ଭାରତୀୟ ରାଜନୀତି ଆକାଶରେ ଧ୍ରୁବତାରା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ସେ ଆଉ ଆମ ଗହଣରେ ନାହାନ୍ତି ସତ, କିନ୍ତୁ ତାଙ୍କ ରାଜନୈତିକ ଅବଦାନ ଓ ବିକାଶର ପରିକଳ୍ପନା ଏବେ ବି ହୀରା ଭଳି ଚକ୍ଚକ୍ କରୁଛି।
କ୍ଷମତାରେ ଥାଆନ୍ତୁ ବା ନ ଥାଆନ୍ତୁ, ଅଟଳ ବିହାରୀ ବାଜପେୟୀ ସବୁବେଳେ ଦେଶର ସ୍ୱାର୍ଥ ପାଇଁ କାର୍ଯ୍ୟ କରିଥିଲେ। ଏଥିପାଇଁ ବିରୋଧୀ ଦଳ ଗୁଡ଼ିକ ମଧ୍ୟ ତାଙ୍କୁ ବେଶ୍ ସମ୍ମାନ କରନ୍ତି। ଅଟଳ ବିହାରୀ ବାଜପେୟୀଙ୍କ ନିଆରା ବ୍ୟକ୍ତିତ୍ୱ ସମ୍ପର୍କରେ ଅନେକ କାହାଣୀ ରହିଛି। ଆପଣମାନେ ବି କେଉଁଠି ନା କେଉଁଠି ସେଗୁଡ଼ିକୁ ପଢ଼ିଥିବେ ବା ସେଗୁଡ଼ିକ ସଂପର୍କରେ ଜାଣିଥିବେ। ତେବେ ଆସନ୍ତୁ ସେଗୁଡ଼ିକୁ ପୁଣି ଥରେ ମନେ ପକାଇବା।
ସୋମନାଥଙ୍କ ମାନଭଞ୍ଜନ କରିଥିଲେ ବାଜପେୟୀ
ଭାରତୀୟ ରାଜନୀତିରେ ଅଟଳ ବିହାରୀ ବାଜପେୟୀ ଏମିତି ଜଣେ ନେତା ଥିଲେ ଯିଏ ବିରୋଧୀଙ୍କର ମଧ୍ୟ ପ୍ରିୟ ଥିଲେ। ହେଲେ ଥରେ ବାଜପେୟୀଙ୍କ ଉପରେ ରାଗି ଯାଇଥିଲେ ସୋମନାଥ ଚାଟାର୍ଜୀ।
ଘଟଣାଟି ୨୦୦୬ ଅଗଷ୍ଟ ମାସର। ସେତେବେଳେ ସୋମନାଥ ଚାଟାର୍ଜୀ ଲୋକସଭାର ବାଚସ୍ପତି ଥିଲେ। ବିଜେପି ସେତେବେଳେ ବାଚସ୍ପତି ପକ୍ଷପାତ କରୁଥିବା ଅଭିଯୋଗ ଆଣିଥିଲା। ଏପରିକି ସୋମନାଥଙ୍କ ବିରୋଧରେ ଏକ ଚିଠିରେ ବହୁ ବିଜେପି ନେତା ଦସ୍ତଖତ କରିଥିଲେ। ଏଥିରେ ଅଟଳବିହାରୀ ବାଜପେୟୀ ବି ଦସ୍ତଖତ କରିଥିଲେ। ଏହି ଚିଠିକୁ ନେଇ ସେତେବେଳେ ଖୁବ୍ ହଙ୍ଗାମା ହୋଇଥିଲା। ଶାସନରେ ଥିବା ୟୁପିଏ ଏହି ଅଭିଯୋଗକୁ ନେଇ ବିଜେପି ବିରୋଧରେ ବିଷୋଦଗାର କରିଥିଲା।
