ମୁମ୍ୱାଇ: ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। ଏହି ସମ୍ପ୍ରସାରଣକୁ ନେଇ ମହା ବିକାଶ ଅଘାଡ଼ି ମେଣ୍ଟ (ଶିବସେନା-ଏନସିପି-କଂଗ୍ରେସ) ସରକାରରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ମେଣ୍ଟରେ ସାମିଲ୍ ଥିବା ତିନି ଦଳର ମୋଟ ୩୬ ଜଣ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ନୂଆ ମନ୍ତ୍ରିମଣ୍ଡଳରେ ଶିବସେନାର ସାଂସଦ ସଞ୍ଜୟଙ୍କ ପରାମର୍ଶକୁ ଉଦ୍ଧବ ଓ ଆଦିତ୍ୟ ଠାକରେ ନଜର ଅନ୍ଦାଜ କରିଥିବାରୁ ଏହି ଫାଟ ସୃଷ୍ଟି ହୋଇଛି। କଂଗ୍ରେସର ୧୨, ଏନସିପିର ୧୪ ଏବଂ ଶିବସେନାର ୧୬ ଜଣ ବିଧାୟକ କ୍ୟାବିନେଟ ଓ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।
ଉଦ୍ଧବ ତାଙ୍କ ମନ୍ତ୍ରିମଣ୍ଡଳରେ ଅଳ୍ପ ବରିଷ୍ଠ ନେତା ଏବଂ ଅଧିକାଂଶ ଯୁବ ବର୍ଗଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ୍ କରିଛନ୍ତି। ହେଲେ ବାଦ୍ ପଡ଼ିଥିବା ବରିଷ୍ଠ ବିଧାୟକମାନେ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏମିତିକି ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି। ମେଣ୍ଟ ନେତାଙ୍କର ଏଭଳି ବିଦ୍ରୋହ ଆଗକୁ ଉଦ୍ଧବଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିପାରେ ବୋଲି ଆକଳନ ହୋଇଛି।
ଏହି ଶପଥ ସମାରୋହକୁ ଶିବସେନାର ତୁଣ୍ଡ ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଆସିନଥିଲେ। ସେହିପରି ଏନସିପି ବିଧାୟକ ପ୍ରକାଶ ସୋଲାଙ୍କି ନୂଆ ମନ୍ତ୍ରିମଣ୍ଡଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏବେ ସେ ବିଧାୟକ ପଦବୀରୁ ଇସ୍ତଫା ଦେବେ ବୋଲି କହିଛନ୍ତି।
ସେହିପରି ନୂଆ ମନ୍ତ୍ରିମଣ୍ଡଳରେ ୧୨ ଜଣ ଶିବସେନା ବିଧାୟକ ସାମିଲ ହେବାକୁ ନେଇ ଶିବସେନା ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ଥିବା ଦେଖିବାକୁ ମିଳିଛି। ବିକ୍ରୋଲିରୁ ବିଧାୟକ ହୋଇଥିବା ସୁନୀଲ ରାଉତ କହିଛନ୍ତି ଆଦିତ୍ୟ ଠାକରେଙ୍କ ସହ ତାଙ୍କର ଆଲୋଚନା ହୋଇଥିଲା। ସେ ମନ୍ତ୍ରିମଣ୍ଡଳରେ ସାମିଲ୍ ହେବାର ଥିଲା। ହେଲେ ଅନ୍ତିମ ସମୟରେ ତାଙ୍କୁ ବାଦ୍ ଦିଆଯାଇଛି। ଏବେ ସେ ବିଧାୟକ ପଦବୀରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଭାଇ ହେଉଛନ୍ତି ବିଧାୟକ ସୁନୀଲ ରାଉତ।
ଶିବସେନା ସାଂସଦ ସଞ୍ଜୟ ରାଉତ ମଧ୍ୟ ମନ୍ତ୍ରିମଣ୍ଡଳରେ ତାଙ୍କ ପସନ୍ଦର ବିଧାୟକଙ୍କୁ ସୁଯୋଗ ଦିଆଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ସେ ଶପଥ ସମାରୋହକୁ ଆସିନଥିଲେ ବୋଲି କୁହାଯାଉଛି। ନିଜ ଭାଇ ସୁନୀଲଙ୍କୁ ମନ୍ତ୍ରିମଣ୍ଡଳରେ ଉଦ୍ଧବ ଠାକରେ ସାମିଲ କରିନଥିବାରୁ ସଞ୍ଜୟ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି।
ସେହିପରି ଶିବସେନାର ଅନ୍ୟ ବିଧାୟକ ସୁନୀଲ ପ୍ରଭୁ, ରବୀନ୍ଦ୍ର ବେକର ମଧ୍ୟ ଶପଥ ସମାରୋହରେ ସାମିଲ୍ ହୋଇନଥିଲେ। ବିଦର୍ଭ ଆସନର ଶିବସେନା କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ଉଦ୍ଧବଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କ ବିଧାୟକଙ୍କୁ ସୁଯୋଗ ମିଳିନାହିଁ। ବିଦର୍ଭରେ ଚାଷୀ ସମସ୍ୟା ରହିଛି। ଆତ୍ମହତ୍ୟା କରିଥିବା ଅଧିକାଂଶ ଚାଷୀ ଏହି ଅଞ୍ଚଳର। ତେଣୁ ବିଦର୍ଭ ବାସୀଙ୍କର ଆଶା ଥିଲା ତାଙ୍କ ନେତା ମନ୍ତ୍ରୀ ହେବେ।କାହିଁକି ତାଙ୍କ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଗଲାନି ସେ ନେଇ ଦଳୀୟ କର୍ମୀ ଓ ନେତା ଠାକରେଙ୍କ ବାସଭବନକୁ ଆସି କୈଫତ ମାଗିଥିବା ଜଣାପଡ଼ିଛି।
ଅନ୍ୟପଟେ ମହା ବିକାଶ ଅଘାଡି ମେଣ୍ଟରେ ସାମିଲ୍ ଥିବା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହ୍ୱାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ରହିଛି।
from Odisha Reporter https://ift.tt/2u6k6Bw
No comments:
Post a Comment