ଭତରାର ଗାନ୍ଧି ମନ୍ଦିର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 14, 2019

ଭତରାର ଗାନ୍ଧି ମନ୍ଦିର

ମ୍ବଲପୁର ପୌର ପରିଷଦର ଏକ ନମ୍ବର ୱାର୍ଡ ଅନ୍ତର୍ଗତ ଏକ ଛୋଟିଆ ଗାଁ ଭତରା। ଏହି ଗାଁରେ ରହିଛି ଅନୁସୂଚିତ ଜାତିର ଲୋକେ ରହୁଥିବା ଏକ ପଡ଼ା। ପ୍ରାୟ ୧୫୦ଟି ପରିବାର ରହନ୍ତି ଏହି ପଡ଼ାରେ। ଏଠାରେ ରହିଛି ଏକ ସୁଦୃଶ୍ୟ ଗାନ୍ଧି ମନ୍ଦିର। ଏକଦା ସମୟ ଥିଲା ଯେତେବେଳେ ଲୋକେ ଅନୁସୂଚିତ ଜାତିର ଲୋକମାନଙ୍କୁ ଛୁଉଁ ନଥିଲେ ଓ ମନ୍ଦିରକୁ ପ୍ରବେଶ କରାଇ ଦେଉ ନଥିଲେ। ସେତେବେଳେ ଗାନ୍ଧି ହିଁ ସେମାନଙ୍କୁ ମନ୍ଦିର ପ୍ରବେଶ କରାଇବା, ସେମାନଙ୍କର ସୁଖଦୁଃଖ, ଅଭାବ ଓ ଅସୁବିଧା ବୁଝିବା ସହିତ ସେମାନେ ରହୁଥିବା ବସ୍ତିକୁ ଯାଇ ସେବା ମୂଳକ କାର୍ଯ୍ୟ କରୁଥିଲେ। ତେଣୁ ସାରା ଭାରତବାସୀଙ୍କ ସହ ଏକ ଜାତିର ଲୋକମାନଙ୍କ ପାଇଁ ଗାନ୍ଧି ପାଲଟି ଯାଇଥିଲେ ଚିରନମସ୍ୟ ଓ ପ୍ରଣମ୍ୟ ପୁରୁଷ। କିନ୍ତୁ କିଏ ବା ଚିନ୍ତା କରିଥିଲା ଦିନେ ଗାନ୍ଧି ମନ୍ଦିରରେ ପୂଜା ପାଇବେ। କିନ୍ତୁ ଗାନ୍ଧିଙ୍କ ପାଇଁ ଭତରା ଭଳି ଏକ ଗାଁରେ ମନ୍ଦିର ନିର୍ମାଣ ହେବା ନିଶ୍ଚିତ ଭାବେ ଏକ ବଳିଷ୍ଠ ପଦକ୍ଷେପ।

ରେଢ଼ାଖୋଲର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମ୍ଭାରଙ୍କ ଉଦ୍ୟମକ୍ରମେ ଭତରାରେ ଆରମ୍ଭ ହୋଇଥିଲା ଗାନ୍ଧି ମନ୍ଦିରର ନିର୍ମାଣ କାର୍ଯ୍ୟ। ୧୯୭୨ ମସିହା ଡିସେମ୍ବର ୧୩ ତାରିଖରେ ଏହି ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ତତ୍କାଳୀନ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ରବୀନ୍ଦ୍ର ନାଥ ମହାନ୍ତି। ମହାତ୍ମା ଗାନ୍ଧିଙ୍କ ଅଧ୍ୟୟନ ମୁଦ୍ରାର ଧାତୁ ନିର୍ମିତ ପ୍ରତିମୂର୍ତ୍ତି ଏଠାରେ ସ୍ଥାପନ କରାଯାଇଥିଲା ୧୯୭୪ ମସିହା ଏପ୍ରିଲ ୧୧ତାରିଖରେ। ଉକ୍ତ ଦିନ ଆନୁଷ୍ଠାନିକ ଭାବେ ଏହି ମନ୍ଦିରର ଶୁଭ ଉଦ୍‌ଘାଟନ କରିଥିଲେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ। ଏହି ମନ୍ଦିରରେ ପତିତପାବନ ନେତ ବଦଳରେ ଜାତୀୟ ପତାକା ଉଡୁଛି ଫରଫର ହୋଇ। ଗରୁଡ଼ସ୍ତମ୍ଭ ବଦଳରେ ଅଛି ଅଶୋକ ସ୍ତମ୍ଭ। ମନ୍ଦିରର ମୁଖଶାଳା ଉପରେ ତ୍ରିରଙ୍ଗା ପତାକା ଧରି ଛିଡ଼ା ହୋଇ ରହିଛନ୍ତି ଭାରତମାତା। ମନ୍ଦିର ଦେଖିଲେ ଆଖି ଲାଖି ରହିଯାଏ।

