‘ତ୍ରିରଙ୍ଗା ଉଡ଼ାଇ ଆସିବି କିମ୍ବା ଘୋଡ଼ାଇ ହୋଇ ଆସିବି’… କାହାଣୀ ଜଣେ କାର୍ଗିଲ ବୀରର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 25, 2019

‘ତ୍ରିରଙ୍ଗା ଉଡ଼ାଇ ଆସିବି କିମ୍ବା ଘୋଡ଼ାଇ ହୋଇ ଆସିବି’… କାହାଣୀ ଜଣେ କାର୍ଗିଲ ବୀରର

କେଉଁ ଧାତୁରେ ଗଢ଼ା ବୀର, କେଉଁ ହାଡ଼ମାଂସରେ ଗଢ଼ା ତାଙ୍କ ଶରୀର? ସେ କାହିଁକି ମୃତ୍ୟୁକୁ ଭୟ କରନ୍ତିନି? ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦିଅନ୍ତି କେମିତି? କେଉଁଠି ଆଣନ୍ତି ଏତେ ସାହସ, ଶୋର୍ଯ୍ୟ, ଧୈର୍ଯ୍ୟ ପୁଣି ଅଦମ୍ୟ ବୀରତ୍ୱ? ଏ ସବୁର ଗୋଟିଏ ଉତ୍ତର ହୋଇପାରେ: ସେମାନଙ୍କର ମାତୃଭୂମି ପ୍ରତି ଥିବା ନିଃସ୍ୱାର୍ଥପର ପ୍ରେମ। ଯେତେବେଳେ ଏହି ମାତୃଭୂମିର ସୁରକ୍ଷାର ପ୍ରଶ୍ନ ଉଠେ, ସେତେବେଳେ ସେ ହସି ହସି ପ୍ରାଣବଳି ଦେବାକୁ ପ୍ରସ୍ତୁତ ହୋଇଯାଏ। ସେମିତି ଜଣେ ଦୁଃସାହସିକ ବୀର ହେଉଛନ୍ତି କ୍ୟାପଟେନ୍‌ ବିକ୍ରମ ବାତ୍ରା। ଆଜି କାର୍ଗିଲ ବିଜୟ ଦିବସ ଥିବା ବେଳେ ଆସନ୍ତୁ ସେହି ଯୁଦ୍ଧର ହିରୋ କ୍ୟାପଟେନ୍‌ ବିକ୍ରମ ବାତ୍ରାଙ୍କ ବୀରତ୍ୱର ଗାଥା ଜାଣିବା।

ମେ’ ୧୯୯୯। ସେତେବେଳେ ଜମ୍ମୁ କଶ୍ମୀରର ପାଣିପାଗ ଗରମ ଥାଏ। ମେ’ର ପ୍ରଥମ ସପ୍ତାହ ଆରମ୍ଭ ହେଉହେଉ ସେନାକୁ ଖବର ମିଳିଲା ଯେ, ପାକିସ୍ତାନ ସେନା ଅନୁପ୍ରବେଶ କରିଛି। କେତୋଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସେମାନେ କବ୍‌ଜା କରିନେଲେଣି। ୨୬ ମେ ୧୯୯୯ରେ ଭାରତୀୟ ବାୟୁ ସେନା ଅନୁପ୍ରବେଶକାରୀଙ୍କ ବିରୋଧରେ ଅଭିଯାନ ଆରମ୍ଭ କଲା। ୧୯୭୧ର ଯୁଦ୍ଧ ପରେ ଭାରତୀୟ ସେନା ପକ୍ଷରୁ ୬ ଜୁନ୍ ୧୯୯୯ରେ ପାକିସ୍ତାନ ବିରୋଧରେ ସବୁଠାରୁ ବଡ଼ ଅପରେଶନ ଆରମ୍ଭ ହେଲା। ସେନା ସମ୍ମୁଖରେ ‘ପଏଣ୍ଟ ୫,୧୪୦’କୁ ନିଜ କବ୍‌ଜାକୁ ନେବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା।