ଏହି ଚିଠିରେ ବାଜପେୟୀଙ୍କ ଦସ୍ତଖତ ଦେଖି ସୋମନାଥ ଅଧିକ ମର୍ମାହତ ହୋଇଥିଲେ। ସୋମନାଥ ଏ ସମ୍ପର୍କରେ ବାଜପେୟୀଙ୍କୁ ଫୋନ୍ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। କହିଥିଲେ, ଯଦି ସେ ସଦନରେ ପକ୍ଷପାତିତା କରୁଥିବା କେହି ଅନୁଭବ କରୁଥା’ନ୍ତି, ତା’ହେଲେ ସେ ଆଜି ହଁ ଏହି ପଦ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି।
ସୋମନାଥଙ୍କ ଏହି କଥା ଶୁଣି ବାଜପେୟୀ କହିଥିଲେ, “କମ୍ରେଡ୍, ବିଜେପିର ସଦସ୍ୟ ହୋଇଥିବା ଯୋଗୁଁ ମୁଁ ସେଥିରେ ଦସ୍ତଖତ କରିଛି। ଯଦି ମୁଁ ଦସ୍ତଖତ ନକରିବି, ତେବେ ଏହା ଦଳ ଅନୁଶାସନର ପରିପନ୍ଥୀ ହେବ। କିନ୍ତୁ ବ୍ୟକ୍ତିଗତ ଭାବେ କହିବି ଯେ, ଆପଣ କେବେ ଭେଦଭାବ କରନ୍ତି ନାହିଁ।”
ଏହା ଶୁଣି ସୋମନାଥ ପ୍ରଶ୍ନ କରି କହିଥିଲେ, “ଯଦି ଆପଣ ଏହି ପତ୍ରରେ ଦସ୍ତଖତ କରି ନଥା’ନ୍ତେ, ତେବେ କ’ଣ ଅନୁଶାସନ ଭାଙ୍ଗିଯାଇଥା’ନ୍ତା?
ଏହାର ଜବାବ ବାଜପେୟୀ ବ୍ୟଙ୍ଗାତ୍ମକ ଢଙ୍ଗରେ ଦେଇଥିଲେ। କହିଥିଲେ, “କମ୍ରେଡ୍, ଯଦି ତୁମେ ଏମିତି ଭାବୁଛ, ତା’ ହେଲେ ଠିକ୍ ଅଛି। ସତ ଏଇଆ ଯେ, ମୁଁ ଭାଜପା ନେତା। ହେଲେ ଭାବିନିଅ ମୁଁ ଜଣେ ବାମପନ୍ଥୀ, ଆଉ ମୋତେ ତୁମ ଭୋଜିକୁ ନିମନ୍ତ୍ରଣ ଦେଇ ଦେଖ। ଦେଖିବ ତା’ ପରେ ତୁମେ ନିଜେ ଭାଜପା ପାଇଁ ଗୋଟେ ବଡ଼ ଆସେଟ୍ ପାଲଟିଯିବ।”
ଏହା ଶୁଣି ସୋମନାଥ ହସିଥିଲେ। ଆଉ ବାଜପେୟୀଙ୍କ ପ୍ରତି ଥିବା ତାଙ୍କ ଅସନ୍ତୋଷ ଦୂର ହୋଇଯାଇଥିଲା।
ବୈଦେଶିକ ମନ୍ତ୍ରୀ ହୋଇ ଖଟିଆରେ ଶୋଇଥିଲେ
୨୦୧୮ରେ ବାଜପେୟୀଙ୍କ ମୃତ୍ୟୁ ପରେ ଏହି ଘଟଣାଟି ବିଷୟରେ କହିଥିଲେ ରାଜସ୍ଥାନର ଭରତପୁରର ପୂର୍ବତନ ସାଂସଦ ପଣ୍ଡିତ ରାମକିଶନ୍। ସେ କହିଥିଲେ ବାଜପେୟୀ ଯେତେବଳେ ବୈଦେଶିକ ମନ୍ତ୍ରୀ ଥିଲେ ସେ ସମୟରେ ରାଜସ୍ଥାନର ଭିଲୱାଡ଼ାରେ ଉପନିର୍ବାଚନ ଥିଲା। ସେତେବେଳେ ତାଙ୍କୁ ବାଜପେୟୀଙ୍କ ସହ ନିର୍ବାଚନ ପ୍ରଚାର ପାଇଁ ଭିଲୱାଡ଼ା ଯିବାର ସୌଭାଗ୍ୟ ମିଳିଥିଲା।
