ଆଉ ମାତ୍ର ଦିନକ ପରେ ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କର ପୂଜା। ପ୍ରତି ବର୍ଷ ପରି ଏଥର ମଧ୍ୟ ସାରା ଭାରତରେ ବେଶ୍ ଧୂମ୍ଧାମ୍ରେ ଏହି ଉତ୍ସବ ପାଳନ ହେବ। ଏହି ପୂଜା ପାଇଁ ଲୋକମାନେ ଘରକୁ ଶ୍ରୀ ଗଣେଶଙ୍କର ବଡ଼ ବଡ଼ ମୂର୍ତ୍ତି ଆଣନ୍ତି ଓ ପେଣ୍ଡାଲ ପାଇଁ ମଧ୍ୟ ଭଳି କି ଭଳି ରଙ୍ଗ ବେରଙ୍ଗର ସାଜସଜା ଜିନିଷ ଆଣିଥା’ନ୍ତି। ହେଲେ ଆପଣ କେବେ ଭାବିଛନ୍ତି, ଏହି ସବୁ ଜିନିଷ ଆମ ପ୍ରକୃତିର କେତେ କ୍ଷତି କରିଥାଏ? କାରଣ ଗଣେଶଙ୍କ ମୂର୍ତ୍ତିଠୁ ଆରମ୍ଭ କରି ପେଣ୍ଡାଲ ପର୍ଯ୍ୟନ୍ତ ସବୁ ଜିନିଷ ଯେଉଁ ପଦାର୍ଥରେ ତିଆରି, ତାହା ଆମ ପ୍ରକୃତିର ଅନେକ କ୍ଷତି କରେ। ମୂର୍ତ୍ତିଗୁଡ଼ିକ ସାଧାରଣତଃ ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍ରେ ତିଆରି ହୋଇଥାଏ ଓ ପେଣ୍ଡାଲ୍ର ସାଜସଜା ସାମଗ୍ରୀ ସବୁ ଥର୍ମୋକୁଲ୍, ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ହାନିକାରକ ପଦାର୍ଥରୁ ତିଆରି ହୋଇଥାଏ।
ତେଣୁ ଏପରି ସ୍ଥିତିରେ ଆମେ କିଛି ଏଭଳି ଉପାୟରେ ଗଣେଶ ଚତୁର୍ଥୀ ପାଳନ କରିବା, ଯେଉଁଥିରେ ଉତ୍ସବ ବି ଭଲରେ ପାଳନ ହେବ ଓ ପ୍ରକୃତିର କିଛି କ୍ଷତି ବି ହେବ ନାହିଁ। ଏଥିପାଇଁ ଆମକୁ ବଜାରରେ ମିଳୁଥିବା ମୂର୍ତ୍ତି ନ କିଣି ପ୍ରକୃତିର କ୍ଷତି ନହେଲା ଭଳି ଜିନିଷରେ ମୂର୍ତ୍ତି ତିଆରି କରି କିମ୍ବା କିଣି ପୂଜା କରିବାକୁ ହେବ। ଆସନ୍ତୁ ଜାଣିବା କେଉଁଥିରେ ତିଆରି ହେବ ଏହି ମୂର୍ତ୍ତି।
ମାଟିରେ ତିଆରି ମୂର୍ତ୍ତି- ଏହି ବର୍ଷ ଆପଣ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ତିଆରି ରଙ୍ଗିନ୍ ମୂର୍ତ୍ତି କିଣିବା ପରିବର୍ତ୍ତେ ମାଟିରେ ତିଆରି ମୂର୍ତ୍ତୀ କିଣିପାରିବେ। ଆଉ ଉତ୍ସବ ପରେ ଆପଣ ଏହାକୁ ଘରର ବଗିଚାରେ ବିସର୍ଜନ କରିପାରିବେ। ଆପଣ ଯଦି ପାଣିରେ ବିସର୍ଜନ କରିବାକୁ ଚାହୁଁଛନ୍ତି, ତାହା ବି କରିପାରିବେ। କାରଣ ଏଥିରେ କୌଣସି କ୍ଷତିକାରକ ପଦାର୍ଥ ନଥାଏ। ଏହା ସହଜରେ ପାଣିରେ ମିଳେଇଯାଏ ଫଳରେ ପରିବେଶ ପ୍ରଦୂଷିତ ହୁଏ ନାହିଁ।
