ହାଇଦ୍ରାବାଦ: ବୁଧବାର ହାଇଦ୍ରାବାଦ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଘଟିଥିବା ଦୁଷ୍କର୍ମ ମାମଲାରେ ପୁଲିସର ବେପରୁଆ ଚରିତ୍ର ସାମ୍ନାକୁ ଆସିଛି। ଝିଅ ଘରକୁ ନଫେରିବାରୁ ଯେତେବେଳେ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ ସେତେବେଳେ ପୁଲିସ ଅଧିକାରୀ ଜବାବରେ କହିଥିଲେ, ଆପଣଙ୍କ ଝିଅ କାହା ସହିତ ଫେରାର ହୋଇଯାଇଛି। ଗୋଟିଏ ଥାନା ନୁହେଁ ଝିଅକୁ ଖୋଜିବାରେ ସହଯୋଗ କରିବା ପାଇଁ ପାଖାପାଖି ଦୁଇଟି ଥାନାର ଦ୍ୱାରସ୍ଥ ହୋଇଥିଲେ ଝିଅର ପରିବାର ଲୋକେ। ଜବାବରେ କିନ୍ତୁ ସମସ୍ତ ଥାନାରୁ ଝିଅର ବାପାଙ୍କୁ ଅସମ୍ମାନ ମିଳିଥିଲା ବୋଲି ମୃତ ଯୁବତୀଙ୍କ ପରିବାର ଲୋକେ କହିଛନ୍ତି।
ମୃତ ଡାକ୍ତରଙ୍କ ବାପା କହିଛନ୍ତି, ଝିଅ ରାତିରେ ଘରକୁ ନଫେରିବାରୁ ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ଟୋଲ ପ୍ଲାଜା ନିକଟକୁ ଯାଇ ଟିକିଏ ଖୋଜିବାରେ ସହଯୋଗ କରିବା ପାଇଁ ମୃତ ଡାକ୍ତର ପ୍ରିୟା ରେଡ୍ଡୀଙ୍କ ବାପା ଅନୁରୋଧ କରିଥିଲେ। ହେଲେ ପୁଲିସ ଏହି ଘଟଣାକୁ ଅତ୍ୟନ୍ତ ହାଲୁକାର ସହ ନେଇଥିଲା। ଜବାବରେ କହିଥିଲେ ‘ଆପଣଙ୍କ ଝିଅ କାହା ସହ ଫେରାର ହୋଇଯାଇଥିବ’।
ସୂଚନାଯୋଗ୍ୟ, ବୁଧବାର ରାତିରେ ଘରକୁ ଫେରିବା ବେଳେ ଡାକ୍ତର ପ୍ରିୟା ରେଡ୍ଡୀ ଘରକୁ ଫେରୁଥିଲେ। ଟୋଲ ପ୍ଲାଜା ନିକଟରେ ତାଙ୍କ କାର ପମ୍ପଚର ହୋଇଯାଇଥିଲା। ଘନ ଅନ୍ଧକାର ଥିବାରୁ ସେ କାର ଭିତରେ ଥାଇ ତାଙ୍କ ସାନ ଭଉଣୀଙ୍କୁ ଫୋନ୍ କରି କହିଥିଲେ, ‘କାର ଲିକ୍ ହୋଇଯାଇଛି, ମୋତେ ଡର ଲାଗୁଛି’। ଏହାପରେ ସେ ଫୋନ୍ ରଖିଦେଇଥିଲେ। ତେବେ ରାତି ୧୦ଟା ୩୦ ଯାଏ ପ୍ରିୟା ଘରକୁ ନଫେରିବାରୁ ତାଙ୍କ ସାନ ଭଉଣୀ ପୁଣି ଥରେ ପ୍ରିୟାଙ୍କ ଫୋନକୁ କଲ୍ କରିଥିଲେ। ହେଲେ ମୋବାଇଲ ବନ୍ଦ ରହିଥିବା ଦେଖାଇଥିଲା। ଏହାପରେ ସେ ତାଙ୍କ ବାପାଙ୍କୁ କହିଥିଲେ।
ଏହାପରେ ପ୍ରିୟାଙ୍କ ସାନ ଭଉଣୀ ତାଙ୍କ ବାପାଙ୍କୁ ନେଇ ଘର ପାଖ ଥାନାକୁ ଯାଇଥିଲେ। ହେଲେ ଥାନା ଅଧିକାରୀ କହିଥିଲେ ଶନଶାବାଦ ଥାନାକୁ ଯିବାକୁ। କାରଣ ଟୋଲ ପ୍ଲାଜା ତାଙ୍କ ଥାନା ଅଧୀନରେ ଆସୁ ନାହିଁ। ସେହିପରି ଶନଶାବାଦର ଥାନା ଅଧିକାରୀ ମଧ୍ୟ ଘଟଣାକୁ ଗୁରୁତ୍ୱର ସହ ନେଇନଥିଲେ। ଏମିତି ରାତି ୩ଟା ଯାଏ ଝିଅ ପ୍ରିୟାକୁ ଖୋଜିବାରେ କୌଣସି ପ୍ରକାର ସହଯୋଗ କରିନଥିଲା ପୁଲିସ।
ଏହାପରେ ଡାକ୍ତର ପ୍ରିୟାଙ୍କୁ ଖୋଜିବା ପାଇଁ ତାଙ୍କ ବାପାଙ୍କ ସହ ଜଣେ କନେଷ୍ଚବଳଙ୍କୁ ଯିବା ପାଇଁ ପୁଲିସ ନିର୍ଦ୍ଦେଶ ଦେଇଥିଲା। ହେଲେ କୌଣସି ଖୋଜ ଖବର ମିଳିନଥିଲା। ଏହାପରେ ଗୁରୁବାର ସକାଳୁ ପୁଲିସ ଚେତନପଲ୍ଲୀ ବାଇପାସ ପାଖକୁ ଆସିବା ପାଇଁ ଡାକ୍ତରଙ୍କ ବାପାଙ୍କୁ ଫୋନ୍ କରି କହିଥିଲା। ଯେଉଁଠି ଡାକ୍ତରଙ୍କ ପୋଡା ମୃତ ଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା।
ଯଦି ପୁଲିସ ରାତିରେ ତାଙ୍କ କଥାକୁ ଗୁରୁତର ସହ ନେଇଥାନ୍ତା ତାହେଲ ଏଭଳି ଅଘଟଣ ହୋଇନଥାନ୍ତା ବୋଲି ମୃତ ଡାକ୍ତରଙ୍କ ସାନ ଭଉଣୀ କହିଛନ୍ତି। ଏହି ଘଟଣାରେ ୩ ଜଣ ପୁଲିସ କର୍ମଚାରୀ ନିଲମ୍ୱିତ ହୋଇଛନ୍ତି।
from Odisha Reporter https://ift.tt/37RKwWZ
No comments:
Post a Comment