ବଢ଼ଛି କାହିଁକି କାର୍‌ ଦର? ସରକାରୀ ଟିକସକୁ ଦୋଷ ଦେଲେ ମାରୁତି ମୁଖ୍ୟ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 10, 2019

ବଢ଼ଛି କାହିଁକି କାର୍‌ ଦର? ସରକାରୀ ଟିକସକୁ ଦୋଷ ଦେଲେ ମାରୁତି ମୁଖ୍ୟ!

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଦେଶର ଅଟୋମୋବାଇଲ୍‌ ଶିଳ୍ପରେ ସୃଷ୍ଟି ହୋଇଛି ଭୟଙ୍କର ମାନ୍ଦାବସ୍ଥା। ଅଗଷ୍ଟ ମାସରେ କାର୍‌ ବିକ୍ରି ସର୍ବନିମ୍ନ ସ୍ତରକୁ ଗତି କରିଛି। ଗାଡ଼ି ବିକ୍ରି ଆଶଙ୍କାଜନକ ଭାବେ ହ୍ରାସ ପାଇଥିବାରୁ ମାରୁତି କମ୍ପାନୀ ଦୁଇ ଦିନ ପାଇଁ ଦୁଇଟି କାରଖାନାରେ ଉତ୍ପାଦନ ବନ୍ଦ କରିଛି। ଏହି କାରଣରୁ ଲେଲାଣ୍ଡ କମ୍ପାନୀ ମଧ୍ୟ ୧୭ ଦିନ ପାଇଁ ଉତ୍ପାଦନ ବନ୍ଦ ଘୋଷଣା କରିଛି। ସଂକଟଗ୍ରସ୍ତ ଅଟୋମୋ‍ବାଇଲ୍‌ ଶିଳ୍ପ ସରକାରୀ ହସ୍ତକ୍ଷେପ ପାଇଁ ଦାବି କରିଛି। ତେବେ ଦେଶର ସର୍ବାଧିକ ବିକ୍ରିତ ମାରୁତି କାର୍‌ କମ୍ପାନୀର ମୁଖ୍ୟ ଏଥିପାଇଁ ପରୋକ୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକୁ ଦୋଷ ଦେଇଛନ୍ତି। ଉଭୟ ସ୍ତରୀୟ ସରକାରଙ୍କର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଦେଶର ଅଟୋମୋବାଇଲ୍‌ ଶିଳ୍ପରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି ଓ ହଜାର ହଜାର ଶ୍ରମିକ କର୍ମଚାରୀ ନିଯୁକ୍ତି ହରେଇବାର ଆଶଙ୍କା ବଢ଼ିଛି ବୋଲି ସେ କହିଛନ୍ତି।

ମାରୁତି ଉଦ୍ୟୋଗ ଅଧ୍ୟକ୍ଷ ଆରସି ଭାର୍ଗବ ଗଣମାଧ୍ୟମକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ଯେ ସରକାରୀ ଟିକସ ବ୍ୟବସ୍ଥା ଯୋଗୁଁ କାର୍‌ କିଣିବା ଓ ଚଳେଇବା ଅତ୍ୟନ୍ତ ମହଙ୍ଗା ହୋଇଯାଇଛି। ଦୁଇ ଚକିଆ ଚଢ଼ୁଥିବା ଲୋକଙ୍କ ପାଇଁ ଚାରି ଚକିଆ ମାଲିକ ହେବାର ସ୍ୱପ୍ନ ଆଉ ଶସ୍ତା ହୋଇ ରହିନାହିଁ। ତେଣୁ ସର୍ବନିମ୍ନ ଦରର କାର୍‌ କିଣିବାକୁ ମଧ୍ୟ ସାଧାରଣ ଗ୍ରାହକ ଭୟ କରୁଛନ୍ତି।

