ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲାରେ ଏକ ନକଲି ଖଇନି କାରଖାନା ଠାବ ହୋଇଛି। ସେଠାରୁ ବିପୁଳ ପରିମାଣର ନକଲି ଖଇନି ସହ ନକଲି ବ୍ରାଣ୍ଡ ଥିବା ପ୍ୟାକିଂ ଜରି ଓ ମେସିନ୍ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁସାରେ,କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୁନାଗଡ଼ ସହରରେ ଲଙ୍କେଶ୍ୱରୀ ଟୋବାକୋ କମ୍ପାନୀ ରହିଛି। ବନଦୁର୍ଗା ଟ୍ରେଡ୍ ମାର୍କ ଥିବା ପ୍ୟାକିଂ ଜରିକୁ ଏହି କମ୍ପାନୀ ଲାଇସେନ୍ସପ୍ରାପ୍ତ କରିଛି। ମାତ୍ର ଏହି ପ୍ୟାକିଂ ଜରିକୁ ନକଲି କରି ନବରଙ୍ଗପୁର ସହରର ଇଚ୍ଛାବତୀଗୁଡ଼ାର ଏକ ଭଡ଼ା ଘରେ ନକଲି ଖଇନି ପ୍ରସ୍ତୁତ କରାଯାଉଥିଲା। ଯାହାଫଳରେ ଗତ କିଛି ମାସ ଧରି ପ୍ରକୃତ କମ୍ପାନୀର ବ୍ୟବସାୟରେ ମାନ୍ଦାବାସ୍ଥା ଦେଖାଦେଇଥିଲା।
ବିଶେଷକରି ନବରଙ୍ଗପୁର ଅଞ୍ଚଳରେ ବିକ୍ରି ପରିମାଣ କମିଯାଇଥିଲା। ଯଦ୍ୱାରା କମ୍ପାନୀ ମାଲିକଙ୍କୁ ବହୁତ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିଲା। ତେଣୁ କମ୍ପାନୀ ମାଲିକ ସନ୍ତୋଷ କୁମାର ସାହୁ ନିଜ ସ୍ତରରେ ତଦନ୍ତ ଆରମ୍ଭ କରିଥିଲେ। ଏହାପରେ ନବରଙ୍ଗପୁର ସହରରେ ନକଲି ଖଇନି ପ୍ରସ୍ତୁତ ହେଉଥିବା ସଂକ୍ରାନ୍ତରେ ସେ ଖବର ପାଇଥିଲେ। ଯାହାକୁ ନେଇ ସେ କିଛି ଦିନ ତଳେ ନବରଙ୍ଗପୁର ପୁଲିସ୍ ଷ୍ଟେସନରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୁଲିସ୍ ସହରର ଇଚ୍ଛାବତୀଗୁଡ଼ାସ୍ଥିତ ସମ୍ପୃକ୍ତ କମ୍ପାନୀରେ ଗତ କାଲି ରାତିରେ ଚଢ଼ଉ କରିଥିଲା।
ଦୀର୍ଘଦିନ ଧରି ଏହି କାରଖାନା ଚାଲୁଥିଲା ନେଇ ପ୍ରାଥମିକ ତଦନ୍ତରୁ ପୁଲିସ୍ ଜାଣିପାରିଛି। ଚଢ଼ଉ ସମୟରେ ଦୁଇଟି ମେସିନ୍, ବିପୁଳ ପରିମାଣର ନକଲି ଖଇନି, ନକଲି ବ୍ରାଣ୍ଡ ଥିବା ପ୍ୟାକିଂ ଜରି ସହ ଖଇନି ପ୍ରସ୍ତୁତ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଚଢ଼ଉ ସମୟରେ କାରଖାନା ମାଲିକ ଅନୁପସ୍ଥିତ ରହିଥିବା ବେଳେ କମ୍ପାନୀରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କୁ ଅଟକ ରଖି ପୁଲିସ୍ ତଦନ୍ତ ଆରମ୍ଭ କରିଛି।
ଏହି ଘଟଣାର କିଙ୍ଗପିଙ୍ଗ୍ କୁହାଯାଉଥିବା ସନ୍ତୋଷ କୁମାର ସାହୁ ଓରଫ୍ ପିଙ୍କୁ ସାହୁକୁ ପୁଲିସ୍ ଗିରଫ କରିପାରି ନାହିଁ। ତାକୁ ଧରିବାକୁ ପୁଲିସ୍ ଉଦ୍ୟମ ଜାରି ରଖିଛି।
from Odisha Reporter https://ift.tt/2HBCK8l
No comments:
Post a Comment