ଜୟପୁର: ପୁଣିଥରେ କୋର୍ଟରୁ ଆଶ୍ୱସ୍ତି ପାଇଛନ୍ତି ସଚିନ ପାଇଲଟ। ରାଜସ୍ଥାନ ଓ କଂଗ୍ରେସ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟ ଓ ତାଙ୍କ ୧୮ ସହଯୋଗୀ ବିଧାୟକଙ୍କ ବିରୋଧରେ ବର୍ତ୍ତମାନ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଆଜି ରାଜସ୍ଥାନ ହାଇକୋର୍ଟ କହିଛନ୍ତି।
କୋର୍ଟ ମାମଲାର ସ୍ଥିତାବସ୍ଥା ବଜାୟୀ ରଖିବାକୁ ରାଜସ୍ଥାନ ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର ଦିନ କରାଯିବ। ଆଜି ଶୁଣାଣି ବେଳେ ସଚିନ ପାଇଲଟ ଆଣ୍ଡ କୋ’ କେନ୍ଦ୍ରକୁ ଏହି ମାମଲାରେ ପକ୍ଷଭୁକ୍ତ କରିବାକୁ ଆବେଦନ କରିଥିଲେ।
ସେମାନଙ୍କ ବିରୋଧରେ ଦଳ ବଦଳ ଆଇନ ଜରିଆରେ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଉଛି। ତେଣୁ ଏହି ମାମଲାରେ କେନ୍ଦ୍ର ସରକାର ପକ୍ଷଭୁକ୍ତ ହେବା ଦରକାର ବୋଲି ସଚିନଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ। କୋର୍ଟ ମଧ୍ୟ ଏହାକୁ ଗ୍ରହଣ କରି କେନ୍ଦ୍ରକୁ ମାମଲାରେ ପକ୍ଷଭୁକ୍ତ କରିଛନ୍ତି। ଏବେ ପରବର୍ତ୍ତୀ ଶୁଣାଣି ବେଳେ କେନ୍ଦ୍ର ସରକାର ନିଜ ଯୁକ୍ତି ଉପସ୍ଥାପନ କରିବେ।
ଗତକାଲି ସୁପ୍ରିମକୋର୍ଟ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ହାଇକୋର୍ଟ ନେବେ ବୋଲି କହିଥିଲେ। ଆଜି ହାଇକୋର୍ଟ ମାମଲାର ଶୁଣାଣି କରିଥିଲେ ହେଁ ଏହାକୁ ସୋମବାର ଯାଏ ଘୁଞ୍ଚାଇ ଦେଇଛନ୍ତି। ସୋମବାର ରାଜସ୍ଥାନ ସଙ୍କଟର ଶୁଣାଣି ସୁପ୍ରିମକୋର୍ଟରେ ମଧ୍ୟ ହେବ। ତେଣୁ ହାଇକୋର୍ଟ ଆଗ ଶୁଣାଣି କରିବେ ନା ସୁପ୍ରିମକୋର୍ଟ ତାହା ଜଣାପଡ଼ିନାହିଁ।
ଦଳ ଓ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବାରୁ ସଚିନ ପାଇଲଟ ଓ ତାଙ୍କର ୧୮ ବିଧାୟକଙ୍କୁ ବାଚସ୍ପତି ସିପି ଯୋଶୀ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ନୋଟିସ୍ରେ ସେମାନଙ୍କୁ କାହିଁକି ଦଳ ବଦଳ ଆଇନ ଅନୁସାରେ ଅଯୋଗ୍ୟ ଘୋଷଣା କରାଯିବ ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ।
ତେବେ ଏହା ବିରୋଧରେ ସଚିନ ପାଇଲଟ କ୍ୟାମ୍ପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହାର ଶୁଣଣି ୩ଥର କଲେଣି। ହେଲେ ସବୁଥର କେବଳ ତାରିଖ ଘୁଞ୍ଚାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
The post ସଚିନ ପାଇଲଟଙ୍କ ବିରୋଧରେ ଏବେ ହେବନି କାର୍ଯ୍ୟାନୁଷ୍ଠାନ, କେନ୍ଦ୍ର ହେଲା ପକ୍ଷ ଭୁକ୍ତ appeared first on Odisha Reporter.
from Odisha Reporter https://ift.tt/2ZVpOUc
No comments:
Post a Comment