ଶତ୍ରୁ କବଳରୁ ଏହି ପଏଣ୍ଟକୁ ମୁକୁଳାଇବା ପାଇଁ କ୍ୟାପଟେନ୍ ବିକ୍ରମ ବାତ୍ରାଙ୍କୁ ଦାୟିତ୍ୱ ମିଳିଲା। ଶ୍ରୀ ବାତ୍ରା ସେତେବେଳେ ‘୧୩ ରାଇଫଲ’ ଜମ୍ମୁ କାଶ୍ମୀର ଦାୟିତ୍ୱରେ ଥାଆନ୍ତି। କ୍ୟାପଟେନ୍ ବିକ୍ରମ ବାତ୍ରା ଅଦମ୍ୟ ସାହସ ଓ ବୀରତ୍ୱ ପ୍ରଦର୍ଶନ କରି ପଏଣ୍ଟ୫,୧୪୦କୁ ଅକ୍ତିଆର କରିବା ସହ ସେଠାରେ ତ୍ରିରଙ୍ଗା ଉଡ଼ାଇଲେ। ଏହା ତାଙ୍କର ପ୍ରଥମ ବିଜୟ ଥିଲା। କିନ୍ତୁ କ୍ୟାପଟେନ୍‌ ବିକ୍ରମଙ୍କର ଲକ୍ଷ୍ୟ କିଛି ଅଲଗା ଥିଲା। ଏହି ବିଜୟ ପରେ ତାଙ୍କୁ କମାଣ୍ଡର ପଚାରିଥିଲେ, “ଏବେ ତୁମେ କେମିତି ଅନୁଭବ କରୁଛ?” ଉତ୍ତରରେ କ୍ୟାପଟେନ୍ କହିଥିଲେ, “ୟେ ଦିଲ୍ ମାଙ୍ଗେ ମୋର୍।” ଯଦିଓ ଏହା ପେପସୀ କମ୍ପାନୀର ସ୍ଳୋଗାନ ଥିଲା, ସେ ଏହାର ଅର୍ଥକୁ ବଦଳାଇ ଦେଇଥିଲେ। ଶତ୍ରୁକୁ ମାତ୍ ଦେଇ ଆଗକୁ ବଢ଼ିବାର ଝୁଙ୍କ ତାଙ୍କୁ ଅଥୟ କରିଦେଉଥିଲା। ମୃତ୍ୟୁକୁ ନେଇ ବେଫିକର ଥିଲେ ବିକ୍ରମ ବାତ୍ରା।

ବିକ୍ରମ କେବଳ ମାଟି ମାଆର ସୁରକ୍ଷା ନୁହେଁ, ନିଜ ସାଥୀ ସୈନିକର ସୁରକ୍ଷା ପାଇଁ ମଧ୍ୟ ଜୀବନ ଦେବାକୁ ପ୍ରସ୍ତୁତ ଥିଲେ। ସେ ଯେଉଁ ପଣ ଓ ପ୍ରତିଜ୍ଞା କରିଥିଲେ ତାହା ହଁ ତାଙ୍କ କାର୍ଯ୍ୟଧାରାରେ ପ୍ରତିଫଳିତ ହୋଇଥିଲା। ଯୁଦ୍ଧ ବେଳେ ସେ କେବଳ ସାଥୀ ଯବାନଙ୍କର ଜୀବନ ବଞ୍ଚାଇ ନଥିଲେ ବରଂ ଜଣେ ସୁବେଦାରଙ୍କୁ ବିପଦ ମୁହଁରୁ ଟାଣି ଆଣିଥିଲେ। କାରଣ ସୁବେଦାର ବିବାହିତ ଥିଲେ। ଯୁଦ୍ଧର ଘନଘଟା ମଧ୍ୟରେ ସେ ସେହି ସୁବେଦାରଙ୍କୁ ପଛକୁ ଠେଲି ଦେଇଥିଲେ। କହିଥିଲେ, “ଆପଣଙ୍କର ପିଲାଛୁଆ ଅଛନ୍ତି। ଘରସଂସାର ଅଛି। ଯଦି ଆପଣ ସହିଦ ହୋଇ ଯାଆନ୍ତି ତେବେ ଆପଣଙ୍କ ପିଲା ଅନାଥ ହୋଇଯିବେ। ଏତିକି କହି ତାଙ୍କୁ ପଛକୁ ଠେଲି ବିକ୍ରମ ଆଗକୁ ଲମ୍ଫ ମାରିଥିଲେ। ପଏଣ୍ଟ ୫୧୪୦ ଜିତିବା ପରେ ପଏଣ୍ଟ ୪୮୭୫ ମିଶନକୁ ଛୁଇଁବା ପାଇଁ ନିଜେ ବିକ୍ରମ ବାତ୍ରା ଆଗକୁ ଆସିଥିଲେ। ଏହି ପଏଣ୍ଟରେ ଜଗିଥିବା ଶତ୍ରୁ ସିଧାସଳଖ ଜାତୀୟ ରାଜପଥ ୧କୁ ଫାୟାରିଂ କରୁଥିଲେ ।