ଭିନ୍ନ ଭିନ୍ନ ସ୍ଥାନରେ ପ୍ରଚାର କରିବା ପରେ ସେମାନେ ଭିଲୱାଡ଼ା ସର୍କିଟ ହାଉସରେ ପହଞ୍ଚିଥିଲେ। ସର୍କିଟ ହାଉସ୍ରେ ବାଜପେୟୀଙ୍କ ପାଇଁ ରୁମ୍ ବୁକ୍ ହୋଇଥିଲା। କାରଣ ସେ ବୈଦେଶିକ ମନ୍ତ୍ରୀ ଥିଲେ। କିନ୍ତୁ ରାମକିଶନଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇ ନଥିଲା। ତାଙ୍କ ପାଇଁ ସର୍କିଟ ହାଉସର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଏକ ଖଟିଆ ବଗିଚାରେ ପଡ଼ିଥିଲା।
ବାଜପେୟୀ ଏହା ଜାଣିବା ପରେ ସଙ୍ଗେ ସଙ୍ଗେ ତାଙ୍କ ରୁମରୁ ବାହାରି ବଗିଚାକୁ ପଳାଇ ଆସିଥିଲେ। ଆଉ ସେହି ଖଟିଆରେ ରାମକିଶନଙ୍କ ସହ ଏକାଠି ଶୋଇଥିଲେ।
ରାମକିଶନ କହିଥିଲେ, ଏବେକାର ନେତାଙ୍କ ମଧ୍ୟରେ ସେମିତି ମହାନତା ଆଉ ଦେଖିବାକୁ ମିଳୁନାହିଁ। ଅଟଳବିହାରୀ ବାଜପେୟୀ ବେଶ ସାଦାସିଧା ଥିଲେ। କ୍ଷମତାର ଶିଖରରେ ପହଞ୍ଚିଥିଲେ ମଧ୍ୟ ତାଙ୍କ ଜୀବନଶୈଳୀ ଅତି ସରଳ ଓ ନିରାଡ଼ମ୍ବର ଥିଲା। ବିଳାସମୟ ଓ ସୌଖୀନ ଜୀବନ ଶୈଳୀଠାରୁ ବେଶ ଦୂରରେ ଥିଲେ ବାଜପେୟୀ। ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱକୁ ଯାଇ ଜନତାଙ୍କ ସେବା କରିବା ବାଜପେୟୀଙ୍କ ପ୍ରବୃତ୍ତି ଥିଲା।
ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଖାଇବା ଥାଳିରୁ ଉଠି ଯାଇଥିଲେ
ବାଜପେୟୀଙ୍କ ପରଲୋକ ପରେ ଏ ଘଟଣା ସଂପର୍କରେ କହିଥିଲେ ବିଜେପିର ଅନ୍ୟ ଜଣେ ଟାଣୁଆ ନେତା ଲାଲାଜୀ ଟଣ୍ଡନ। ଗତମାସରେ ଲାଲଜୀ ଟଣ୍ଡନଙ୍କର ବି ପରଲୋକ ହୋଇଯାଇଛି, ଯିଏ ବିହାର ଓ ମଧ୍ୟ ପ୍ରଦେଶର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।
