲ ନଥିବା ଦଳ ତାମିଲନାଡୁର ଏଆଇଡିଏମକେ ଦଳକୁ ଦିଆଯାଇଥିଲା। ହେଲେ ଚଳିତ ଥର ଏହି ଦଳ ଏନଡିଏରେ ଅଛି ଏବଂ ମାତ୍ର ଜଣେ ସାଂସଦ ନିର୍ବାଚିତ ହୋଇ ଆସିଛନ୍ତି। ତେଣୁ ପୁଣିଥରେ ଏନଡିଏ ବାହାରର ଦଳକୁ ଲୋକସଭା ଉପବାଚସ୍ପତି ପଦବୀ ଦେବା ପାଇଁ ବିଜେପି ଚେଷ୍ଟା କରୁଛି।
from Odisha Reporter http://bit.ly/2R5EZUG
No comments:
Post a Comment