ପ୍ଲାଣ୍ଟେବଲ୍ ମୂର୍ତ୍ତି- ଏଥର ଗଣପତି ଉତ୍ସବରେ ଆପଣ ପ୍ଲାଣ୍ଟେବଲ୍ ମୂର୍ତ୍ତି ଆଣି ପୂଜା କରିପାରିବେ। ଏହି ମୂର୍ତ୍ତି ମାଟି ଓ ଗଛର ମଞ୍ଚିରେ ତିଆରି ହୋଇଥାଏ, ଯାହାକୁ ଆପଣ ପୂଜା ପରେ ଘରର ବଗିଚାରେ ପୋତି ଦେଇପାରିବେ। ଯାହାକି ପରବର୍ତ୍ତୀ ସମୟରେ ବଡ଼ ବୃକ୍ଷ କିମ୍ବା ଲତାରେ ପରିଣତ ହୋଇ ଆପଣଙ୍କ ଘରର ଶୋଭା ବଢ଼ାଇବ। ଆଜିକାଲି ଅନେକ ଅନ୍ଲାଇନ୍ ସପିଂ ସାଇଟ୍ରେ ଏହି ପ୍ଲାଣ୍ଟେବଲ୍ ଗଣେଶ ମୂର୍ତ୍ତି ଉପଲବ୍ଧ ହେଲାଣି।
ଗୋବର ମୂର୍ତ୍ତି- ଆମେ ସମସ୍ତେ ଜାଣିଛୁ ଯେ ଗୋବର ଏକ ଭଲ ସାରର କାମ କରିଥାଏ। ତେଣୁ ଏହାକୁ ଅନେକ କାମରେ ବ୍ୟବହାର କରାଯାଏ। ପରିବେଶ ବା ପ୍ରକୃତି ପ୍ରେମୀମାନେ ଗୋବରରୁ ତିଆରି ଅନେକ ଜିନିଷ ବ୍ୟବହାର କରନ୍ତି। ତେଣୁ ଚଳିତ ବର୍ଷ ଅନେକ ସଂସ୍ଥା ଗୋବର ତିଆରି ଗଣେଶ ମୂର୍ତ୍ତି ବିକ୍ରି କରୁଛନ୍ତି। ଯାହାକୁ ଆପଣ ପୂଜା କରି ବିସର୍ଜନ କଲେ ଆପଣଙ୍କ ଖୁସି ସହ ପରିବେଶର ମଧ୍ୟ ସୁରକ୍ଷା କରାଯାଇପାରିବ।
ଏଥିସହ ଆପଣ ପେଣ୍ଡାଲର ସାଜସଜା ପାଇଁ ପ୍ଲାଷ୍ଟିକ୍ କିମ୍ବା ଥର୍ମୋକୁଲ୍ ବା ସୋଲରେ ତିଆରି ସାମଗ୍ରୀର ବ୍ୟବହାର ନ କରି ରଙ୍ଗ ବେରଙ୍ଗର ଫୁଲ, ପତ୍ର ଓ କପଡ଼ାରେ ସଜାଇ ପାରିବେ। ଆଉ ପୂଜା ସମୟରେ ରସାୟନଯୁକ୍ତ ଧୂପକାଠି ବ୍ୟବହାର ନକରି ଅର୍ଗାନିକ୍ ବା ଫୁଲରୁ ପ୍ରସ୍ତୁତ ଧୂପକାଠି ବ୍ୟବହାର କରିପରିବେ। ସବୁଠୁ ବଡ଼ କଥା ହେଲା ପୂଜାରେ ବ୍ୟବହାର ହେଉଥିବା ଫୁଲକୁ ଏଣେତେଣେ ନ ଫିଙ୍ଗି ଆପଣ ଏହାକୁ ଖତ ରୂପେ ବ୍ୟବହାର କରିପାରିବେ।
from Odisha Reporter https://ift.tt/2zz0IN0
No comments:
Post a Comment