ମନ୍ଦିରର ପୂଜା ପଦ୍ଧତି

ମନ୍ଦିର ସ୍ଥାପନ ହେବାଦିନଠାରୁ ପ୍ରତ୍ୟେକ ଦିନ ସକାଳେ ଓ ସଂଧ୍ୟାରେ ଗାନ୍ଧିଙ୍କୁ ଧୂପ, ଦୀପ ଓ ଆଳତି ଦେଇ ପଡ଼ାବାସୀ ପୂଜା କରିଆସୁଛନ୍ତି। ଅନ୍ୟ ମନ୍ଦିର ଗୁଡ଼କରେ ମନ୍ତ୍ରର ଧ୍ୱନି ଉଚ୍ଚାରିତ ହେଉଥିବା ବେଳେ ଭତରା ଗାନ୍ଧି ମନ୍ଦିରରେ ବାପୁଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜା ରାମରେ ପୂଜା ଆରମ୍ଭ ହୋଇଥାଏ। ମନ୍ଦିର ଭିତରକୁ ପ୍ରବେଶ କଲେ ଯେ କୌଣସି ଭାରତୀୟ ନାଗରିକର ହୃଦୟରେ ସୃଷ୍ଟି ହେବ ଦେଶପ୍ରେମର ଭାବନା ଓ ଗାନ୍ଧି ଭାବନା। ଶାନ୍ତି, ମୈତ୍ରୀ ଓ ସଦ୍‌ଭାବନାର ସନ୍ଦେଶ ଦିଏ ଏହି ଗାନ୍ଧି ମନ୍ଦିର। ମହାତ୍ମା ଗାନ୍ଧିଙ୍କ ସହିତ ଗୋପବନ୍ଧୁ, ବାବା ଆମ୍ବେଦକର, ବିବେକାନନ୍ଦ, ନେହରୁ ଓ ସୁବାଷ ବୋଷଙ୍କ ଭଳି ପ୍ରମୁଖ ମହାନ୍‌ ଜନନାୟକମାନଙ୍କ ପ୍ରତିଛବି ଏହି ମନ୍ଦିରର ଶୋଭାବର୍ଦ୍ଧନ କରୁଛି। ଏହି ମହାପୁରୁଷମାନଙ୍କୁ ପୂଜା କରାଯାଏ ଗଭୀର ଭକ୍ତି ଓ ଶ୍ରଦ୍ଧାର ସହ। ପ୍ରତିଟି ସଂଜରେ ପଡ଼ାର ଆବାଳବୃଦ୍ଧବନିତା ଗାନ୍ଧିଙ୍କ ପ୍ରିୟ ଭଜନ ଗାନ କରନ୍ତି ମନ୍ଦିର ପରିସରରେ । ଏହା ସହିତ ପୁରାଣ ଓ ଶାସ୍ତ୍ର ଉପରେ ମଧ୍ୟ ଆଲୋଚନା ହୁଏ। ବାପୁଜୀଙ୍କ ପ୍ରତି ପଡ଼ାବାସୀଙ୍କର ରହିଛି ଅସୀମ ଭକ୍ତି ଓ ସମ୍ମାନ।

