କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଅଲଟ୍ରାସାଉଣ୍ଡ କରିବା ଆଗରୁ ଗର୍ଭବତୀ ମହିଳାଙ୍କୁ ଡାକ୍ତର ମାଗିଲେ କୋଭିଡ ରିପୋର୍ଟ। ହେଲେ କେଉଁଠି କୋଭିଡ ଟେଷ୍ଟ ହେବ ସେ ସମ୍ପର୍କରେ ସଠିକ୍ ତଥ୍ୟ କେହି ଦେଇପାରିଲେ ନାହିଁ। ଶେଷରେ ୫ ଘଣ୍ଟା କାଳ ମେଡିକାଲ କଲେଜରୁ ବିଭିନ୍ନ ସ୍ଥାନକୁ ଯାଇ ନିରାଶ ହେଲେ ଗର୍ଭବତୀ ମହିଳା। ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ। ଏଠି ଟେଷ୍ଟ ହେବ ସେଠି ଟେଷ୍ଟ ହେବ କହି ସେମାନଙ୍କୁ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଭୂଆଁ ବୁଲାଇବା ପରେ ଶେଷରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ମେଡିକାଲ କଲେଜରେ ହିଁ ଟେଷ୍ଟ ହୋଇଥିବା ଜଣାଯାଇଛି।
ଜଣେ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ସକାଳ ୭ଟାରେ ଅଲଟ୍ରାସାଉଣ୍ଡ ପାଇଁ କେତେକ ମହିଳା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲ ଯାଇଥିଲେ। ମାତ୍ର କୋଭିଡ ଟେଷ୍ଟ ନ ହେଲେ ଅଲଟ୍ରାସାଉଣ୍ଡ କରି ହେବନି ବୋଲି ଡାକ୍ତର ସେମାନଙ୍କୁ କହିଥିଲେ । ଏହାପରେ ମେଡିକାଲ କ୍ୟାମ୍ପସ୍କୁ ଯିବାରୁ ସେଠାରେ ମଧ୍ୟ କୋଭିଡ ଟେଷ୍ଟ ହେଲାନି। ସେଠାରେ ଥିବା ଅଧିକାରୀ ସେମାନଙ୍କୁ ୨ କି.ମି ଦୂର ମହିଳା କଲେଜ ଯିବାକୁ କହିଲେ।
ମହିଳା କଲେଜରେ ପହଞ୍ଚିବାରୁ ସେଠାରେ ସାଧାରଣ ଲୋକଙ୍କ କୋଭିଡ ଟେଷ୍ଟ ହେଉଥିବା ବେଳେ ଗର୍ଭବତୀ ମହିଳାଙ୍କର ହେଉନି ବୋଲି କହିଥିଲେ। ଏହାପରେ ପୁଣି ସେମାନେ ମେଡିକାଲ ଫେରି ଆସିଥିଲେ। ମାତ୍ର ଟେଷ୍ଟ ନିମନ୍ତେ କୌଣସି ନିର୍ଦ୍ଦେଶ ଆସି ନ ଥିବାରୁ ଟେଷ୍ଟ କରି ହେବ ନାହିଁ ବୋଲି ସେଠାରେ ଉପସ୍ଥିତି ଅଧିକାରୀ ମନା କରିଥିଲେ। ଏପରି ସ୍ଥିତିରେ ୫ ଘଣ୍ଟା କାଳ ଏପଟ ସେପଟ ହେବା ପରେ ନିରାଶ ହୋଇ ଗର୍ଭବତୀ ମହିଳାମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ତୁରନ୍ତ ଏହି ସମସ୍ୟାର ସମାଧାନ ନିମନ୍ତେ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ ମେଡିକାଲ କଲେଜର ପ୍ରସୂତି ବିଭାଗରେ ହିଁ ସେମାନଙ୍କର ଆଣ୍ଟିଜେନ ଟେଷ୍ଟ ହୋଇଥିବା ଜଣାପଡ଼ିଛି। ଏହାପରେ ସେମାନଙ୍କର ଅଲଟ୍ରାସାଉଣ୍ଟ ହୋଇଥିବା ଜଣାଯାଇଛି।
The post ଗର୍ଭବତୀ ହଟହଟା; ଅଲଟ୍ରା ସାଉଣ୍ଟ ପୂର୍ବରୁ ଡାକ୍ତର ମାଗୁଛନ୍ତି କୋଭିଡ ରିପୋର୍ଟ appeared first on Odisha Reporter.
from Odisha Reporter https://ift.tt/33DEauF
No comments:
Post a Comment