ଦୁଇ ଆତଙ୍କବାଦୀଙ୍କ ସହିତ ଜଣେ ଡିଏସ୍‌ପି ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 11, 2020

ଦୁଇ ଆତଙ୍କବାଦୀଙ୍କ ସହିତ ଜଣେ ଡିଏସ୍‌ପି ଗିରଫ

ଶ୍ରୀନଗର: ଜମ୍ମୁ ଓ କଶ୍ମୀର ପୁଲିସ୍‌ ଦୁଇ ଜଣ ହିଜ୍‌ବୁଲ୍ ମୁଜାହିଦ୍ଦୀନ ଆତଙ୍କବାଦୀଙ୍କ ସହିତ ଜଣେ ଡିଏସ୍‌ପିଙ୍କୁ ଗିରଫ କରିଛି। ଶନିବାର ଅପରାହ୍ନରେ କୁଲଗାମ୍ ଜିଲ୍ଲାର କାଜିଗୁଣ୍ଡ (କ୍ୱାଜିଗଣ୍ଡ ଭାବେ ବି ଜଣାଶୁଣା) ଅଞ୍ଚଳର ମିର୍ ବଜାର୍‌ରୁ ସେମାନଙ୍କୁ ଗିରଫ କରାଯାଇଥିଲା। ଗିରଫ ଡିଏସ୍‌ପିଙ୍କ ନାଁ ଦବିନ୍ଦର ସିଂହ। ସେହିପରି ଗିରଫ ଦୁଇ ଆତଙ୍କବାଦୀ ହେଉଛନ୍ତି ନବୀଦ୍ ବାବୁ ଓ ଅସିଫ୍ ରାଥର।

ଡିଏସ୍‌ପି ଦବିନ୍ଦର ସିଂହ ଏହି ଦୁଇ ଜଣ ଆତଙ୍କବାଦୀଙ୍କ ସହିତ ଏକ କାର୍‌ରେ ଯାତ୍ରା କରୁଥିବା ବେଳେ ଦକ୍ଷିଣ କଶ୍ମୀର ଡିଆଇଜି ଅତୁଲ ଗୋଏଲ୍‌ଙ୍କ ନେତୃତ୍ୱରେ ପୁଲିସ୍‌ର ଏକ ଟିମ୍ ସେମାନଙ୍କୁ ଗିରଫ କରିଥିଲା। କାର୍ ଭିତରୁ ଦୁଇଟି ଏକେ-୪୭ ରାଇଫଲ୍ ସହିତ କିଛି ଗ୍ରେନେଡ୍ ମଧ୍ୟ ଜବତ କରାଯାଇଥିବା ପୁଲିସ୍ ସୂତ୍ରରୁ ଜଣାପଡ଼ିଛି। ଗିରଫ ଦୁଇ ଆତଙ୍କବାଦୀ ଜମ୍ମୁ ଓ କଶ୍ମୀରର ଶୋପିଆନ୍‌ର ବୋଲି ଜଣାପଡ଼ିଛି। ଅସିଫ୍ ତିନି ବର୍ଷ ତଳେ ହିଜ୍‌ବୁଲ୍ ମୁଜାହିଦ୍ଦୀନରେ ସାମିଲ ହୋଇଥିବା ବେଳେ ନବୀଦ ଏହାର ଜଣେ ଟପ୍ କମାଣ୍ଡର ଥିଲା ବୋଲି ପୁଲିସ୍ କହିଛି।

ଗିରଫ ଡିଏସ୍‌ପି ଦବିନ୍ଦର ସିଂହ ଗତବର୍ଷ ଅଗଷ୍ଟ ୧୫ରେ ରାଷ୍ଟ୍ରପତି ମେଡାଲ୍ ପାଇଥିଲେ। ଏବେ ସେ ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ନିଯୁକ୍ତ ହୋଇଥିଲେ। ତା’ପୂର୍ବରୁ ସେ ଜମ୍ମୁ ଓ କଶ୍ମୀର ପୁଲିସ୍‌ର ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ (ଏସ୍‌ଓଜି)ରେ ଜଣେ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରିଥିଲେ ଯାହା ୧୯୯୪ରେ ଗଠିତ ହୋଇଥିଲେ। ଏସ୍‌ଓଜିରେ ଥିବା ବେଳେ ଅନେକ ଆତଙ୍କବାଦୀ ବିରୋଧୀ ଅପରେସନ୍‌କୁ ସଫଳ କରିଥିବାରୁ ସମୟ ପୂର୍ବରୁ ତାଙ୍କୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ମିଳିଥିଲା। ତେବେ ଏସ୍‌ଓଜିରେ ଥିବା ବେଳେ ସେ ଧମକଚମକ ଦେଇ ଟଙ୍କା ଆଦାୟ କରୁଥିବା ଭଳି ଅଭିଯୋଗ ଆସିବାରୁ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ପରେ ତାଙ୍କୁ ପୁନଃଅବସ୍ଥାପିତ କରାଯାଇ ଶ୍ରୀନଗର ପୁଲିସ୍ କଣ୍ଟ୍ରୋଲ୍ ରୁମ୍ (ପିସିଆର୍‌)ରେ ନିଯୁକ୍ତ କରାଯାଇଥିଲା। ସେଠାରୁ ସେ ଆଣ୍ଟି-ହାଇଜାକିଂ ସ୍କ୍ୱାଡ୍‌କୁ ବଦଳି ହୋଇଥିଲେ ଓ ଗତବର୍ଷ ତାଙ୍କୁ ଶ୍ରୀନଗର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନିଯୁକ୍ତ କରାଯାଇଥିଲା।