ଭାର୍ଗବଙ୍କ କହିବା କଥା ହେଲା ବ୍ୟାଙ୍କ ସ୍ତରରେ ନିଷ୍ପତ୍ତି ନେବାରେ ଅଚଳାବସ୍ଥା ଓ କାର୍‌ରେ ଏୟାର ବ୍ୟାଗ ଏବଂ ଏବିଏସ ପରି ବ୍ୟବସ୍ଥା ରଖିବାକୁ ସରକାରୀ ନିର୍ଦ୍ଦେଶ ଯୋଗୁଁ କାର୍‌ ଉତ୍ପାଦନ ମହଙ୍ଗା ହୋଇଛି। ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ବୃଦ୍ଧି ସହିତ ରୋଡ଼୍ ଟ୍ୟାକ୍ସ ମଧ୍ୟ ବୃଦ୍ଧି ପାଇଛି। ସେହିପରି ସରକାର ରେଜିଷ୍ଟ୍ରେସନ ଫି ମଧ୍ୟ ବଢ଼ାଇଛନ୍ତି। ଏଥିଯୋଗୁଁ କାର୍‌ ଦର ବୃଦ୍ଧି ପାଇଛି। ଦର ଆଉ ସାଧାରଣ ଗ୍ରାହକଙ୍କ ପହଂଚ ଭିତରେ ନାହିଁ। ଏଭଳି ସ୍ଥିତିରେ ସରକାର କେବଳ ଜିଏସଟି କମେଇଲେ ଯେ ସମସ୍ୟାର ସମାଧାନ ହେବ ତାହା ସେ ବିଶ୍ୱାସ କରୁନାହାନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଟୋ ଶିଳ୍ପ ସଂଘ ବା ସିଆମ ତରଫରୁ କାର୍‌ ଉପରେ ଜିଏସଟି ହାର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ କମ୍‌ କରିବାକୁ ସରକାରଙ୍କଠାରେ ଦାବି କରାଯାଇଛି। କିନ୍ତୁ ସରକାର ଏହା କଲେ ମଧ୍ୟ କାର୍‌ ଦର ସେତେ ଅଧିକ କମିବ ନାହିଁ। ଭାର୍ଗବ କହିଛନ୍ତି ଯେ ଯେଉଁ ଲୋକ ଦୁଇ ଚକିଆ ଚଢ଼ୁଛି ସେ ଚାରି ଚକିଆ ଚଢ଼ିବାକୁ ଚାହୁଁଥିବ। କିନ୍ତୁ କାର୍‌ କିଣିବା ତାକୁ ଚଳେଇବା ତା’ ପକ୍ଷେ ଆର୍ଥିକ ବୋଝ ହୋଇଗଲେ ସେ କାର୍‌ କିଣିବ ନାହିଁ। ମାରୁତିର ସବୁଠୁ ଶସ୍ତା କାର୍‌ ଅଲ୍‌ଟୋ ବିକ୍ରି ୫୦ ପ୍ରତିଶତ ହ୍ରାସ ପାଇଛି। ଦୁଇ ଦଶନ୍ଧି ମଧ୍ୟରେ ଦେଶର ଅଟୋ ଶିଳ୍ପରେ ଏଭଳି ମାନ୍ଦାବସ୍ଥା କେବେ ଦେଖାଯାଇ ନଥିଲା।

ଭାର୍ଗବ କହିଛନ୍ତି ସରକାର କେବଳ ନିରାପତ୍ତା ପାଇଁ ଏୟାର ବ୍ୟାଗ ଇତ୍ୟାଦି ଲଗେଇବାକୁ ବାଧ୍ୟତାମୂଳକ କରିନାହାନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଗ୍ୟାସ୍‌ ନିର୍ଗମନ ପାଇଁ କଟକଣା ଜାରି କରିଛନ୍ତି। ସେହିପରି ସରକାର କାର୍‌ ବୀମା ଖର୍ଚ୍ଚ ମଧ୍ୟ ବଢ଼ାଇଛନ୍ତି। ଏହା ସହିତ ୯ଟି ରାଜ୍ୟରେ ଅତିରିକ୍ତ ଭାବେ ରୋଡ଼୍‌ ଟ୍ୟାକ୍ସ ବୃଦ୍ଧି ପାଇଛି। ଏହି କାରଣରୁ ଏଣ୍ଟ୍ରି ଲେଭ୍‌ଲ କାର୍‌ ଦର ସର୍ବନିମ୍ନ ୫୫ ହଜାର ଟଙ୍କା ବୃଦ୍ଧି ପାଇଛି।

