ଆଳି(ବନମାଳି ସାହୁ): ‘ପ୍ଲାଜମା ଦାନ, ଜୀବନ ଦାନ’। ଏହାର ମର୍ମକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ରାଜ୍ୟର ପ୍ରଥମ ପ୍ଲାଜମା ଡୋନର କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ରାଧାନଗର ଗାଁର ମନୋଜ ବରାଳ। ମନୋଜ ରାଜ୍ୟର ପ୍ରଥମ ପ୍ଲାଜମା ଡୋନର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ନିଜେ ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦାନ କରି ୨ ଜଣଙ୍କୁ ମରଣ ମୁହଁରୁ ଫେରାଇ ଆଣି ପାରିଥିବାରୁ ବେଶ୍ ଗର୍ବିତ ମଧ୍ୟ ଅନୁଭବ କରୁଛନ୍ତି।
ଦୁବାଇ ଫେରନ୍ତା ମନୋଜ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ। ଏହାପରେ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ହେଲେ ତାଙ୍କ ଦ୍ୱାରା କିପରି ଅନ୍ୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇପାରିବେ ତାହା ଚିନ୍ତା କରି ବିନା ଦ୍ୱିଧାରେ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଥିଲେ। ତାଙ୍କ ଯୋଗୁ କଟକ ଓ ଭୁବନେଶ୍ୱରର ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ପାରିଛନ୍ତି।
ମନୋଜଙ୍କ ଏଭଳି କାର୍ଯ୍ୟ ପାଇଁ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି। ଗତକାଲି ଆଳି ବିଧାୟକ ପ୍ରତାପ କେଶରୀ ଦେବ ମନୋଜଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ମନୋଜଙ୍କ ଏହି ମହାନ ଦାନ କେବଳ ୨ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇନାହିଁ ତାଙ୍କର ଦାନ ଅନ୍ୟ କରୋନାମୁକ୍ତଙ୍କୁ ମଧ୍ୟ ପ୍ଲାଜମା ଦାନ ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ବିଧାୟକ ପ୍ରତାପ ଦେଵ । ମନୋଜଙ୍କ ପରି ପ୍ଲାଜମା ଦାନ କରିବାକୁ ଆଗେଇ ଆସିବାକୁ ବିଧାୟକ ଆହ୍ୱାନ ଦେଇଛନ୍ତି। ସେମାନଙ୍କଠୁ ପ୍ଲାଜମା ନେଇ ଅନ୍ୟ କରୋନା ରୋଗୀଙ୍କୁ ଦାନ କଲେ ସେମାନେ ମଧ୍ୟ ଶୀଘ୍ର ସୁସ୍ଥ ହୋଇପାରିବେ ବୋଲି ସେ କହିଛନ୍ତି।
ନିଜ ଅନୁଭୂତି ବଖାଣି ମନୋଜ କହିଛନ୍ତି, ଦୁବାଇରୁ ୨୩ ମାର୍ଚ୍ଚରେ ଘରକୁ ଫେରିବା ପରେ ହୋମ୍ ଆଇସୋଲେସନ୍ରେ ରହିଲି। କିନ୍ତୁ ଅସୁସ୍ଥତା ଅନୁଭବ କରିବାରୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ କରୋନା ଟେଷ୍ଟ କରାଇଥିଲା। ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଲା। ଏହାପରେ ଚିକିତ୍ସା ପାଇଁ କଟକ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି ହେଲି। ଜିଲ୍ଲାର ତଥା ଗାଁର ପ୍ରଥମ କରୋନା ରୋଗୀ ହୋଇଥିବାରୁ ସମସ୍ତେ ଭୟଭୀତ ଅବସ୍ଥାରେ ଥିଲେ। କିନ୍ତୁ ମୁଁ ନିଜ ମନୋବଳକୁ ଦୃଢ ରଖିଥିଲା। ସୁସ୍ଥ ହୋଇ ଘରକୁ ଫେରିବି ବୋଲି ବିଶ୍ୱାସ ମଧ୍ୟ ମନରେ ଥିଲା।
ସୁସ୍ଥ ହୋଇ ଘରକୁ ଫେରିବା ପରେ ସବୁ କିଛି ଠିକ୍ ହୋଇଯାଇଥିବା କହିଛନ୍ତି ମନୋଜ। ଏବେ ଯୋଗ, ବ୍ୟାୟାମ ଊଉପରେ ଧ୍ୟାନ ଦେଇ ବେଶ୍ ସୁସ୍ଥ ଥିବା କହିଛନ୍ତି ମନୋଜ। ସେ ଘରକୁ ଫେରିବା ପରେ ଅଶ୍ୱିନି ହସ୍ପିଟାଲରୁ ଡାକ୍ତର ଫୋନ୍ କରି ପ୍ଲାଜମା ଦାନ ସମ୍ପର୍କରେ ବୁଝାଇଲେ। ଏହାଦ୍ୱାରା ଆଉ ୨ ଜଣ ବଞ୍ଚି ପାରିବେ ବୋଲି କହିଥିଲେ। ତେଣୁ ନିଜେ ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦେବାକୁ ଆଗେଇ ଆସିଲି। ନିଜେ କଟକ ଏସସିବି ଯାଇ ପ୍ଲାଜମା ଦାନ କରିଥିବା ବେଳେ ଏଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମନୋଜ।
The post ରାଜ୍ୟର ପ୍ରଥମ ପ୍ଲାଜମା ଡୋନର ମନୋଜ, ବଞ୍ଚାଇଲେ ୨ ଜୀବନ appeared first on Odisha Reporter.
from Odisha Reporter https://ift.tt/2XgQzRi
No comments:
Post a Comment