ଉଦଳା(ମାନସ ପାଣି): ଅକ୍ଟୋବରରୁ ଏକ୍ସପାଏରୀ ତାରିଖ ଶେଷ ହୋଇଥିବା ସାଲାଇନ୍ ରୋଗୀଙ୍କୁ ଡିସେମ୍ବରରେ ଦିଆଯାଉଛି। ଆଉ ସାଲାଇନ ଦେଉଥିବା ଡାକ୍ତରଙ୍କୁ ଏ ସମ୍ପର୍କରେ ପଚାରିବାରୁ ଏଥିରେ ତାଙ୍କର କିଛି ଦୋଷ ନାହିଁ। ଏହା ଦେଖିବା ନର୍ସଙ୍କ କାମ କହି ନିଜ ଉପରୁ ଦୋଷ ଖସାଇ ଦେଇଛନ୍ତି।
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଗୋଷ୍ଠୀ ଗୋସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଜୀବନ ସହ ଏପରି ଖେଳ ଚାଲୁଥିବା ଘଟଣା ପଦାକୁ ଆସିବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍ ଏହି ଘଟଣାରେ ଡାକ୍ତର ଉମାକାନ୍ତ ବାସ୍କେଙ୍କୁ ଅଟକ ରଖି ପଚରାଉଚରା କରିଥିବା ଜଣାପଡ଼ିଛି ।
ଅଭିଯୋଗ ଅନୁସାରେ, ସ୍ଥାନୀୟ ଦୁଣ୍ଡରିଆ ଗାଁର ନରେନ୍ଦ୍ର ନାଥ ମହାନ୍ତି ଡାଇରିଆରେ ଆକ୍ରାନ୍ତ ହୋଇ ଗତକାଲି ଚିକିତ୍ସା ପାଇଁ କପ୍ତିପଦା ମେଡିକାଲରେ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କୁ ଦିଆଯାଇଥିବା ସାଲାଇନ ଗତ ଅକ୍ଟୋବରରୁ ଏକ୍ସପାଏରୀ ହୋଇଥିବା ତାଙ୍କ ପୁଅ ଦେଖିବାକୁ ପାଇଥିଲେ । ଏକ୍ସପାରୀ ହୋଇଥିବା ଏହି ସାଲାଇନ ରୋଗୀଙ୍କୁ କିପରି ଦିଆଗଲା,ଏହାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା।
ଅନ୍ୟପକ୍ଷରେ ଏ ସମ୍ପର୍କରେ ପଚାରିବାରୁ ସାଲାଇନ ଦେଇଥିବା ନର୍ସଙ୍କ ଉପରକୁ ଦୋଷ ଠେଲିଛନ୍ତି ଡାକ୍ତର। ଏକ୍ସପାଇରୀ ତାରିଖ ଦେଖିବା ତାଙ୍କ କାମ ନୁହେଁ ବୋଲି ସଫା ସଫା କହି ଦେଇଛନ୍ତି ଡାକ୍ତର ଉମାକାନ୍ତ ବାସ୍କେ । ଡାକ୍ତରଙ୍କ ଏପରି ମୁହଁ ଟାଣ ଦେଖି ଉତ୍ତ୍ୟକ୍ତ ଲୋକେ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କୁ ଘେରି ରହିଥିଲେ। ପୁଲିସ୍ ପହଞ୍ଚି ତାଙ୍କୁ ଥାନାକୁ ନେବା ପରେ ଉତ୍ତେଜନା ପ୍ରଶମିତ ହୋଇଛି।
ଏହାପରେ ରୋଗୀ ନରେନ୍ଦ୍ର ନାଥ ମହାନ୍ତିଙ୍କୁ ସମ୍ପର୍କୀୟମାନେ କପ୍ତିପଦା ମେଡିକାଲରୁ ଉଦଳା ମେଡିକାଲ ନେଇଯାଇଥିବା ଜଣାଯାଇଛି। ସାଲାଇନ୍ ଏକ୍ସପାରୀ ତାରିଖ ଯିବାର ମାସେ ଦେଢ଼ମାସ ପରେ ମଧ୍ୟ ଏହାକୁ ନଷ୍ଟ ନ କରି ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିଲା କାହିଁକି ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ବ୍ୟବହାର ସମୟରେ ଡାକ୍ତର, ନର୍ସ ତାରିଖ ଦେଖୁ ନ ଥିବାରୁ ରୋଗୀ ଜୀବନ ସହ କିପରି ଖେଳ ଚାଲିଛି ତାହା ସ୍ପଷ୍ଟ ଜଣାପଡ଼ୁଛି।
5T ଯୋଜନା ଲାଗୁ ହେବା ଦିନଠାରୁ ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦିଆଯାଉଥିବା ଡିଣ୍ଡିମ ପିଟୁଛନ୍ତି ସରକାର। କିନ୍ତୁ ପ୍ରକୃତରେ ରୋଗୀ ସରକାରୀ ଡାକ୍ତରଖାନାରେ କିପରି ସେବା ପାଉଛି, ତାହା ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି।
from Odisha Reporter https://ift.tt/36EMZTf
No comments:
Post a Comment