ପୁଲିସ୍ ଏ ଘଟଣା ବାବଦରେ ଅଧିକ କିଛି କହୁ ନଥିବା ବେଳେ ମିଳିଥିବା ସୂଚନା ଅନୁଯାୟୀ, ଗିରଫ ଡିଏସ୍‌ପିଙ୍କ ଶ୍ରୀନଗର ସ୍ଥିତ ଘରେ ମଧ୍ୟ ଚଢ଼ଉ କରାଯାଇଥିଲା। ସେଠାରୁ ଗୋଟିଏ ଏକେ-୪୭ ରାଇଫଲ୍ ସହିତ ଦୁଇଟି ପିସ୍ତଲ ଓ ତିନୋଟି ହ୍ୟାଣ୍ଡ୍ ଗ୍ରେନେଡ୍ ଜବତ କରାଯାଇଛି। ଶ୍ରୀନଗରରେ ସେ କଡ଼ା ସୁରକ୍ଷା ବଳୟରେ ଥିବା ଶିବପୋରା ଅଞ୍ଚଳରେ ରହୁଥିଲେ। ସେହିପରି ପୁଲିସ୍‌ର ଏକ ଟିମ୍ ପୁଲ୍‌ୱାମାର ତ୍ରାଲ୍ ସ୍ଥିତ ତାଙ୍କ ପୈତୃକ ଘରେ ମଧ୍ୟ ଚଢ଼ଉ କରିଥିଲା। କୁହାଯାଉଛି, ଜମ୍ମୁ ଯିବା ପାଇଁ ସେ ଗତକାଲି ଠାରୁ ଚାରି ଦିନ ପାଇଁ ଛୁଟିରେ ଥିଲେ।

୨୦୦୧ରେ ସଂସଦ ଆକ୍ରମଣ ଘଟଣାରେ ସନ୍ଦେହ ଘେରକୁ ଆସିଥିଲେ ଗିରଫ ଡିଏସ୍‌ପି। ଏହି ଘଟଣାର ଦୋଷୀ ଅଫ୍‌ଜଲ୍‌ ଗୁରୁ ତାଙ୍କ ଓକିଲକୁ ଲେଖିଥିବା ଏକ ଚିଠିରେ ଡିଏସ୍‌ପି ସିଂହଙ୍କ ନାଁ ଉଲ୍ଲେଖ କରିଥିଲେ। ସଂସଦ ଆକ୍ରମଣରେ ସଂପୃକ୍ତ ଜଣେ ଆତଙ୍କବାଦୀକୁ ଦିଲ୍ଲୀ ନେଇ ଏକ ଭଡ଼ା ଘରେ ରଖିବାକୁ ଓ ତାଙ୍କୁ ଏକ କାର୍ ଯୋଗାଇ ଦେବାକୁ ସେ ହିଁ ତାଙ୍କୁ ବାଧ୍ୟ କରିଥିଲେ ବୋଲି ଅଫଜ୍‌ଲ୍ ଚିଠିରେ ଲେଖିଥିଲେ। ଅଫ୍‌ଜଲ୍‌ଙ୍କୁ ଫାଶୀ ଦିଆଯିବା ପରେ ତାଙ୍କ ପରିବାର ଲୋକେ ଏହି ଚିଠିକୁ ସାର୍ବଜନୀନ କରିଥିଲେ।

ସୂଚନାଯୋଗ୍ୟ, ଗିରଫ ଆତଙ୍କବାଦୀ ନବୀଦ ପୂର୍ବରୁ ଜଣେ ପୁଲିସ୍ କନଷ୍ଟେବଲ୍ ଥିଲା। ୨୦୧୭ ପର୍ଯ୍ୟନ୍ତ ସେ କଶ୍ମୀରର ବଡ଼ଗାମ୍‌ରେ ଖାଦ୍ୟ ଓ ଯୋଗାଣ ବିଭାଗର ଏକ ରାସନ୍ ଗୋଦାମର ସୁରକ୍ଷା ଦାୟିତ୍ୱରେ ଥିଲା। ମେ’ ୨୦୧୭ରେ ସେ ଦୁଇଟି ଏକେ-୪୭ ରାଇଫଲ୍ ସହ ଫେରାର ହୋଇଯାଇଥିଲା ଓ ହିଜ୍‌ବୁଲ୍ ମୁଜାହିଦ୍ଦୀନରେ ସାମିଲ ହୋଇଥିଲା। ସେ ଆଇଇଡି ତିଆରି କରିବାରେ ନିପୂଣ ହୋଇଥିବା ବେଳେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ତା’ର ସଂପୃକ୍ତି ରହିଥିବା ଜଣାପଡ଼ିଛି।



from Odisha Reporter https://ift.tt/2QIL2jE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages