ନାସାର ‘ବିକ୍ରମ’ ଠାବ ପଛରେ ଭାରତୀୟ ଶାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 2, 2019

ନାସାର ‘ବିକ୍ରମ’ ଠାବ ପଛରେ ଭାରତୀୟ ଶାନ୍‌

ନୂଆଦିଲ୍ଲୀ: ଭାରତର ବହୁ ଚର୍ଚ୍ଚିତ ମିଶନ୍‌ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର ବେଶ କିଛି ଦିନ ପରେ ଏହାର ଧ୍ୱଂସାବଶେଷର ଅବସ୍ଥିତି ନେଇ ଠୋସ୍‌ ପ୍ରମାଣ ମିଳିଛି। ଆଉ ସବୁଠାରୁ ବଡ଼ କଥା ହେଉଛି ଏଥିରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଭାରତୀୟ ଯୁବ ଇଞ୍ଜିନିୟର ଶାନ୍‌ମୁଗା ସୁବ୍ରମଣିଆନ୍‌ ଓରଫ ଶାନ୍‌ଙ୍କୁ ନାସା ଶ୍ରେୟ ଦେଇଛି। ପୁରୁଣା ଏବଂ ନୂଆ ଅର୍ଥାତ ବିକ୍ରମ କ୍ରାଶ୍‌ଲ୍ୟାଣ୍ଡ କରିବା ପୂର୍ବର ଏବଂ ପର ସମୟର ଫଟୋକୁ ତୁଳନାତ୍ମକ ଭାବେ ବାରମ୍ବାର ଦେଖି ଶାନ୍‌ ବିକ୍ରମର ଧ୍ୱଂସାବଶେଷକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଠାବ କରିପାରିଥିଲେ।


ମଙ୍ଗଳବାର ଏନେଇ ଏକ ପୋଷ୍ଟ କରି ନାସା ପକ୍ଷରୁ କୁହାଯାଇଥିଲା ଏହା ଭାରତର ବିକ୍ରମ ଲ୍ୟାଣ୍ଡରର ଧ୍ୱଂସାବଶେଷ ପାଇଛି। ବିକ୍ଷିପ୍ତ ହୋଇ ବିଭିନ୍ନ ସ୍ଥାନରେ ପଡ଼ିଥିବା ସ୍ଥାନକୁ ସୁବ୍ରମଣିଆନ୍‌ ଠାବ କରିବା ପରେ ଏହା ‘ଏସ୍‌’ କ୍ଷର ଦ୍ୱାରା ସୂଚିତ କରାଯାଇଥିଲା।


ନାସା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଲୁନାର ରେକନ୍ନାଇଜାନ୍ସ ଅର୍ବିଟର ପ୍ରକଳ୍ପର କ୍ୟାମେରା ଟିମ୍‌ ଚନ୍ଦ୍ରପୃଷ୍ଠର ବିଭିନ୍ନ ଫଟୋ ରିଲିଜ୍‌ କରିଥିଲେ। ଏହା ମହାକାଶରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଛଡ଼ାଯାଇଥିଲା। ତେବେ ଏହି ଫଟୋସବୁ ଏବଂ ପୁରୁଣା ଫଟୋସବୁକୁ ଅନୁଶୀଳନ କରି ଶାନ୍‌ ଏଲ୍‌ଆରଓ ପ୍ରକଳ୍ପ ଟିମ୍‌କୁ ଧଳା ଚିହ୍ନିତ ସ୍ଥାନ ବାବଦରେ ସୂଚନା ଦେଇଥିଲେ। ଏହା ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠ ଯିବା ପୂର୍ବରୁ ନଥିଲା। ନାସା ପକ୍ଷରୁ କୁହାଯାଇଛି ଏଲ୍‌ଆରଓକୁ ପ୍ରଥମେ ଶାନ୍‌ଙ୍କଠାରୁ ସକାରାତ୍ମକ ବାର୍ତ୍ତା ଆସିଥିଲା। ଏହାପରେ ଟିମ୍‌ ନିଜେ ଗବେଷଣା ଆରମ୍ଭ କରି ଏହା ହିଁ ବିକ୍ରମର ଅବତରଣସ୍ଥଳ ବୋଲି ନିଶ୍ଚିତ କରିଥିଲା।

