ନୂଆଦିଲ୍ଲୀ: ଗତକାଲିଠାରୁ ଆରମ୍ଭ ହୋଇଛି ୧୭ ତମ ଲୋକସଭା ଅଧିବେଶନ। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ନବ ନିର୍ବାଚିତ ସାଂସଦ ମାନେ ଶପଥ ଗ୍ରହଣ କରିଛନ୍ତି। କାମଚଳା ବାଚସ୍ପତି ବିରେନ୍ଦ୍ର କୁମାର ଗତକାଲି ଓ ଆଜି ସମସ୍ତ ଲୋକସଭା ସାଂସଦଙ୍କୁ ଶପଥ ପାଠ କରାଉଛନ୍ତି। ଗତକାଲି ଗୃହ ଆରମ୍ଭରେ କଂଗ୍ରେସ ଅଧ୍ୟକ୍ଷ ତଥା କେରଳ ଓ୍ୱାଇନାଡ ସାଂସଦଙ୍କୁ ଦେଖିବାକୁ ମିଳିନଥିଲା। ହେଲେ ଅପରାହ୍ନରେ ରାହୁଲ ଗାନ୍ଧି ଗୃହକୁ ଆସି ଇଂରାଜୀ ଭାଷାରେ ଶପଥ ଗ୍ରହଣ କରିଥିଲେ।
ଶପଥ ଗ୍ରହଣ ପରେ ରାହୁଲ ଗାନ୍ଧି ପାଖରେ ଥିବା ଲୋକସଭା ରେଜିଷ୍ଟରରେ ଦସ୍ତଖତ କରିବା ପାଇଁ ଭୁଲିଯାଇ ନିଜ ସିଟ୍ ଆଡ଼କୁ ଯାଉଥିଲେ। ଏହି ସମୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଭଳି ଅନେକ ବିଜେପି ସାଂସଦ ରାହୁଲଙ୍କୁ ପଛରୁ ଡ଼ାକି ମନେପକାଇଦେଲେ ଦସ୍ତଖତ କରିବା ପାଇଁ । ଏହାପରେ ରାହୁଲ ଗାନ୍ଧି ଆସି ଦସ୍ତଖତ କରିଥିଲେ।
ଚଳିତଥର ରାହୁଲ ଗାନ୍ଧି କେରଳର ଓ୍ୱାଇନାଡ ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ପାରମ୍ପରିକ ଆସନ ୟୁପିର ଆମେଠିରୁ ୫୫ ହଜାର ଭୋଟରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମହିଳା ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ପାଖରୁ ଚଳିତଥର ହାରିଛନ୍ତି ରାହୁଲ ଗାନ୍ଧି। ସଂସଦକୁ ସେ ଲଗାତର ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଛନ୍ତି।
ରାହୁଲ ଅପରାହ୍ନରେ ଗୃହକୁ ଆସି ଶପଥ ଗ୍ରହଣ କରିଥିଲେ। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖରେ ସେ ଗତକାଲି ବସିଥିଲେ। ଶପଥ ପାଠ ପାଇଁ ରାହୁଲଙ୍କ ନାମ ଡ଼କାଯିବା ପରେ ଗୃହରେ ଉପସ୍ଥିତ କଂଗ୍ରେସ ସାଂସଦ ଡେସ୍କରେ ତାଳି ମାଡ଼ କରିଥିଲେ।
from Odisha Reporter http://bit.ly/2KXNoII
No comments:
Post a Comment