ଭୋର ହେଲେ ବୋଉ ଉଠେ ?
ନା ବୋଉ ଉଠିଲେ ଭୋର ହୁଏ ?
କୋଉଟା ଠିକ ଯେ ?
ବୋଉ ଭାଗର ନିଦ ମୁଁ ଶୁଏ
ବୋଉ ଭାଗର ନିଦ ରାତି ଶୁଏ
ରାତି ଭାତ ନିଦରେ ଶୁଏ
ରାତି ଆହୁରି ପ୍ରଗାଢ଼ ହୁଏ।
ମୋ ଭାଗର ଚେଇଁବା
ବୋଉ ଭାଗରେ,
ମୋର ଓ ବାପାଙ୍କ ଥାଳିର ଅଇଁଠା
ବୋଉ ଭାଗରେ
ଆମ ଘରର ଛିଡ଼ା ଚଦର, ଟେପ ନଥିବା ଚପଲ,
ଛୁଞ୍ଚୁକନା, ପବିତ୍ରା ପାଣି,
ବୋଉ ଭାଗରେ।
ବୋଉକୁ ଅନେଇ ସୂର୍ଯ୍ୟ
ଆଖି ମଳି ଉଠେ ?
ନା ଚନ୍ଦ୍ରମା ବୋଉକୁ ଦୂରରୁ ଝୁରେ,
ନା ସେ ତାରା ବୋଉକୁ ଦେଖି
ଆଖି ମିଟିମିଟି କରେ ?
କୋଉଟା ଠିକ ଯେ ?
ଦିଅଁ ବି ଶୋଇ ଥାଆନ୍ତି
ଆଗ ଉଠିପଡ଼େ ବୋଉ,
ସେ ପୃଥିବୀ ସମ୍ଭାଳନ୍ତି
ମାଟିକାଂଥ, ଝୋଟିଚିତା, ଅଗଣା, ବାଡ଼ି ଦୁଆର,
ବିରି, ମୁଗ, କୋଳଥ, ସୁଜୁନା ଛୁଇଁ,
ପତ୍ରପୋଡ଼ା, ବଡ଼ିଚୁରା, ତୁଳସୀ ଚଉରା
ଜେଜେମା ନାଲି ଚାହା, ଜେଜେବାପାଙ୍କ ଗୀତା,
ରାଧାଗୋବିନ୍ଦ ଆସ୍ଥାନ
ଆଉ ଏମିତି ଛୋଟମୋଟ ଦି’ ଚାରିଟା
ସମ୍ଭାଳେ ବୋଉ
ପତଳୀ, ଭାରି ଶୁଖିଲା ସେ
ସମ୍ଭାଳି ପାରେନି ଆଉ।
ଜ୍ୟୋତିପ୍ରକାଶ ମହାପାତ୍ର
ଯାଜପୁର
ଫୋନ୍-୯୪୩୭୦୮୦୦୪୮
from Odisha Reporter https://ift.tt/39glIHW
No comments:
Post a Comment