ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ମହିମୁଣ୍ଡାରେ ପୁଲିସ୍ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ରଣା ଆହତ ହୋଇଛି। ସୀତାରାମର ବାମ ଗୋଡ଼ ଆଣ୍ଠୁ ନିକଟରେ ଗୁଳି ବାଜିଛି। ତାକୁ ପ୍ରଥମେ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବୁର୍ଲା ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି।
ବହୁ ଡକାୟତି ଓ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ସୀତାରାମ ଗତକାଲି ମହିମୁଣ୍ଡାରେ ଥିବା ସୂଚନା ପାଇ ପୁଇଁନ୍ତଳା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ୍ ସେଠାରେ ଚଢ଼ଉ କରିଥିଲା। ଏହି ସମୟରେ ସୀତାରାମ ଓ ପୁଲିସ୍ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ସୀତାରାମ ଦେହରେ ଗୁଳି ବାଜିବା ପରେ ପୁଲିସ୍ ତାକୁ କାବୁ କରି ନେଇଥିଲା।
ସୀତାରାମ ନିକଟରୁ ପୁଲିସ୍ ଏକ ଦେଶୀ ମାଉଜର ଜବତ କରିଛି।
ବଲାଙ୍ଗିର ଏସ୍ଡିପିଓ ଶ୍ରୀମନ୍ତ ବାରିକ କହିଛନ୍ତି,“ପୁଇଁତଳା ସହର ଓ ଏହି ଥାନା ଅଞ୍ଚଳରେ ଡକାୟତି ହେଉଥିବାରୁ ଡକାୟତଙ୍କୁ ଧରିବା ପାଇଁ ପୁଲିସ୍ର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଜାଣିପାରିଥିଲା ଯେ, ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ରଣା ସହରରେ ହେଉଥିବା ଡକାୟତିରେ ସଂପୃକ୍ତ। ମହିମୁଣ୍ଡା ପାଖରେ ତାକୁ ଧରିବାକୁ ଉଦ୍ୟମ କରିବା ବେଳେ ସେ ପୁଲିସ୍ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା। ଏହାପରେ ପୁଲିସ୍ ପାଲଟା ଜବାବରେ ତା’ ଉପରକୁ ଗୁଳି ଚଳାଇଥିଲା। ତା’ ଗୋଡ଼ରେ ଗୁଳି ବାଜିଛି। ସୀତାରାମର ଗ୍ୟାଙ୍ଗରେ ଥିବା ଅନ୍ୟ ସଦସ୍ୟଙ୍କୁ ଧରିବାକୁ ଚେଷ୍ଟା କରାଯାଉଛି। ତା’ ନିକଟରୁ ଗୋଟିଏ ବନ୍ଧୁକ ଓ ଖୋକା ଜବତ ହୋଇଛି। ତା’ନାଁରେ ସୋନପୁର, ବୌଦ୍ଧ, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାରେ ଅନେକ ହତ୍ୟା ଓ ଡକାୟତି ମାମଲା ରହିଛି।”
from Odisha Reporter http://bit.ly/2KkYNDd
No comments:
Post a Comment