ନୂଆଦିଲ୍ଲୀ: ବଲିଉଡ୍ କଳାକାରଙ୍କ ମଧ୍ୟରେ ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ସୋନୁ ସୁଦ୍। କରୋନା ଯୋଗୁ ଉତ୍ପନ୍ନ ଲକ୍ଡାଉନ୍ ସ୍ଥିତିରେ ସେ ବହୁ ପ୍ରବାସୀଙ୍କୁ ସେମାନଙ୍କ ଜନ୍ମମାଟିକୁ ପହଞ୍ଚାଇବାରେ ସାହାଯ୍ୟ କରିଛନ୍ତି। ଖାଲି ସେତିକି ନୁହେଁ, ସେ ଏବେ ଏକ ଆପ୍ ଲଞ୍ଚ୍ କରିଛନ୍ତି। ଏହି ଆପ୍ ଜରିଆରେ ପାଖାପାଖି ୩ ଲକ୍ଷ ପ୍ରବାସୀ ରୋଜଗାର ପାଇପାରିବେ। କରୋନା ଭଳି ସ୍ଥିତିରେ ସୋନୁ ସୁଦ୍ଙ୍କ ଏସବୁ କାର୍ଯ୍ୟ ବିଷୟରେ ପ୍ରାୟ ସମସ୍ତେ ଜାଣିଛନ୍ତି। ତେବେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି। କାରଣ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଗଣମାଧ୍ୟମରେ ଆଲୋଚନା କରିବାକୁ ଭଲପା’ନ୍ତି ନାହିଁ।
ସୋନୁ ସୁଦ୍ ଲଭ୍ ମ୍ୟାରେଜ୍ କରିଛନ୍ତି। ତାଙ୍କ ପତ୍ନୀଙ୍କ ନାଁ ସୋନାଲି। ସେ ମିଡିଆ ଠାରୁ ଦୂରରେ ରହନ୍ତି। କିନ୍ତୁ ସୋନୁଙ୍କ ସଂଘର୍ଷ ଠାରୁ ଆରମ୍ଭ କରି ଏଯାବତ୍ ସେ ତାଙ୍କ ସହିତ ରହିଛନ୍ତି।
ସୋନୁଙ୍କ ଲଭ୍ଷ୍ଟୋରୀ ଆରମ୍ଭ ହୋଇଥିଲା କଲେଜରେ ପଢ଼ିବା ବେଳରୁ। ସେ ନାଗପୁରରେ ଇଞ୍ଜିନିୟରିଂ କରୁଥିବା ବେଳେ ସୋନାଲିଙ୍କୁ ଭେଟିଥିଲେ। ସେତେବେଳେ ସୋନାଲି ସେଠାରେ ଏମ୍ବିଏ କରୁଥିଲେ। ସେମାନଙ୍କ ପ୍ରେମ ସଫଳ ହୋଇଥିଲା ଓ ୧୯୯୬ ସେପ୍ଟେମ୍ବର ୨୫ ତାରିଖରେ ସେମାନଙ୍କର ବିବାହ ହୋଇଥିଲା। ସେତେବେଳେ ସୋନୁ ଫିଲ୍ମ ଓ ମଡେଲିଂରେ ପାଦ ଥାପି ନଥିଲେ।
ଥରେ ଏକ ସାକ୍ଷାତକାରରେ ସୋନୁ କହିଥିଲେ ଯେ ସଂଘର୍ଷ ଦିନ ଗୁଡ଼ିକରେ ତାଙ୍କୁ ଏମିତି ଏକ ଫ୍ଲାଟ୍ରେ ରହିବାକୁ ପଡ଼ୁଥିଲା, ଯେଉଁଠାରେ ଆହୁରି ୩ ଜଣ ରହୁଥିଲେ। ସେହି ସମୟରେ ବି ସୋନାଲି ତାଙ୍କ ସହିତ ରହିଥିଲେ ଓ ଆଦୌ ଅଭିଯୋଗ କରି ନଥିଲେ।
ଗତ ଫେବ୍ରୁଆରୀରେ ସୋନୁ ସୋଶାଲ୍ ମିଡିଆରେ ଏକ ଫଟୋ ପୋଷ୍ଟ୍ କରିଥିଲେ। ଏହା ଏକ ଲଭ୍ ଲେଟର ଥିଲା, ଯାହା ସେ କଲେଜ୍ରେ ପଢ଼ିବା ବେଳେ ସୋନାଲିଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ। ଏହାକୁ ପୋଷ୍ଟ୍ କରି ସୋନୁ ଲେଖିଥିଲେ- ଯେତେବେଳେ ସୋଶାଲ୍ ମିଡିଆ ନଥିଲା।
ସୋନୁ ଓ ସୋନାଲି ଦୁଇଟି ପୁଅଙ୍କର ବାପାମା’। ସୋନୁ ସେମାନଙ୍କ ଫଟୋ ବିଭିନ୍ନ ସମୟରେ ସୋଶାଲ୍ ମିଡିଆରେ ପୋଷ୍ଟ କରନ୍ତି।
The post ସୋନୁ-ସୋନାଲିଙ୍କ ଲଭ୍ଷ୍ଟୋରୀ appeared first on Odisha Reporter.
from Odisha Reporter https://ift.tt/33f31or
No comments:
Post a Comment