ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର ): କୁନି କୁନି ପିଲାଙ୍କ କାନ୍ଧରେ ପଡ଼ୁଛି ଅତ୍ୟଧିକ ପାଠର ବୋଝ । ସ୍କୁଲ ବ୍ୟାଗ୍ର ନିର୍ଦ୍ଧାରିତ ଓଜନ ନେଇ ସରକାର ପୂର୍ବରୁ ଗାଇଡ଼ଲାଇନ ପ୍ରକାଶ କରିସାରିଥିବା ବେଳେ ଆଜିଠୁ ଯାଞ୍ଚ କଡ଼ାକଡ଼ି ହେବ। ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ପିଲାମାନଙ୍କ ବ୍ୟାଗ୍ ଓଜନ ପରଖିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଗଠନ କରିଛନ୍ତି ୩ଟି ଜିଲ୍ଲାସ୍ତରୀୟ ସ୍କ୍ୱାର୍ଡ। ଆଜିଠୁ ଏହି ସ୍କ୍ୱାର୍ଡ ଅଚାନକ ଗସ୍ତ କରିବ।
ସ୍କ୍ୱାର୍ଡ ସଦସ୍ୟମାନେ ବିଭିନ୍ନ ସ୍କୁଲକୁ ଅଚାନକ ପରିଦର୍ଶନରେ ଯାଇ ପିଲାମାନଙ୍କ ବ୍ୟାଗ୍ ଓଜନ ପରଖିବେ । ଯାଞ୍ଚ ସମୟରେ ଯଦି କୌଣସି ବ୍ୟାଗ୍ର ଓଜନ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଥାଏ କିମ୍ବା ଆଇନ ଉଲ୍ଲଂଘନ ହୋଇଥାଏ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଦର୍ଶାଯାଇଛି ।
ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସ୍କୁଲ ବ୍ୟାଗ୍ ଓଜନ ହ୍ରାସ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପୂର୍ବରୁ ସବୁ ଜିଲ୍ଲାପାଳ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସିବିଏସଇ ଓ ଆଇସିଏସଇ ବୋର୍ଡ ଦ୍ୱାରା ପରିଚାଳିତ କିଛି ସ୍କୁଲରେ ପିଲାମାନେ ଅତ୍ୟଧିକ ଓଜନର ବ୍ୟାଗ୍ ଧରି ସ୍କୁଲ ଯାଉଥିବା ନେଇ ପୂର୍ବରୁ ବହୁ ଅଭିଯୋଗ ହୋଇ ଆସୁଥିଲା। ଏଥିଯୋଗୁ ପିଲାମାନେ ମାନସିକ ଓ ଶାରୀରିକ ଚାପର ସମ୍ମୁଖୀନ ହେଉଥିଲେ। ଛାତ୍ରଛାତ୍ରୀଙ୍କୁ SCERT/NCERT ବହି ପଢ଼ିବାକୁ କୁହାଯାଉଥିଲେ ବି ଏହି ନିୟମ ପାଳନ କରାଯାଉନି ।
ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ମାସରେ କେନ୍ଦ୍ର ମାନବସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସ୍କୁଲଗୁଡ଼ିକରେ ପିଲାଙ୍କ ବ୍ୟାଗର ଓଜନ ହ୍ରାସ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କେଉଁ ଶ୍ରେଣୀର ପିଲା କେତେ ଓଜନର ବ୍ୟାଗ ଧରିବେ ତାହା ନିର୍ଦ୍ଧାରଣ କରାଯିବା ସହ ପିଲାଙ୍କ ପୁସ୍ତକ ଓ ହୋମୱାର୍କକୁ ନିୟନ୍ତ୍ରିତ କରିବାକୁ କୁହାଯାଇଥିଲା। କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବା ନେଇ ଜିଲ୍ଲାପାଳମାନଙ୍କୁ କଡ଼ା ତାଗିଦ୍ କରିଥିଲେ। ତେଣୁ ନିୟମକୁ କଡ଼ାକଡ଼ି କରିବାକୁ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଅଚାନକ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଥିଲା ସ୍କୁଲ ଓ ଗଣଶିକ୍ଷା ବିଭାଗ ।
ଉଲ୍ଲେଖଯୋଗ୍ୟ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ସ୍କୁଲ ବ୍ୟାଗ ଦେଢ଼ କିଲୋ ମଧ୍ୟରେ ସୀମିତ ରଖିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ତୃତୀୟ,ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲାଙ୍କ ସ୍କୁଲ ବ୍ୟାଗ ୨-୩ କିଲୋ, ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ବ୍ୟାଗ ୪ କିଲୋ, ଅଷ୍ଟମ-ନବମ ଶ୍ରେଣୀ ପିଲାଙ୍କ ବ୍ୟାଗ ସାଢ଼େ ୪କିଲୋ ଏବଂ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗ ୫କିଲୋ ମଧ୍ୟରେ ସୀମିତ ରଖିବାକୁ କୁହାଯାଇଥିଲା।
from Odisha Reporter https://ift.tt/2LVvhSX
No comments:
Post a Comment