୨୦୧୮ ମସିହାରେ ବାଜପେୟୀଙ୍କ ପରଲୋକ ପରେ ଲାଲଜୀ ଟଣ୍ଡନ ୧୯୯୨ ମସିହାର ଗୋଟିଏ କଥା ମନେ ପକାଇଥିଲେ। ସେତେବେଳେ ରାମ ଜନ୍ମଭୂମିକୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲିଥାଏ। ସେହି ସମୟରେ ବାଜପେୟୀ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ସାଂସଦ ହୋଇଥିଲେ। ଦିନେ ସେ ତାଙ୍କ ଲକ୍ଷ୍ନୌ ସ୍ଥିତ ବାସ ଭବନରେ ମଧ୍ୟାହ୍ନ ଭୋଜନ କରୁଥା’ନ୍ତି। ସେତେବେଳେ ହଠାତ୍ ଲକ୍ଷ୍ନୌର ତତ୍କାଳୀନ ଜିଲ୍ଲାପାଳ ଓ ରାଜ୍ୟପାଳ ମୋତିଲାଲ୍ ଭୋରାଙ୍କ ଉପଦେଷ୍ଟା ଭୟଭୀତ ଅବସ୍ଥାରେ ବାଜପେୟୀଙ୍କ ବାସଭବନରେ ପହଞ୍ଚିଥିଲେ। ବାଜପେୟୀଙ୍କ ସହ ସାକ୍ଷାତ କରିବାକୁ ଲାଲଜୀ ଟଣ୍ଡନଙ୍କୁ ସେମାନେ ଅନୁରୋଧ କରିଥିଲେ।
ବାଜପେୟୀ ଭୋଜନ କରିସାରିଲେ ସାକ୍ଷାତ କରିବେ ବୋଲି ଲାଲାଜୀ ଟଣ୍ଡନ ସେମାନଙ୍କୁ କହିଥିଲେ। କିନ୍ତୁ ସେମାନେ ଅତି ଜରୁରୀ କାମ ଅଛି କହି ତୁରନ୍ତ କବାଟ ଖୋଲି ଭିତରକୁ ପଶିଗଲେ। ସେମାନଙ୍କୁ ଦେଖି ବାଜପେୟୀ ହସ ହସ ମୁହଁରେ କହିଥିଲେ “ଡିଏମ୍ ସାହେବ୍, ମୋ ପାଖକୁ କେମିତି ଆସିବା ହେଲା? କିଛି ବିଶେଷ କାମ ଅଛି କି ?”
ଜିଲ୍ଲାପାଳ ବାଜପେୟୀଙ୍କୁ ସମସ୍ତ ଘଟଣା କହିଥିଲେ।
“ଏୟାରପୋର୍ଟରେ ଜଣେ ଯୁବକ ବିମାନକୁ ଅପହରଣ କରିଛି। ସେ ବୋମାରେ ବିମାନ ଉଡ଼ାଇ ଦେବାକୁ ଧମକ ବି ଦେଇଛି। ଯାତ୍ରୀଙ୍କ ଜୀବନ ବଦଳରେ ସେ ଆପଣଙ୍କୁ ଭେଟିବାକୁ ଚାହୁଁଛି। ଆପଣ ସେଠାକୁ ଗଲେ ସେ ଯାତ୍ରୀଙ୍କୁ ଛାଡ଼ି ଦେବ ବୋଲି କହୁଛି। ଏହି ମୁହୂର୍ତ୍ତରେ ଯଦି ଆପଣ ଆମ ସହ ଚାଲନ୍ତି, ତା’ହେଲେ ହୁଏତ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯା’ନ୍ତା।”
ଏକଥା ଶୁଣିବା ମାତ୍ରେ ଅଧାରୁ ଖାଇବା ଛାଡ଼ି ବାଜପେୟୀ ତୁରନ୍ତ ସେମାନଙ୍କ ସାଙ୍ଗରେ ବାହାରି ପଡ଼ିଲେ। ଲାଲଜୀଙ୍କ ସମେତ ଦଳର ସମସ୍ତ କର୍ମକର୍ତ୍ତା ବାଜପେୟୀଙ୍କୁ ସେହି ଉଦ୍ଭ୍ରାନ୍ତ ଯୁବକ ପାଖକୁ ଯିବାକୁ ବାରଣ କଲେ। କିନ୍ତୁ କାହା କଥା ନ ଶୁଣି ବାଜପେୟୀ ସେହି ଯୁବକକୁ ଦେଖା କରିବାକୁ ବାହାରି ପଡ଼ିଲେ। ସେଠାରେ ପହଞ୍ଚିବା ମାତ୍ରେ ଯୁବକ ଜଣକ ବାଜପେୟୀଙ୍କ ପାଦ ଛୁଇଁ ପ୍ରଣାମ କଲେ। ଆଉ ସେତିକି ବେଳେ ତାକୁ କାବୁ କରି ନେଇଥିଲା ପୁଲିସ୍।
