ଭଦ୍ରକ (ପାର୍ଥ ସାରଥୀ ନାୟକ): ସିରିଜ୍ ଦୁର୍ଘଟଣା ଘଟାଇବା ପରେ ନିଜେ ଫସିଗଲେ ଡ୍ରାଇଭର। ଟ୍ରକ୍ଟି ପୋଖରୀରେ ପଶି ଯାଇଥିବା ବେଳେ ଡ୍ରାଇଭର ତା’ ଭିତରେ ଦୀର୍ଘ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେବ ଫସି ରହିଥିବା ଜଣାପଡ଼ିଛି। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ଟ୍ରକ୍ଟି କଟକ ପଟୁ ଆସୁଥିବା ବେଳେ ଆଖୁଆପଦା ଛକଠାରୁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଇ ଦ୍ରୁତ ଗତିରେ ପଳାଉଥିଲା। ହେଲେ ସକାଳେ ୯ଟା ପରେ ଭଣ୍ଡାରିପୋଖରୀ ବଜାର ନିକଟରେ ଟ୍ରକ୍ଟି ଭାରସାମ୍ୟ ହରାଇ ଏକ ପୋଖରୀ ମଧ୍ୟକୁ ଖସିପଡିଥିଲା।
ଗାଡିର ସାମ୍ନାପଟ ପାଣିରେ ବୁଡ଼ି ରହିଥିବା ବେଳେ ଡ୍ରାଇଭର ତା’ ମଧ୍ୟରେ ଫସି ରହିଥିବା କୁହାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ୨ ଦମକଳ ଗାଡ଼ି ପହଞ୍ଚି ୫ଟି ପମ୍ପ ସାହାଯ୍ୟରେ ପାଣି ବାହାର କରିବା କାମରେ ଲାଗିଛି। ଏଥିସହ ଗାଡ଼ିକୁ ବାହାର କରିବା ନିମନ୍ତେ କ୍ରେନ୍ ଓ ହାଇଡ୍ରା ନିୟୋଜିତ ହୋଇଥିବା ସତ୍ତ୍ୱେ ସଫଳତା ମିଳିପାରି ନାହିଁ। ଏଥିଯୋଗୁ ୧୬ ନଂ ଜାତୀୟ ରାଜପଥରେ ଦୀର୍ଘ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଏବେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲେ ମଧ୍ୟ ଟ୍ରକ୍ ଉଦ୍ଧାର ହୋଇପାରି ନାହିଁ କିମ୍ବା ଡ୍ରାଇଭରଙ୍କ ସମ୍ପର୍କରେ କିଛି ସୁରାଗ ମିଳିପାରି ନାହିଁ।
from Odisha Reporter https://ift.tt/2Rj1lDP
No comments:
Post a Comment