ତଥାପି ପଏଣ୍ଟ ଉପରେ ଚଢିଥିଲେ ବିକ୍ରମ। ତୋପ, ମୋର୍ଟାର ଏବଂ ଭୟଙ୍କର ଗୁଳି ବର୍ଷା ଭିତରେ ୫ ଜଣ ଶତ୍ରୁକୁ ନିପାତ କରିଦେଇଥିଲେ ସେ। ପଏଣ୍ଟ ତ କବ୍‌ଜା ହୋଇଗଲା। ହେଲେ ଗୁଳିବିଦ୍ଧ ଲହୁଲୁହାଣ ଶରୀରରେ ଥିଲେ ମଧ୍ୟ ବିକ୍ରମ ନିସ୍ତେଜ୍ ହୋଇ ନଥିଲେ। ସେ ଗୁରୁତର ଆହତ ହୋଇଥିବାରୁ, ତାଙ୍କୁ ଫେରି ଆସିବା ପାଇଁ କୁହାଯାଇ ଥିଲା। ହେଲେ ଏଥିରେ ସେ ରାଜି ହୋଇ ନଥିଲେ। ଆଉ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଲଢ଼ିଥିଲେ। ୧୯୯୯ ମସିହା ଜୁଲାଇ ୭ ତାରିଖରେ କାରଗିଲ୍‌ର ୧୬,୦୦୦ ଫୁଟ ଉଚ୍ଚରେ ଶତ୍ରୁ ସହିତ ଲଢ଼ୁଥିବା ସମୟରେ ବିକ୍ରମ ସହିଦ ହୋଇ ଯାଇଥିଲେ। ତାଙ୍କୁ ସେତେବେଳେ ମାତ୍ର ୨୪ବର୍ଷ ବୟସ ହୋଇଥିଲା।

୧୯୭୪ ସେପ୍ଟେମ୍ବର ୯ ତାରିଖରେ ହିମାଚଳ ପ୍ରଦେଶର ପାଲମପୁରରେ ଜନ୍ମଗ୍ରହଣ କରିଥିବା ବିକ୍ରମଙ୍କୁ ମୃତ୍ୟୁ ପରେ ‘ପରମବୀର ଚକ୍ର’ରେ ସମ୍ମାନିତ କରାଯାଇଥିଲା। ମହାନ ବୀର କ୍ୟାପଟେନ୍‌ ବିକ୍ରମ ବାତ୍ରାଙ୍କୁ ଆଜିବି ତାଙ୍କର ଜନ୍ମମାଟି ଝୁରୁଛି। ଆଉ ମନେ ପକାଉଛି ତାଙ୍କର ସେଇ କଥାକୁ: “ୟା ତୋ ମେଁ ଲହରାତେ ତୀରଙ୍ଗା କେ ପିଛେ ଆଉଙ୍ଗା, ୟା ତୀରଙ୍ଗେ ମେଁ ଲିପ୍‌ଟା ହୁଆ ଆଉଙ୍ଗା,ପର୍‌ ମେଁ ଆଉଙ୍ଗା ଜରୁର୍।”



from Odisha Reporter https://ift.tt/2yamh5T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages