ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ପ୍ରତିଦିନ ସାମ୍ନାକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ପୂର୍ବଦିନର ରେକର୍ଡ ଭାଙ୍ଗିବାରେ ଲାଗିଛି। ବୁଧବାର ପ୍ରାୟ ୩୮୮ଟି କରୋନା ଜନିତ ମାମଲା ସାମ୍ନାକୁ ଆସିଛି। ତେବେ ବେସରକାରୀ ଭାବେ ବୁଧବାର ୪୩୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଏହି ସଂଖ୍ୟା ୩୧୫ ଥିଲା। ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ପାର କରିଥିବା ବେଳେ ଆନ୍ଧ୍ର ପ୍ରଦେଶରେ ମଧ୍ୟ ରୋଗୀଙ୍କ ସଂଖ୍ୟା ଦୁଇଗୁଣ ହୋଇଛି।
ବେସରକାରୀ ଭାବେ ମିଳିଥିବା ତଥ୍ୟ ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୬ ରହିଛି। ଏହାର ଅର୍ଥ ୪ ଦିନ ମଧ୍ୟରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ପୁଣି ୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ହେଲେ ସରକାରଙ୍କ ପକ୍ଷରୁ କେବଳ ୨ଟି ମୃତ୍ୟୁକୁ ସ୍ୱୀକାର କରାଯାଇଛି। ଏହି ୭ ମୃତ୍ୟୁପରେ ମହାରାଷ୍ଟ୍ରରେ କରୋନା ଜନିତ ମୃତ୍ୟୁସଂଖ୍ୟାର ୧୬ ଛୁଇଁଛି।
ଦିଲ୍ଲୀରେ ବୁଧବାର ୩୨ଟି ମାମଲା ସାମ୍ନାକୁ ଆସିଥିବା ବେଳେ କରୋନା ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ରରେ ୩୩ ଜଣଙ୍କ ଶରୀରରେ କୋଭିଡ୍-୧୯ ଭୂତାଣୁ ଠାବ ହୋଇଛି। ମଙ୍ଗଳବାର ଏଠାରେ ୮୨ ଜଣଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ ହୋଇଥିଲା।
ସେହିପରି ରାଜସ୍ଥାନରେ ୨୪, କେରଳରେ ୨୪, ତେଲେଙ୍ଗାନାରେ ୧୨, ଆସାମରେ ୧୨, ଗୁଜରାଟରେ ୧୩, ବିହାରରେ ୨, ଜମ୍ମୁ-କଶ୍ମୀରରେ ୭, ଓଡ଼ିଶାରେ ୧ ଓ ମଧ୍ୟପ୍ରଦେଶରେ ୨୦ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ କରୋନା ଯୋଗୁ ୯ ଜଣଙ୍କ ମୃତ୍ୟୁ ଘଟିଥିବା ଟାଇମ୍ସ ଅଫ ଇଣ୍ଡିଆରେ ଖବର ପ୍ରକାଶ ପାଇଛି।
ଦିଲ୍ଲୀରେ ଆୟୋଜିତ ନିଜାମୁଦ୍ଦିନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକମାନେ ହିଁ ଅଧିକାଂଶ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ନିଜାମୁଦ୍ଦିନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ପ୍ରାୟ ୩୮୯ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି।
ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ୧୫୨ ଥିବା ବେଳେ ୫୩ ଜଣ ନିଜାମୁଦ୍ଦିନ କାର୍ଯ୍ୟକ୍ରମରେ ଯୋଗଦେଇ ସଂକ୍ରମଣର ଶିକାର ହୋଇଛନ୍ତି। ଏମାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୫୩୬ ଜଣ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ଦିଲ୍ଲୀରେ ୬ ଜଣ ଡାକ୍ତର କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି।
from Odisha Reporter https://ift.tt/341jwTk
No comments:
Post a Comment