ଜୟପୁର: ରମଜାନ ମୁସଲମାନ ସମ୍ପ୍ରଦାୟର ଧର୍ମର ମାସ ଅଟେ। ଏହି ମାସ ସାରା ମୁସଲିମ୍ ସମ୍ପ୍ରଦାୟର ବଡଠୁ ଛୋଟ ପର୍ଯ୍ୟନ୍ତ ସମସ୍ତେ ରୋଜା ରଖିଥାନ୍ତି। ଏହାର ଅର୍ଥ ସେମାନେ ମାସେ କାଳ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ ରହିବା ସହ ବହୁ କଠୋର ନିୟମ ପାଳନ କରିଥାନ୍ତି।
କିନ୍ତୁ ରାଜସ୍ଥାନର ନାଗୋରରେ ରହୁଥିବା ଜଣେ ମୁସଲିମ୍ ଯୁବକ ରୋଜା ରଖିଥିବା ସତ୍ତ୍ୱେ ଜଣେ ହିନ୍ଦୁ ମହିଳାଙ୍କ ଜୀବନ ବଞ୍ଚାଇବାକୁ ଯାଇ ରୋଜା ଭାଙ୍ଗି ଦେଇଛନ୍ତି। ମରଣ ସହ ସଂଗ୍ରାମ କରୁଥିବା ଜଣେ ହିନ୍ଦୁ ମହିଳାଙ୍କୁ ରକ୍ତର ଆବଶ୍ୟକତା ଥିବା ସୋଶାଲ ମିଡିଆରୁ ଜାଣିବା ପରେ ରକ୍ତଦାନ ନିମନ୍ତେ ସେ ସ୍ଥିର କରିଥିଲେ। ଏଥିନିମନ୍ତେ ସେ ରୋଜା ଭାଙ୍ଗିବାକୁ ମଧ୍ୟ ପଛେଇ ନଥିଲେ।
ଅଶରଫ ଖାନ ନାମକ ଏହି ଯୁବକ ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। କିଛି ଦିନ ପୂର୍ବେ ସେ ସୋଶାଲ ମିଡିଆରେ ଏକ ମେସେଜ ଦେଖିଥିଲେ। ଯେଉଁଥରେ ସାବିତ୍ରୀ ଦେବୀ ନାମ୍ନୀ ହିନ୍ଦୁ ଗର୍ଭବତୀଙ୍କର ହିମୋଗ୍ଲୋବିନ ଲଗାତାର କମୁଥିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ତାଙ୍କର ‘ବି ନେଗେଟିଭ’ ବ୍ଲଡ ଆବଶ୍ୟକ ଥିବା ବେଳେ ମିଳୁନଥିବାରୁ ସେ ମରଣ ସହ ସଂଘର୍ଷ କରୁଥିଲେ।
ସବୁଆଡୁ ନିରାଶ ହେବା ପରେ ପରିବାର ଲୋକେ ସୋଶାଲ ମିଡିଆ ଜରିଆରେ ରକ୍ତଦାନ କରିବାକୁ ଆକୁଳ ନିବେଦନ କରିଥିଲେ। ଅଶରଫଙ୍କ ବ୍ଲଡ ଗ୍ରୁପ ମଧ୍ୟ ‘ବି ନେଗେଟିଭ’ ହୋଇଥିବାରୁ ସେ ଏହି ମହିଳାଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଲେ। ଉକ୍ତ ମେସେଜରେ ଥିବା ନମ୍ବରରେ ସେ ସଙ୍ଗେସଙ୍ଗେ ଯୋଗାଯୋଗ କଲେ । ସେ ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇ ଉକ୍ତ ମହିଳାଙ୍କୁ ରକ୍ତ ଦାନ କରିବାକୁ ଇଚ୍ଛୁକ ଥିବା ଜଣାଇଲେ। ମାତ୍ର ରୋଜା ଥିବାରୁ ସନ୍ଧ୍ୟା ପରେ ମେଡିକାଲରେ ପହଞ୍ଚିବେ ବୋଲି ସେମାନଙ୍କୁ କହିଥିଲେ । ହେଲେ ସାବିତ୍ରୀଙ୍କ ଅବସ୍ଥା କ୍ରମଶଃ ସଙ୍କଟାପନ୍ନ ହେଉଥିବାରୁ ତୁରନ୍ତ ବ୍ଲଡ ଦରକାର ଥିବା ପରିବାର ଲୋକେ ଜଣାଇଥିଲେ। ଏଥିଲାଗି ବିଳମ୍ବ ନ କରିବାକୁ ସେମାନେ ଅଶରଫଙ୍କୁ ନିବେଦନ କରିଥିଲେ।
ଏପରି ଧର୍ମ ସଙ୍କଟରେ ପଡିଥିବା ଅଶରଫ କ’ଣ କରିବେ ସଙ୍ଗେ ସଙ୍ଗେ ସ୍ଥିର କରି ପାରିଲେନି। କିଛି ସମୟ ଭାବିବା ପରେ ରୋଜା ସତ୍ତ୍ୱେ ଜଣେ ମହିଳାଙ୍କ ଜୀବନ ବଞ୍ଚାଇବା ଅଧିକ ମୂଲ୍ୟବାନ ବୋଲି ସେ ନିଷ୍ପତ୍ତି ନେଲେ। ଏହାପରେ ସେ ହସ୍ପିଟାଲରେ ପହଞ୍ଚି ରୋଜା ଭାଙ୍ଗି ରକ୍ତଦାନ କଲେ । ଏବେ ମହିଳାଜଣଙ୍କ ସୁସ୍ଥ ଥିବା ବେଳେ ଅଶରଫ ମଧ୍ୟ ରମଜାନ ପରି ଧର୍ମ ମାସରେ ଏପରି ପୂଣ୍ୟ କାମ କରି ବେଶ୍ ଖୁସି ଥିବା କହିଛନ୍ତି।।
from Odisha Reporter http://bit.ly/2HS3FwR
No comments:
Post a Comment