ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଖବର ଆସୁଥିବା ବେଳେ ଆର୍ମୀ ଚିଫ୍ ଜେନେରାଲ ଏମ୍. ଏମ. ନରଭାନେ ଆଜି ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୀମାରେ ସ୍ଥିତି ନିୟନ୍ତ୍ରଣରେ ରହିଛି। ଉଭୟ ଦେଶ ମଧ୍ୟରେ ଲଗାତର ଆଲୋଚନା ଜାରି ଥିବା ମଧ୍ୟ ସେ କହିଛନ୍ତି।
କିଛି ଦିନ ହେଲା ଭାରତ-ଚୀନ ସୀମାରେ ପରିସ୍ଥିତି ଅଶାନ୍ତ ରହିଥିଲା। ଏହାରି ଭିତରେ ଶନିବାର ଆର୍ମୀ ଚିଫ୍ ଜେନେରାଲ ନରଭାନେ ଦେଶବାସୀଙ୍କ ଏନେଇ ଅବଗତ କରାଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ଆଶ୍ୱସ୍ତି ଦେବାକୁ ଚାହୁଛି ଯେ ସୀମାରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ଉଭୟ ଦେଶର କୋର୍ କମାଣ୍ଡର ସ୍ତରରେ ଆରମ୍ଭ ହୋଇଥିବା ଆଲୋଚନାର କ୍ରମ ଏବେ ମଧ୍ୟ ଜାରି ରହିଛି ବୋଲି ସେ କହିଛନ୍ତି।
ନରଭାନେ ଆହୁରି କହିଛନ୍ତି, ଲଗାତର ଆଲୋଚନା ମାଧ୍ୟମରେ ଭାରତ-ଚୀନ ମଧ୍ୟରେ ଥିବା ମତାନ୍ତରଗୁଡ଼ିକ ଦୂର ହୋଇଯିବ ବୋଲି ଆମର ଆଶା ରହିଛି। ତେବେ ବର୍ତ୍ତମାନ କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି।
ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ନେପାଳ ବାବଦରେ ସେନା ମୁଖ୍ୟ କହିଛନ୍ତି ଯେ, ନେପାଳ ସହ ଆମର ସମ୍ପର୍କ ସୁଦୃଢ଼ ରହିଛି। ଆମ ଭିତରେ ଭୌଗୋଳିକ, ସାଂସ୍କୃତିକ, ଐତିହାସିକ ଏବଂ ଧାର୍ମିକ ସମ୍ପର୍କ ରହିଛି। ଲୋକମାନଙ୍କ ପରସ୍ପର ସମ୍ପର୍କ ବି ମଜବୁତ ଅଛି। ନେପାଳ ସହ ଭାରତର ସମ୍ପର୍କ ସବୁବେଳେ ମଜବୁତ ଏବଂ ଆଗାମୀ ଭବିଷ୍ୟତରେ ମଧ୍ୟ ମଜବୁତ ରହିବ ବୋଲି ସେ କହିଛନ୍ତି।
ତେବେ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ନେଇ ନରଭାନେ କହିଛନ୍ତି, ଆମକୁ ଅନେକ ସଫଳତା ମିଳିଚି। ଗତ ୧୦-୧୫ ଦିନ ଭିତରେ ୧୫ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହା କେବଳ ଜମ୍ମୁ-କାଶ୍ମୀରରେ ମୁତୟନ ସମସ୍ତ ସୈନ୍ୟଙ୍କ ଘନିଷ୍ଠ ସହଯୋଗ ଏବଂ ସମନ୍ୱୟ କାରଣରୁ ସମ୍ଭବ ହୋଇଛି। ଅଧିକାଂଶ ଅପରେସନ ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ତଥ୍ୟକୁ ଆଧାର କରି କରାଯାଇଥିଲା। ଏଥିରୁ ଏହା ଜଣାପଡ଼ୁଛି ଯେ, ସ୍ଥାନୀୟ ଲୋକେ ମଧ୍ୟ ଉଗ୍ରବାଦୀ ଏବଂ ଆତଙ୍କବାଦୀଠାରୁ ମୁକ୍ତି ଚାହୁଁଛନ୍ତି। ସେମାନେ ବି ଚାହୁଁଛନ୍ତି ସ୍ଥିତି ସାମାନ୍ୟ ହୋଇଯାଉ।
from Odisha Reporter https://ift.tt/2XUu9pI
No comments:
Post a Comment