କଟକ(ଓଡ଼ିଶା ରିପୋର୍ଟର): କଟକ ଏସ୍ସିବି ମେଡିକାଲରେ ଚିକିତ୍ସାଧୀନ ଥିବା କାଳିଆର ସ୍ୱାସ୍ଥ୍ୟାବସ୍ଥା କ୍ରମଶଃ ସୁଧୁରୁଛି। କାଳିଆକୁ ଏବେ ଭେଣ୍ଟିଲେଟର ବିନା ରଖାଯାଇଛି। ସେ ସ୍ୱାଭାବିକ ଭାବେ ଶ୍ୱାସକ୍ରିୟା କରିପାରୁଥିବାରୁ ଅକ୍ସିଜେନର ଆବଶ୍ୟକତା ପଡ଼ୁନଥିବା ଏସ୍ସିବିର ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି।
ପୂର୍ବରୁ କାଳିଆକୁ କେବଳ କ୍ଷୀର ଓ ଶୁଖିଲା ଖାଦ୍ୟ ଦିଆଯାଉଥିବା ବେଳେ ଗତକାଲିଠାରୁ ସେ ରନ୍ଧା ଖାଦ୍ୟ ଖାଇବା ଆରମ୍ଭ କରିଛି। ଡାଏଟିସିଆନଙ୍କ ପରାମର୍ଶ କ୍ରମେ ଦିନବେଳା ଖେଚୁଡ଼ି ଓ ରାତିରେ ସୁଜି ଗ୍ରାଇଣ୍ଡିଂ କରି ଖାଇବାକୁ ଦିଆଯାଉଛି। ତାର ଖାଦ୍ୟର ପରିମାଣ ମଧ୍ୟ ବଢ଼ାଇ ଦିଆଯାଇଛି।
କିଛି ଦିନ ତଳେ କାଳିଆର ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାକୁ ଭେଣ୍ଟିଲେଟରରେ ରଖାଯାଇଥିଲା।
ଦୀର୍ଘ ୨ ବର୍ଷର ଚିକିତ୍ସା ପରେ ସେପ୍ଟେମ୍ବର ୭ ତାରିଖରେ ଦିଲ୍ଲୀ ଏମ୍ସରୁ ଜଗା ଓ କାଳିଆ ଓଡ଼ିଶା ଫେରିଥିଲେ। ତା’ପରଠାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍ ଆଇସିୟୁରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗାକାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ୨୦୧୭ରେ ଏ ଦୁଇ ଭାଇ ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବା ଖବର ପ୍ରଥମେ ଓଟିଭିରେ ପ୍ରସାରିତ ହୋଇଥିଲା। ଏହାପରେ ରାଜ୍ୟ ସରକାର ତତ୍ପରତା ଦେଖାଇ ଶିଶୁଦ୍ୱୟଙ୍କୁ ଦିଲ୍ଲୀ ଏମ୍ସକୁ ପଠାଇବା ସହ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଥିଲେ।
from Odisha Reporter https://ift.tt/2pvrtzT
No comments:
Post a Comment