ଉନ୍ନତ ଓ ବିକଶିତ ଦେଶଗୁଡ଼ିକରେ କାର୍‌ ନେଇ ଯେଉଁସବୁ ନିରାପତ୍ତା ନିୟମ ରହିଛି ସରକାର ଭାରତରେ ତାହା ଲାଗୁ କରୁଛନ୍ତି। ଏୟାର ବ୍ୟାଗ ଓ ଏବିଏସ ବ୍ୟବସ୍ଥାର ଉଦାହରଣ ଦେଇ ଭାର୍ଗବ କହିଛନ୍ତି ଯେ ଆପଣ ଅଧିକ ଆୟକାରୀ ଦେଶ ସହିତ ଭାରତୀୟ ଗ୍ରାହକଙ୍କୁ ତୁଳନା କରିବା ଅନୁଚିତ। ଭାରତରେ ମୁଣ୍ଡପିଛା ଆୟ ହେଲା ୨୨୦୦ ଡଲାର, ଚୀନରେ ୧୦,୦୦୦ ଡଲାର ଏବଂ ୟୁରୋପରେ ୪୦,୦୦୦ ଡଲାର। ଆପଣ ସେଠାକା ଗ୍ରାହକଙ୍କ ମାନସିକତାକୁ ଏଠାକା ଗ୍ରାହକଙ୍କ ଉପରେ ଲଦିଦେଲେ କେମିତି ହେବ? ଅଳ୍ପ ଆୟରେ ଅଧିକ ସୁବିଧା ହେବ କେମିତି?

ଏହା ପରେ ପୁଣି ରିସ୍କ ଫ୍ୟାକ୍ଟର ରହିଛି। ଯିଏ ସ୍କୁଟର ଚଢ଼ୁଛି ସେ ତୁଳନା କରିବ ଏୟାର ବ୍ୟାଗ୍‌ ଓ ଏବିଏସ୍‌ ସୁବଧା ନଥିବା ଛୋଟ କାର୍‌ କିଣିବ ନା ସ୍କୁଟର ଚଳେଇବ? କେଉଁଥିରେ ରିସ୍କ ଫାକ୍ଟର କମ୍‌? ସେ ନିଶ୍ଚୟ ବିଚାର କରିବ ଯେ ନିରାପତ୍ତା ଦୃଷ୍ଟିରୁ ସ୍କୁଟର ବରଂ ଭଲ।

ଏହା ସହିତ ଭାର୍ଗବ କହିଛନ୍ତି ଯେ ଅନେକ କମ୍ପାନୀ ସେମାନଙ୍କର ଉଚ୍ଚ ପଦାଧିକାରୀମାନଙ୍କୁ ଅତି ଉଚ୍ଚ ହାରରେ ବେତନ ଦେଉଛନ୍ତି। ଏହାକୁ ସେ ଅଶ୍ଳୀଳ ବେତନ ବୋଲି ବର୍ଣ୍ଣନା କରିଛନ୍ତି। ଜାପାନ ଏକ ସମତାଭିତ୍ତିକ ସମାଜ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ଅତ୍ୟଧିକ ଦରମା ଓ ଦେଖେଇହେବା ଉପଭୋଗ ତାରତମ୍ୟ ସୃଷ୍ଟି କରୁଛି। ଉଚ୍ଚ ପଦାଧିକାରୀଙ୍କ ଉଚ୍ଚ ଦରମା ଯୋଗୁଁ ମଧ୍ୟ କାର୍‌ ଦର ବୃଦ୍ଧି ପାଇଛି। ସେ କହିଛନ୍ତି ଯେ ଗୋଟେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସେହି କମ୍ପାନୀର ସର୍ବନିମ୍ନ ସ୍ତରର କର୍ମଚାରୀଙ୍କଠାରୁ ସର୍ବାଧିକ ୧୫-୨୦ ଗୁଣ ଅଧିକ ଦରମା ପାଇବା କଥା। ତା’ଠାରୁ ଅଧିକ ହେଲେ ତାରତମ୍ୟ ବଢ଼ିବ।



from Odisha Reporter https://ift.tt/2LmJQj7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages