ଫ୍ରାନ୍ସ: ଭାରତ ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ୟୁରୋପିଆନ ୟୁନିଅନ ପ୍ରଶ୍ନ ଉଠାଇଥିଲା। ଏପରି କି ୟୁରୋପିଆନ ସଂସଦରେ ଏହାକୁ ନେଇ ବିତର୍କ ମଧ୍ୟ ହୋଇଥିଲା। ହେଲେ ଏହା ଉପରେ ଭୋଟିଂ ପ୍ରକ୍ରିୟାକୁ ୟୁନିଅନ ସ୍ଥଗିତ ରଖିଛି।
ଆସନ୍ତା ମାର୍ଚ୍ଚ ମାସ ଯାଏ ଏହା ଉପରେ କୌଣସି ପ୍ରକାରର ଭୋଟିଂ ହେବନାହିଁ ବୋଲି ୟୁନିଅନ ନିଷ୍ପତ୍ତି ନେଇଛି। ଏଭଳି ଭୋଟ ପ୍ରକ୍ରିୟା ଟଳିବା ଭାରତ ପାଇଁ ବଡ଼ କୂଟନୀତିକ ବିଜୟ ଭାବେ ବିବେଚନା କରାଯାଉଛି। ୟୁରୋପ ସଂସଦରେ ଭାରତ ସରକାର ଆଣିଥିବା ସିଏଏ ବିରୋଧରେ ପ୍ରସ୍ତାବ ମିଳିତ ଭାବେ ୫ଟି ପ୍ରଭାବଶାଳୀ ରାଜନୀତିକ ସମୂହ ପକ୍ଷରୁ ଗୃହରେ ଉପସ୍ଥାପନ କରାଯାଇଥିଲା।
୭୫୧ ସଦସ୍ୟ ବିଶିଷ୍ଟ ଏହି ସଂସଦରେ ୫୦୦ରୁ ଅଧିକ ସେଣ୍ଟର-ରାଇଟରୁ ଆରମ୍ଭ କରି ଅତି ବାମପନ୍ଥୀ ବିଚାରଧାରାର ସଦସ୍ୟ ରହିଛନ୍ତି। ଗୃହରେ ଏହି ପ୍ରସ୍ତାବ ଆଗତ ବେଳେ ପ୍ରାୟ ୪୮୩ ସଦସ୍ୟ ଉପସ୍ଥିତ ଥିଲେ। ମତଦାନ ବେଳେ ୧୩ ଜଣ ସଦସ୍ୟ ଅନୁପସ୍ଥିତ ରହିଥିଲେ।
ସେହିପରି ୪୮୩ ସଦସ୍ୟଙ୍କ ମଧ୍ୟରୁ ୨୭୧ ଜଣ ବିଳମ୍ବରେ ଭୋଟିଂ କରିବା ସପକ୍ଷରେ ମତ ରଖିଥିବା ବେଳେ ୧୯୯ ଜଣ ଏହାକୁ ବିରୋଧ କରିଥିଲେ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଗତ କିଛି ଦିନ ହେଲା ଭାରତ ସରକାର ବ୍ରସେଲ୍ସରେ ନିଜର କୂଟନୀତିକ ଶକ୍ତିକୁ ବଢ଼ାଇବାରେ ଲାଗିଥିଲେ। ଭାରତ ବ୍ରସେଲ୍ସ ସମେତ ୟୁରୋପିଆନ ୟୁନିଅନରେ ମଧ୍ୟ ନିଜ କୂଟନୀତିକ ରଣନୀତିକୁ ଅଧିକ ସୁଦୃଢ଼ କରିଥିଲା। ଯେଉଁଥିପାଇଁ ଭାରତକୁ ଏଭଳି ଆଶ୍ୱସ୍ତି ମିଳିଛି।
ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଭାରତର କୂଟନୀତିକ ମିଶନ ଗୁଡ଼ିକ ସିଏଏକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ସନ୍ଦେହକୁ ଦୂର କରିବା କାର୍ଯ୍ୟରେ ବ୍ୟସ୍ତ ରହିଛି। ୟୁରୋପିଆନ ୟୁନିଅନ ପାର୍ଟିର ସଦସ୍ୟ ମିଚେଲ ଗେହଲର ପ୍ରଥମେ ଭୋଟ ପ୍ରକ୍ରିୟା ସ୍ଥଗିତ ରଖିବାକୁ ପ୍ରସ୍ତାବ ଆଗତ କରିଥିଲେ। ମିଚେଲଙ୍କ ପାର୍ଟିର ୧୮୨ ଜଣ ସଦସ୍ୟ ୟୁରୋପିଆନ ସଂସଦରେ ରହିଛନ୍ତି।
ଶେଷରେ ୨୭୧ ଜଣଙ୍କ ସଦସ୍ୟଙ୍କ ସମର୍ଥନ ପରେ ଭୋଟ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା। ଅନ୍ୟପକ୍ଷରେ ୟୁରୋପିଆନ ସଂସଦରେ ଥିବା ପାକିସ୍ତାନ ଜନ୍ମିତ ଶପକ ମହମ୍ମଦ ହିଁ ସିଏଏ ବିରୋଧରେ ଭୋଟିଂ କରିବାକୁ ପ୍ରସ୍ତାବ ଆଗତ କରିଥିବା ଜଣାପଡ଼ିଛି।
from Odisha Reporter https://ift.tt/36yB6he
No comments:
Post a Comment