ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ମହାମାରୀର ମୁକାବିଲା ପାଇଁ ଲାଗୁ ହୋଇଥିବା ଲକଡାଉନକୁ ଆଜି ମାସେ ପୂରିଛି। ମାର୍ଚ୍ଚ ୨୫ ତାରିଖରୁ ଦେଶରେ ୨୧ ଦିନିଆ ଓ ପରେ ଏହାକୁ ମେ’ ୩ ଯାଏ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ ଘୋଷଣା କରିବା ବେଳେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ରହିଥିଲା। ଆଶଙ୍କା ଥିଲା ଏହି ସଂଖ୍ୟା ଦ୍ରୁତଗତିରେ ବଢ଼ିବ। କିନ୍ତୁ ଲକଡାଉନ ଏହାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଛି।
ଲକଡାଉନ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୨୪ରେ କରୋନାର ଦୈନିକ ବୃଦ୍ଧି ହାର ୨୧.୬% ରହିଥିଲା। ତେବେ ଲକଡାଉନ ହେବାରୁ ଏହା ପ୍ରତିଦିନ ୮.୧% ହାରରେ ବଢ଼ୁଛି। ଯଦି ଦେଶରେ ଲକଡାଉନ ହୋଇ ନଥାଆନ୍ତା, ତା’ହେଲେ ସେବେଠାରୁ ଆଜିକ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ପାର କରିଯାଇଥାଆନ୍ତା। ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ମଧ୍ୟରେ ସୀମିତ ରହିଛି।
ଅନ୍ୟପକ୍ଷରେ ୮.୧% ହାରରେ ସଂକ୍ରମଣ ଆଦୌ ଭଲ କଥା ନୁହେଁ। କାରଣ କରୋନା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଶ ଗୁଡ଼ିକ ଲକଡାଉନ ଘୋଷଣା କରି କରୋନା ସଂକ୍ରମଣ ହାରକୁ ରୋକିବା ଦିଗରେ ଭାରତ ଠାରୁ ଆଗରେ ରହିଛନ୍ତି। ଜର୍ମାନୀ ମାସକର ଲକଡାଉନ ମଧ୍ୟରେ କରୋନା ସଂକ୍ରମଣକୁ ଦୈନିକ ୨% ହ୍ରାସ କରିଥିବା ବେଳେ ଆମେରିକାରେ ପ୍ରତିଦିନ ୪.୮% ହାରରେ କରୋନା ସଂକ୍ରମିତ ହେଉଛି।
ଯଦି ଭାରତରେ କରୋନା ଏଭଳି ଭାବେ ଆଗକୁ ବଢ଼େ ତା’ହେଲେ, ଆସନ୍ତା ସପ୍ତାହ ଶେଷ ସୁଦ୍ଧାରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାରରେ ପହଞ୍ଚି ଯାଇଥିବ। ସେହିପରି ୧୫ ଦିନ ପରେ ୭୦ ହଜାର ଓ ମେ’ ଶେଷ ବେଳକୁ ଏହି ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଦେଶରେ କରୋନା ୮.୧% ହାରରେ ସଂକ୍ରମିତ କରୁଥିବା ବେଳେ କେରଳରେ ଏହା ୧.୮% ରହିଛି। ଅର୍ଥାତ ଜର୍ମାନୀ ଠାରୁ କେରଳ କରୋନା ମୁକାବିଲାରେ ଆଗରେ ରହିଛି। ଯଦି ଭାରତ କରୋନା ସଂକ୍ରମଣ ହାରକୁ ୬%କୁ ହ୍ରାସ କରିଦେଉଛି, ତା’ହେଲେ ଗୋଟିଏ ମାସ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧.୩ ଲକ୍ଷ ରହିବ। ସେହିପରି ଏହା ୫% ହେଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ମଧ୍ୟ ଅତିକ୍ରମ କରିବ ନାହିଁ।
from Odisha Reporter https://ift.tt/3cFulO2
No comments:
Post a Comment