ପର୍ବ ଓ ଉତ୍ସବ

ଗାନ୍ଧିଙ୍କ ପବିତ୍ର ଜନ୍ମ ଦିବସ ଅକ୍ଟୋବର ୨, ତିରୋଧାନ ଦିବସ ଜାନୁଆରୀ ୩୦, ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ଓ ସାଧାରଣତନ୍ତ୍ର ଦିବସ ଜାନୁଆରୀ ୨୬ ତାରିଖ ପଡ଼ାବାସୀଙ୍କ ଭିତରେ ଆଣିଦିଏ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା। ଗାନ୍ଧି ଚେତନାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଏଠାକୁ ନିମନ୍ତ୍ରଣ କରାଯାଏ ଗାନ୍ଧିଙ୍କ ସଂପର୍କରେ ଉଦ୍‌ବୋଧନ ଦେବା ପାଇଁ। ଉକ୍ତ ଦିବସରେ ପଡ଼ାର ପ୍ରତି ଘରକୁ କୁଣିଆ ଆସନ୍ତି। ପିଠାପଣା ତିଆରି ହୁଏ। ବର୍ଷ ସାରା କର୍ମମୟ ଜୀବନ ଭିତରେ ଏହି ଦିନଗୁଡ଼ିକୁ ଅପେକ୍ଷା କରିଥା’ନ୍ତି ପଡ଼ାବାସୀ। ଏହି ସ୍ୱତନ୍ତ୍ର ଦିବସ ଗୁଡ଼ିକୁ ପାଳନ କରିବା ପାଇଁ ପଡ଼ାବାସୀ ନିଜ ନିଜ ଭିତରେ ଚାନ୍ଦା ଆଦାୟ କରି ଗରିବ ଓ ଅସହାୟ ଲୋକମାନଙ୍କୁ ମାଗଣାରେ ନୂତନ ବସ୍ତ୍ର ଦାନ କରିବା ସହିତ ଅନ୍ନ ଭୋଜନ କରାନ୍ତି। ତା’ସହିତ ଗରିବ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ଓ ପୋଷାକ ବଣ୍ଟନ କରିଥା’ନ୍ତି। ଗାଁରେ ପିଲାଛୁଆ, ସ୍ତ୍ରୀପୁରୁଷ ସମସ୍ତେ ମିଶି ପ୍ରଭାତ ଫେରି କରନ୍ତି। ସତରେ ଭତରାର ହରିଜନ ପଡ଼ାବାସୀଙ୍କ ଗାନ୍ଧି ଭକ୍ତି ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବ।

ପ୍ରକୃତରେ ମୋହନ ଦାସ କରମ ଚାନ୍ଦ ଗାନ୍ଧି ଜଣେ ମଣିଷ ନଥିଲେ, ଥିଲେ ଏକ ଅବତାର। ପ୍ରିୟ ବାପୁଜୀ ଭାବେ କୋଟି କୋଟି ଜନତାଙ୍କର ସେ ଥିଲେ ଆରାଧ୍ୟ ଓ ନମସ୍ୟ। ଗାନ୍ଧିଙ୍କ ଭଳି ଆବତାରୀ ପୁରୁଷଙ୍କୁ ମୃତ୍ୟୁ କେବେ ସ୍ପର୍ଶ କରିପାରେନା, ସେ ଏକ ଚେତନା, ସେ ଏକ ଦିବ୍ୟ ପୁରୁଷ। ଆରାଧ୍ୟ ଦେବତା। ଏକଥା ଅନୁଭବ କରିହୁଏ ଗୁଲୁଣ୍ଡା ଓ ଭତରାରେ ଥିବା ଗାନ୍ଧି ମନ୍ଦିରକୁ ଦେଖିଲେ। ଆଜି ବି ଗାନ୍ଧି ଦେବତାତୁଲ୍ୟ ପୂଜା ପାଉଛନ୍ତି କୋଟି କୋଟି ମଣିଷଙ୍କ ହୃଦୟରେ। ଏହା ହିଁ ତାଙ୍କ ଲୋକପ୍ରିୟତାର ଅନନ୍ୟ ଉଦାହରଣ। ଗାନ୍ଧିଙ୍କ ଚେତନା, ଆଦର୍ଶ ଓ ବ୍ୟକ୍ତିତ୍ୱ ଆଜିର ଯୁବ ସମାଜ ପାଇଁ ଏକାନ୍ତ ପ୍ରେରଣାଉତ୍ସ।

(ସୌଜନ୍ୟ: ପର୍ଯ୍ୟଟନରେ ପଶ୍ଚିମ ଓଡ଼ିଶା, ସଂପାଦନା: ଡକ୍ଟର ସୁଶୀଳ କୁମାର ବାଗ୍‌)



from Odisha Reporter https://ift.tt/35jeHEO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages