ଇସ୍ଲାମାବାଦ: ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ସରକାର ତାଙ୍କ ଆକାଶ ମାର୍ଗକୁ ଭାରତୀୟ ବିମାନଗୁଡ଼ିକ ପାଇଁ ବନ୍ଦ କରିଦେଇଥିଲେ। ତେବେ ଦୀର୍ଘ ୧୪୦ ଦିନ ପରେ ଆଜି ସକାଳୁ ପାକିସ୍ତାନ ସରକାର ଶେଷରେ ଏହି ଆକାଶ ମାର୍ଗକୁ ସମସ୍ତ ବ୍ୟବସାୟିକ ଓ ଘରୋଇ ବିମାନ ପାଇଁ ଖୋଲିଛନ୍ତି। ଏଥିସହ ଭାରତୀୟ ବିମାନ ଉପରେ ପାକିସ୍ତାନ ସରକାର ଲଗାଇଥିବା ପ୍ରତିବନ୍ଧକ ମଧ୍ୟ ପ୍ରତ୍ୟାହାର କରିନେଇଛନ୍ତି।
ପାକିସ୍ତାନ ସରକାର ଭାରତୀୟ ବିମାନ ଗୁଡ଼ିକ ପାଇଁ ଆକାଶ ମାର୍ଗ ବନ୍ଦ କରିଥିବାରୁ ଏୟାର ଇଣ୍ଡିଆ ସବୁଠାରୁ ଅଧିକ କ୍ଷତି ସହିଥିଲା। କାରଣ ଏୟାର ଇଣ୍ଡିଆର ବିମାନ ଗୁଡ଼ିକ ଅନ୍ତର୍ଜାତୀୟ ଉଡ଼ାଣ ବେଳେ ଅଲଗା ମାର୍ଗ ଦେଇ ଯାଉଥିଲା। ଯେଉଁଥିପାଇଁ ବିମାନ କମ୍ପାନୀକୁ ପ୍ରାୟ ୪୯୧ କୋଟି ଇତି ମଧ୍ୟରେ କ୍ଷତି ସହିବାକୁ ପଡ଼ିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତି ଅର୍ଥାତ ୧୨.୪୮ରୁ ପାକିସ୍ତାନ ସରକାର ତାଙ୍କ ଆକାଶ ମାର୍ଗ ସମସ୍ତ ବିମାନ ପାଇଁ ଖୋଲିଛନ୍ତି। ଏହାସହ ବାଲାକୋଟ ଏୟାର ଷ୍ଟ୍ରାଇକ ପୂର୍ବରୁ ଯେଉଁଭଳି ଭାବେ ଭାରତୀୟ ବିମାନଗୁଡ଼ିକ ପାକିସ୍ତାନ ଆକାଶ ମାର୍ଗକୁ ବ୍ୟବହାର କରୁଥିଲେ, ଏବେ ସେଭଳି ଭାବେ ବ୍ୟବହାର କରିପାରିବେ। ଏ ସଂକ୍ରାନ୍ତ ଏକ ନୋଟିସ୍ ପାକିସ୍ତାନ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ୧୨.୪୧ରେ ପ୍ରକାଶ ପାଇଛି। ଜରୁରୀକାଳିନ ଭିତ୍ତିରେ ପାକିସ୍ତାନ ଆକାଶ ମାର୍ଗକୁ ଖୋଲିବାକୁ ଏଥିରେ କୁହାଯାଇଛି।
ଫେବୃଆରୀ ୧୪ରେ ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦର ଆତଙ୍କବାଦୀମାନେ ପୁଲୱାମାରେ ଆକ୍ରମଣ କରିଥିଲେ। ଏଥିରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ। ଏହାର ବଦଲା ନେବାକୁ ଭାରତୀୟ ବାୟୁସେନା ଫେବୃଆରୀ ୨୬ରେ ପାକିସ୍ତାନର ବାଲାକୋଟରେ ଥିବା ଜୈଶ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହାପରେ ପାକିସ୍ତାନ ସରକାର ଭାରତୀୟ ବିମାନଗୁଡ଼ିକ ପାଇଁ ଆକାଶ ମାର୍ଗକୁ ବନ୍ଦ କରିଦେଇଥିଲେ।
ପାକିସ୍ତାନ ଆକାଶ ମାର୍ଗ ବନ୍ଦ କରିବାରୁ ଜୁଲାଇ ୨ ସୁଦ୍ଧା ଏୟାର ଇଣ୍ଡିଆକୁ ୪୯୧ କୋଟି, ସ୍ପାଇସ୍ ଜେଟରୁ ୩୦.୭୩ କୋଟି, ଇଣ୍ଡିଗୋକୁ ୨୫.୧ କୋଟି ଓ ଗୋ ଏୟାରକୁ ପ୍ରାୟ ୨.୧ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି।
from Odisha Reporter https://ift.tt/2lr8Kn8
No comments:
Post a Comment