ଏହାପରେ ଯୁବକ ଜଣକ କହିଥିଲେ ‘ମୋ ପାଖରେ କୌଣସି ବୋମା ନାହିଁ। ରାମ ଜନ୍ମଭୂମି ନେଇ ଦେଶରେ ଦେଖା ଦେଇଥିବା ଅଶାନ୍ତି ବିଷୟରେ ବାଜପେୟୀଙ୍କୁ ଜଣାଇବା ପାଇଁ ମୁଁ ଏପରି କରିଛି।’
ହେମାମାଳିନୀଙ୍କ ଫିଲ୍ମକୁ ୨୫ ଥର ଦେଖିଥିଲେ ବାଜପେୟୀ
୧୯୭୨ରେ ରିଲିଜ୍ ହୋଇଥିଲା ହେମାମାଳିନୀଙ୍କ ହିଟ୍ ଫିଲ୍ମ ‘ସୀତା ଔର ଗୀତା’। ଏହି ଫିଲ୍ମଟିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୫ ଥର ଦେଖିଥିଲେ। ଥରେ ମଥୁରାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ନିଜେ ହେମାମାଳିନୀ ଏହି କଥା କହିଥିଲେ।
ହେମା କହିଥିଲେ,“ମୁଁ କେବେ ଅଟଳ ବିହାରୀ ବାଜପେୟୀଙ୍କୁ ଭେଟି ନ ଥିଲି। ଥରେ ଦଳର ଜଣେ ପଦାଧିକାରୀଙ୍କୁ ଏ ବିଷୟରେ କହିଥିଲି। ସେ ମୋତେ ବାଜପେୟୀଙ୍କ ପାଖକୁ ନେଇ ଯାଇଥିଲେ। ମୁଁ ଅନୁଭବ କଲି ସେ ମୋତେ କିଛି କହିବାକୁ ଚାହୁଁଛନ୍ତି, କିନ୍ତୁ ଟିକେ ପଛଘୁଞ୍ଚା ଦେଉଛନ୍ତି। ମୁଁ ବି କିଛି ବୁଝିପାରିଲିନି। ତେଣୁ ସେଠାରେ ଉପସ୍ଥିତ ଅନ୍ୟ ଜଣେ ମହିଳା ସଦସ୍ୟଙ୍କୁ ଏନେଇ ପଚାରିଲି। ସେ ମୋତେ କହିଥିଲେ ଯେ ବାଜପେୟୀ ଆପଣଙ୍କର ଜଣେ ବହୁତ ବଡ଼ ପ୍ରଶଂସକ। ସେ ଆପଣଙ୍କ ‘ଗୀତା ଔର ସୀତା’ ଫିଲ୍ମକୁ ୨୫ ଥର ଦେଖିଛନ୍ତି। ହଠାତ୍ ଆପଣଙ୍କୁ ସମ୍ମୁଖରେ ପାଇ କିଛି କହିପାରୁ ନାହାନ୍ତି।”
The post ବାଜପେୟୀ ଓ ସେଇ ସବୁ କଥା appeared first on Odisha Reporter.
from Odisha Reporter https://ift.tt/2Y2kltd
No comments:
Post a Comment