ଶାନ୍‌ ବେଶ କିଛି ଦିନ ଧରି ଚନ୍ଦ୍ରପୃଷ୍ଠର ଫଟୋସବୁକୁ ସ୍କାନ କରିଆସୁଥିଲେ। ସେ ଯଦିଓ କିଛି ସକାରାତ୍ମକ ତଥ୍ୟ ପାଇଥିବା ଟ୍ୱିଟରରେ ଘୋଷଣା ପୂର୍ବରୁ କରିଥିଲେ, ଟ୍ୱିଟର ବ୍ୟବହାରକାରୀମାନେ ଏହାକୁ ମିଛ ପ୍ରମାଣିତ କରିଆସିଥିଲେ। ତେବେ ସେ ରେଡ୍ଡିଟ୍‌ ଫୋରମ୍‌ରୁ ଲ୍ୟାଣ୍ଡିଂ ଲୋକେସନ୍‌ ଏବଂ ବିକ୍ରମ୍‌ର ମାର୍ଗ ବାବଦରେ ତଥ୍ୟ ପାଇଥିଲେ।

କିପରି ବିକ୍ରମର ଠିକଣା ପାଇଲେ ସେହି ବିଷୟରେ କହିବାକୁ ଯାଇ ଶାନ୍‌ କୁହନ୍ତି, “ମୁଁ ଅବତରଣସ୍ଥଳରୁ ପ୍ରଥମେ ୧ କିଲୋମିଟର ପରିଧି ମଧ୍ୟରେ ଏବଂ ପରେ ୨ ବର୍ଗ କିଲୋମିଟର ପରିଧି ମଧ୍ୟରେ ଖୋଜିବାକୁ ଆରମ୍ଭ କଲି। ମୁଁ ଉତ୍ତର ଦିଗରେ ଖୋଜିବାକୁ ଆରମ୍ଭ କଲି କାରଣ ବିକ୍ରମ ଉତ୍ତର ଦିଗରୁ ହିଁ ଅବତରଣ ସ୍ଥଳକୁ ଆଗେଇଥିଲା। ଏହାପରେ ମୁଁ ଗୁଡ଼ାଏ ଚିହ୍ନ ପାଇଥିଲେ ହେଁ ସେସବୁ ଭୁଲ ଥିଲା। ପରେ କିଛି ବିନ୍ଦୁ ଦେଖିବାକୁ ପାଇଥିଲି ଏବଂ ଗତ ୯ ବର୍ଷର ଚିତ୍ର ସହ ସେସବୁକୁ ମେଳାଇଥିଲି। ଯେତେବେଳେ ନିଶ୍ଚିତ ହେଲି, ତରୁନ୍ତ ନାସାକୁ ଜଣାଇଲି।”

ଶାନ୍‌ କହିଛନ୍ତି, ଅନ୍‌ଲାଇନ୍‌ରେ ଅନେକ ମହାକାଶ ଅନୁସନ୍ଧିତ୍ସୁ ଅଛନ୍ତି। ସେମାନଙ୍କୁ ଏକାଠି କରିବା ପାଇଁ ପ୍ରୟାସ ଦରକାର। ଛାତ୍ରମାନେ ଇସ୍ରୋ ଏବଂ ନାସା ପରି ସଂସ୍ଥାଙ୍କୁ ସାହାଯ୍ୟ କରି ଏଲ୍‌ଆରଓ ଇମେଜ୍‌ର ଡାଟାବେସ୍‌ ପ୍ରସ୍ତୁତ କରିବାକୁ ସେ ଆହ୍ୱାନ କରିଛନ୍ତି। ନାସା ପକ୍ଷରୁ ଶାନ୍‌ଙ୍କୁ ଏକ ମେଲ୍‌ ଯୋଗେ ଶ୍ରେୟ ଓ ଅଭିନନ୍ଦନ ଦିଆଯାଇଥିବାବେଳେ ଶେଷରେ ଲେଖାଯାଇଛି, ପ୍ରସ୍ତୁତ ରୁହ ଗଣମାଧ୍ୟମ ତୁମ ଆବିଷ୍କାର ଉପରେ ପ୍ରଶ୍ନ ପଚାରିବା ଆରମ୍ଭ କରିବେ।



from Odisha Reporter https://ift.tt/362QFOx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages