‘ମୋ ନାମ ରାହୁଲ ସାଭରକର ନୁହେଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 14, 2019

‘ମୋ ନାମ ରାହୁଲ ସାଭରକର ନୁହେଁ’

ନୂଆଦିଲ୍ଲୀ: ଦିଲ୍ଲୀ ରାମଲୀଳା ମଇଦାନରେ କଂଗ୍ରେସ ଆଜି ‘ଭାରତ ବଞ୍ଚାଅ ରାଲି’ ଜରିଆରେ ମୋଦି ସରକାର ବିରୋଧରେ ବର୍ଷିଛି। ନାଗିରକତା ଆଇନ, ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ, ଚାଷୀ ସମସ୍ୟା, ବେରୋଜଗାର ଓ ଅର୍ଥବ୍ୟବସ୍ଥା ଆଦିକୁ ପ୍ରସଙ୍ଗ କରି କେନ୍ଦ୍ର ବିରୋଧରେ ଗର୍ଜିଛି କଂଗ୍ରେସ। ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ ରାଲିକୁ ପ୍ରଥମେ ଉଦବୋଧନ ଦେବାକୁ ଯାଇ କେନ୍ଦ୍ରର ଅର୍ଥନୀତି ଉପରେ ବର୍ଷିଛନ୍ତି। ସେହିପରି ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ମହିଳାଙ୍କ ବିରୋଧରେ ବଢ଼ୁଥିବା ଅତ୍ୟାଚାର, ଚାଷୀଙ୍କ ସମସ୍ୟାକୁ ନେଇ ସରକାରକୁ ସମାଲୋଚନା କରିଛନ୍ତି। ଦେଶରେ ବଢ଼ୁଥିବା ଅନ୍ୟାୟ ବିରୋଧରେ ଲଢ଼ିବା ପାଇଁ ସମସ୍ତଙ୍କୁ ଏହି ରାଲି ମାଧ୍ୟମରେ ଆହ୍ୱାନ କରିଛନ୍ତି ପ୍ରିୟଙ୍କା।

ମନମୋହନ ସିଂହ କ’ଣ କହିଲେ?

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି, କଂଗ୍ରେସକୁ ମଜବୁତ କରିବା ପାଇଁ ସମୟ ଆସିଯାଇଛି। ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଦଳକୁ ପୁଣିଥରେ ମଜବୁତ କରିବାର ସମୟ ଆସିଛି। ଫଳରେ ଦେଶ ସଠିକ ମାର୍ଗରେ ଚାଲିପାରିବ ବୋଲି ସେ କହିଛନ୍ତି।

ରାହୁଲ ଗାନ୍ଧି କ’ଣ କହିଲେ?

ରାହୁଲ ଗାନ୍ଧି ଉଦବୋଧନ ଦେବାକୁ ଯାଇ ସ୍ୱାଧୀନତା ସଂଗ୍ରାମୀ ସାଭରକରଙ୍କ ନାମକୁ ଯୋଡି କହିଛନ୍ତି, ମୋ ନାମ ରାହୁଲ ସାଭରକର ନୁହେଁ, ରାହୁଲ ଗାନ୍ଧି। ମୁଁ ସତ କହିବାକୁ ଯାଇ କେବେ କ୍ଷମା ମାଗିବିନି। ନା କେହି କଂଗ୍ରେସ ନେତା ଓ କର୍ମୀ ମାଗିବେ। କ୍ଷମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସହଯୋଗୀ ଅମିତ ଶାହ ମାଗିବେ।

ନୋଟବନ୍ଦୀ କଥା ମନେପକାଇବାକୁ ଯାଇ ରାହୁଲ କହିଛନ୍ତି, ଆପଣଙ୍କର ମନେ ଥିବ ରାତି ୮ଟାରେ ଟିଭିରେ କୁହାଯାଇଥିଲା ଭାଇ ଓ ଭଉଣୀମାନେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ବନ୍ଦ ହେଲା। ଏହାପରେ ଦେଶର ଅର୍ଥବ୍ୟବସ୍ଥା ଯେଉଁଭଳି ସ୍ଥିତିକୁ ଯାଇଛି ଏଯାଏ ଠିକ୍ ହୋଇପାରିନି। ଦେଶର ୨-୩ ଜଣ ଉଦ୍ୟୋଗପତିଙ୍କ ଟଙ୍କା ଧରା ହୋଇଛି ହେଲେ ବାକି ବ୍ୟବସାୟୀଙ୍କୁ ଧରା ହୋଇନି। ଗତ ୫ ବର୍ଷରେ ମୋଦି ସରକାର ଆଦାନୀକୁ ୫୦ଟି ବଡ଼ ବଡ଼ କାମର ଠିକା ଦେଇଛନ୍ତି। ବିନା କୌଣସି ନିଲାମୀରେ ବିମାନ ବନ୍ଦର ତିଆରି ଦାୟିତ୍ୱ ଦେଇଛନ୍ତି। ଏହାକୁ ଦୁର୍ନୀତି, ଚୋରି କୁହାଯିବନି ତ ଆଉ କ’ଣ କୁହାଯିବ ବୋଲି ରାହୁଲ ଗାନ୍ଧି କହିଛନ୍ତି।

