ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାଇବେଟିସ୍ ବା ମଧୁମେହ ଆଜିକାଲି ଏକ ସାଧାରଣ ରୋଗ ହୋଇଗଲାଣି। ବିଭିନ୍ନ ବୟସର ଲୋକେ ଏଥିରେ ପୀଡ଼ିତ ହେଉଛନ୍ତି। ତେବେ ଏହି ରୋଗକୁ ନେଇ ଲୋକଙ୍କ ମନରେ ଅନେକ ଭୁଲ୍ ଧାରଣା ରହିଛି। ଏହି ରୋଗ ଓ ଏହାର ଚିକିତ୍ସାକୁ ନେଇ ଲୋକେ ଅନେକ କଥା ଆଲୋଚନା କରନ୍ତି। କିନ୍ତୁ ସେଥିରୁ ଅନେକ କଥା ଭୁଲ୍। ସେଗୁଡ଼ିକ ମଧୁମେହ ରୋଗୀଙ୍କୁ ଭୁଲ୍ ବାଟରେ ନେଇଥାଏ। ତେଣୁ ଏନେଇ ବିଶିଷ୍ଟ ଡାଇବେଟୋଲଜିଷ୍ଟ ଡାକ୍ତର ସମୀର ମିଶ୍ର କିଛି ପରାମର୍ଶ ଦେଇଛନ୍ତି। ପଢ଼ନ୍ତୁ ସେ କ’ଣ ସବୁ କହିଛନ୍ତି।
୧- ଡାଇବେଟିସ୍ ହେଲେ ଲୋକେ ଭାବନ୍ତି, ଏହା ଥରେ ହୋଇଛି ମାନେ ଆଉ ଭଲ ହେବ ନାହିଁ। ପ୍ରଥମେ ଏହାକୁ ମନରୁ କାଢ଼ିବାକୁ ପଡ଼ିବ। ଡାଇବେଟିସ୍ ଭଲ ହୋଇ ପାରିବ। ଏହାକୁ ଆପଣମାନେ ନିୟନ୍ତ୍ରଣରେ ରଖି ଅନ୍ୟମାନଙ୍କ ଭଳି ସାଧାରଣ ଜୀବନ ବଞ୍ଚି ପାରିବେ।
୨- କଲରା, ମେଥି ଓ ଜାମୁକୋଳି ମଞ୍ଜି ଭଳି ଦ୍ରବ୍ୟରେ ସୁଗାର କମ୍ କରିବା ଉପାଦାନ ରହିଛି। କିନ୍ତୁ ଏହାକୁ ଖାଇବା ପୂର୍ବରୁ ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନେବା ଭଲ। ଅନ୍ୟମାନଙ୍କ କଥାରେ ସବୁ ଚେରମୂଳି ବ୍ୟବହାର ନ କରି ଯେଉଁଗୁଡ଼ିକ ବିଜ୍ଞାନ ସମ୍ମତ, ସେସବୁ ଖାଇବା ଆବଶ୍ୟକ।
୩- ଡାଇବେଟିସ୍ ରୋଗୀଙ୍କୁ ସାରା ଜୀବନ ଇନ୍ସୁଲିନ୍ ନେବାକୁ ପଡ଼େ ବୋଲି ଯେଉଁ ଧାରଣା ରହିଛି, ତାହା ଭୁଲ୍। ଏହାକୁ ଡାଇବେଟିସ୍ର ପ୍ରଥମ ସ୍ତରରୁ ହିଁ ଦେବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ଇନ୍ସୁଲିନ୍ ନେବା ଦ୍ୱାରା ଅନେକ ପ୍ରକାର ଲାଭ ହୋଇଥାଏ ବୋଲି ବୈଜ୍ଞାନିକମାନେ ମଧ୍ୟ କହୁଛନ୍ତି। ତେଣୁ ଇନ୍ସୁଲିନ୍ ନେବାକୁ ଡରନ୍ତୁ ନାହିଁ। ପରବର୍ତ୍ତୀ ସମୟରେ ଆମେ ଇନ୍ସୁଲିନ୍ ବଦଳରେ ଔଷଧ ମଧ୍ୟ ଖାଇପାରିବା।
୪- ଯଦି ଆପଣଙ୍କ ସୁଗାର୍ ସ୍ତର ଅଧିକ ରହୁଛି, ତା’ହେଲେ ଆପଣ କାମ କରିବା ପାଇଁ ଶକ୍ତି ପାଇବେ ନାହିଁ। ଆପଣଙ୍କୁ କ୍ଲାନ୍ତ ଲାଗିବ। ଆପଣ ଯଦି ସୁଗାରକୁ ନିୟନ୍ତ୍ରଣରେ ରଖି ପାରିବେ, ତାହେଲେ ଆପଣଙ୍କ ଓଜନ ବଢ଼ିବା ସହ କାମ କରିବା ପାଇଁ ମଧ୍ୟ ଶକ୍ତି ପାଇବେ। ତେଣୁ ମଧୁମେହ ରୋଗୀ ଶାରୀରିକ କାର୍ଯ୍ୟ କରିପାରିବେ ନାହିଁ ବୋଲି କହିବା ଠିକ୍ ନୁହେଁ।
୫- ଅନେକ କହନ୍ତି, ଡାଇବେଟିସ୍ ରୋଗୀ ଗୁଡ଼ ଖାଇଲେ କିଛି ହେବନି। କିନ୍ତୁ ଏହା ଭୁଲ୍ କଥା। କାରଣ ଉଭୟ ଚିନି ଓ ଗୁଡ଼ ଆଖୁ ରସରୁ ହିଁ ତିଆରି ହୋଇଥାଏ। ଉଭୟ ଦ୍ରବ୍ୟରେ କାର୍ବୋ ହାଇଡ୍ରେଟ୍ ନାମକ ଦ୍ରବ୍ୟ ଥାଏ। ଚିନିରେ ଏହା ଅଧିକ ଥାଏ। କିନ୍ତୁ ଗୁଡ଼ରେ ଟିକେ କମ୍ ଥାଏ। ତେଣୁ ଡାଇବେଟିସ୍ ରୋଗୀ ଏହି ଦୁଇଟି ଦ୍ରବ୍ୟ ଖାଇବା କଥା ନୁହେଁ।
୬- ଏହା ଏକ ଡିଆଁ ରୋଗ ନୁହେଁ। ଆପଣଙ୍କ ଘରେ ପୂର୍ବରୁ କାହାର ଡାଇବେଟିସ୍ ଥିଲେ ଆପଣଙ୍କୁ ତାହା ହେବାର ସମ୍ଭାବନା ଥାଏ। କିନ୍ତୁ ଏହା ସ୍ୱାମୀଙ୍କ ଠାରୁ ସ୍ତ୍ରୀଙ୍କୁ ବା ସ୍ତ୍ରୀଙ୍କଠାରୁ ସ୍ୱାମୀଙ୍କୁ ଡିଏଁ ନାହିଁ। ଆପଣଙ୍କର ଡାଇବେଟିସ୍ ଥିଲେ ବି ପିତାମାତା ହୋଇପାରିବେ ଓ ସାଧାରଣ ଜୀବନ ବଞ୍ଚି ପାରିବେ।
from Odisha Reporter https://ift.tt/2lCRDz1
No comments:
Post a Comment