ଆପଣଙ୍କ ପକେଟରୁ ନରେନ୍ଦ୍ର ମୋଦି ସରକାର ଟଙ୍କା କାଟୁଛି। ଆଜି ଦେଶର ଅଭିବୃଦ୍ଧି ହାର ୪ ପ୍ରତିଶତ ରହିଛି। ହେଲେ ଅଭିବୃଦ୍ଧିର ପୁରୁଣା ଶୈଳୀକୁ ଯଦି ଦେଖିବା ତାହେଲେ ଦେଶର ଅଭିବୃଦ୍ଧି ୨.୫ ପ୍ରତିଶତ ରହିଛି ବୋଲି ରାହୁଲ କହିଛନ୍ତି। ମୁଁ ଥରେ ସଂସଦରେ ପଚାରିଲି ଦେଶରେ ମୋଦି ସରକାର ଚାଲିଛି, ଦେଶରେ ଚାଷୀ କେତେ ଆତ୍ମହତ୍ୟା କଲେଣି? ହେଲେ ଜବାବରେ ସରକାର କହିଥିଲେ ଜଣାନାହିଁ।

ସେହିପରି ଦେଶର ଗଣମାଧ୍ୟମ ଉପରେ ମଧ୍ୟ ବର୍ଷିଛନ୍ତି ରାହୁଲ। ତାଙ୍କ ସରକାର ଉପରେ ଆକ୍ରମଣାତ୍ମକ ଭାବରେ ଖବର ପ୍ରସାରଣ କରୁଥିଲେ। ହେଲେ ଏବେ କ’ଣ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଭୟ କରିବାର ନାହିଁ ଆପଣଙ୍କ ସହିତ କଂଗ୍ରେସ ରହିଛି। ଘୃଣା ବିରୋଧରେ ମିଳିମିଶି ଲଢ଼ିବା ବୋଲି ସେ କହିଛନ୍ତି।

ପ୍ରିୟଙ୍କା ଗାନ୍ଧି କ’ଣ କହିଲେ?

ଭାରତ ଅହିଂସାର ଦେଶ। ପ୍ରତ୍ୟେକ ବ୍ୟକ୍ତି ଏଠି କାନ୍ଧକୁ କାନ୍ଧ ମିଶାଇ ଆଗକୁ ବଢ଼େ। ହେଲେ ସବୁଠି ଏବେ କମ୍ପାନୀ ବନ୍ଦ ହେଉଛି। ଲୋକମାନେ ଚାକିରୀ ହରାଉଛନ୍ତି। ହେଲେ କାନ୍ଥ ବାଢ଼ରେ ଲେଖାଯାଉଛି ‘ମୋଦି ହେ ତ ମୁମକିନ ହୈ’। ଦେଶର ପ୍ରତ୍ୟେକ ନାଗରକିକକୁ ଆହ୍ୱାନ କରିବାକୁ ଯାଇ ପ୍ରିୟଙ୍କା କହିଛନ୍ତି, ଯେଉଁମାନେ ସଚ୍ଚା ଦେଶପ୍ରେମୀ ଅନ୍ୟାୟ ବିରୋଧରେ ଲଢ଼ିବା ଆରମ୍ଭ କର, ଆଜି ଦେଶ ଅନ୍ୟାୟରେ ଚାଲୁଛି। ଆଜି ଯିଏ ଅନ୍ୟାୟ ବିରୋଧରେ ନଲଢ଼ିବ ସେ ଇତିହାସରେ ଭୀରୁ ପାଲଟିବ। ଦେଶରେ ଉଦ୍ୟୋଗପତିଙ୍କ ଋଣ ଛାଡ଼ ହେଉଛି, ହେଲେ ଚାଷୀଙ୍କର ନୁହେଁ। ଅନ୍ୟାୟ ବିରୋଧରେ ଲଢ଼ିବା ପାଇଁ ସମୟ ଆସିଯାଇଛି। ବୋଲି ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି।

ପି. ଚିଦାମ୍ୱରମ କ’ଣ କହିଲେ?

ପି. ଚିଦାମ୍ବରମ ରାଲିକୁ ପ୍ରଥମେ ଉଦୋବଧନ ଦେବାକୁ ଯାଇ କେନ୍ଦ୍ରର ଅର୍ଥନୀତି ଉପରେ ବର୍ଷିଛନ୍ତି। ଆଜି ଭାରତର ଅର୍ଥବ୍ୟବସ୍ଥା ଭୁଶୁଡ଼ିଯାଇଛି। ହେଲେ ମନ୍ତ୍ରୀଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ଦେଶରେ ବେରୋଜଗାର ବୃଦ୍ଧି ପାଇଛି। କାରଖାନା, ଓ୍ୱାର୍କଶପ ବନ୍ଦ ହୋଇଯାଉଛି। ଲୋକମାନେ ଚାକିରୀ ହରାଉଛନ୍ତି। ଗତକାଲିର ସ୍ଥିତି ଅପେକ୍ଷା ଆଗାମୀ ଦିନର ସ୍ଥିତି ଅଧିକ ଖରାପ ହେଉଛି। ଏଥିପାଇଁ ମୋଦି ସରକାରର ଅର୍ଥବ୍ୟବସ୍ଥା ଦାୟୀ ବୋଲି ଚିଦାମ୍ୱରମ କହିଛନ୍ତି। ଛଅ ମାସ ହେବ ଦେଶର ଅର୍ଥବ୍ୟବସ୍ଥା ଭୁଶୁଡ଼ି ଗଲାଣି। ତଥାପି ଅର୍ଥମନ୍ତ୍ରୀ କହୁଛନ୍ତି ସବୁକିଛି ଠିକ୍ ଠାକ୍ ରହିଛି। ଏବେ ବି ଭାରତ ଦୁନିଆରେ ଶୀର୍ଷ ସ୍ଥାନରେ ରହିଛି। ଶାସକ ଦଳର ମନ୍ତ୍ରୀମାନେ ଅଚ୍ଛେ ଦିନ କେବେ ଆସିବ ବୋଲି କହିବେ କି ବୋଲି ଚିଦାମ୍ୱରମ କହିଛନ୍ତି।



from Odisha Reporter https://ift.tt/2tcrkmU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages