କେନ୍ଦୁଝର(ପ୍ରଣୟ ପାଣି): ଲକ୍ଡାଉନ୍ ସମୟରେ ଚାଲିଥିବା ଅନ୍ଲାଇନ୍ ଶିକ୍ଷା ହେଲା କାଳ । ହାତପାଅନ୍ତାରେ ମୋବାଇଲ ସେଟ୍ ପାଇ ଜଣେ ମେଧାବୀ ଛାତ୍ର ଏହାର ଅପବ୍ୟବହାର କରି ଶେଷରେ ଜୀବନ ହାରିଛନ୍ତି। ଅନ୍ଲାଇନ୍ ଖେଳରେ ଫସି ୧୪ ବର୍ଷୀୟ ଛାତ୍ରଜଣକ ବାପାମା’ଙ୍କ ଆକାଉଣ୍ଟରୁ ପାଖାପାଖି ଲକ୍ଷେ ଟଙ୍କା ହାରିବା ପରେ ଭୟରେ ଏପରି ପଦକ୍ଷେପ ନେଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ଯୋଡ଼ା ସହରର କମାରଯୋଡାରେ ରହୁଥିବୀ ବିନୋଦ ଆପଟ ନାମକ ବ୍ୟକ୍ତିଙ୍କ ପୁଅ ଅମିତାଂଶୁ ଆପଟ ଯୋଡା ସରସ୍ୱତୀ ଶିଶୁ ମନ୍ଦିରରେ ୮ମ ଶ୍ରେଣୀ ରେ ପଢ଼ନ୍ତି। ଲକ୍ଡାଉନ୍ ସମୟରେ ଅନଲାଇନ୍ କ୍ଲାସ୍ କରିବା ନିମନ୍ତେ ତାଙ୍କୁ ଏକ ମୋବାଇଲ ସେଟ ଦିଆଯାଇଥିଲା। ତେବେ ଅମିତାଂଶୁଙ୍କ ବାପ ମା’ ଚାକିରି କରୁଥିବାରୁ ଘରେ ସେ ଅଧିକାଂଶ ସମୟ ଏକୁଟିଆ ରହୁଥିଲେ। ଏହି ସମୟରେ ସେ ମୋବାଇଲରେ ‘ଫ୍ରି ଫାୟାର’ ନାମକ ଏକ ଅନ୍ଲାଇନ୍ ଖେଳ ଜାଲରେ ପଡ଼ିଗଲେ। ଏହି ଖେଳ ଖେଳି ସେ ନିଜ ବାପାଙ୍କ ଆକାଉଣ୍ଟରୁ ୬୧ ହଜାର ଟଙ୍କା ଓ ମା’ଙ୍କ ଆକାଉଣ୍ଟରୁ ୩୫ ହଜାର ଟଙ୍କା ହାରି ସାରିଥିଲେ।
ହଠାତ୍ ଏତେ ଟଙ୍କା ଗାଏବ ନେଇ ବିନୋଦ ବ୍ୟାଙ୍କରେ ପଚରାପଚରି କରିବାରୁ ଅନ୍ଲାଇନ୍ ଗେମ୍ ସମ୍ପର୍କରେ ଜାଣିପାରିଥିଲେ। ଏନେଇ ସେ ଘରେ ପହଞ୍ଚି ଗୁରୁବାର ପୁଅକୁ ପଚରାପଚରି କରିଥିଲେ। ଏଥିରେ ଅତ୍ୟଧିକ ଭୟଭୀତ ହୋଇଯାଇଥିବା ଅମିତାଂଶୁ ଶୁକ୍ରବାର ସକାଳେ ଘର ବାଥରୁମ୍ରେ ମା’ ଶାଢିକୁ ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଏହି ଘଟଣା ପ୍ରଚାର ହେବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନାଯୋଗ୍ୟ, ଏହି ‘ଫ୍ରି ଫାୟାର’ ଅନଲାଇନ୍ ଗେମ୍ରେ ବିଭିନ୍ନ ସ୍ଥାନରେ ଥିବା ସାଙ୍ଗ ସାମିଲ ହୋଇଥାନ୍ତି। ସେମାନେ ପରସ୍ପରକୁ ଗୁଳି ଫୁଟାଇ ମାରିବାକୁ ଚେଷ୍ଟା କରିଥାନ୍ତି। ଶେଷରେ ଯିଏ ଜିତେ, ସେ ଖେଳର ବିଜେତା ହୁଏ।
ପ୍ରଥମେ ଏହି ଖେଳରେ ଯୋଗଦେବା ପାଇଁ ମାତ୍ର ୧୦ ଟଙ୍କା ଅନ୍ଲାଇନ୍ ମାଧ୍ୟମରେ କମ୍ପାନୀକୁ ପଇଠ କରିବାକୁ ପଡ଼ିଥାଏ। ପରବର୍ତ୍ତୀ ସମୟରେ ଗୁଳି କିଣିବା ପାଇଁ ସମ୍ପୃକ୍ତ ଆକାଉଣ୍ଟରୁ ଆପେ ଆପେ ପର୍ଯ୍ୟାୟକ୍ରମେ ଟଙ୍କା କଟିଯାଇଥାଏ। ଏହି ଖେଳ ଯୁବବର୍ଗଙ୍କୁ ପଥଭ୍ରଷ୍ଟ କରୁଥିବା ବେଳେ ବହୁ ଛାତ୍ର ଓ ଯୁବକ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବାକୁ ପଛାଉ ନାହାନ୍ତି। ତେଣୁ ଏହାକୁ ବ୍ୟାନ୍ କରିବାକୁ ଅଭିଭାବକ ମହଲରେ ଦାବି ହେଉଛି।
The post ‘ଫ୍ରି ଫାୟାର’ରେ ଲକ୍ଷେ ଟଙ୍କା ହରେଇବା ପରେ ଛାତ୍ରଙ୍କ ଆତ୍ମହତ୍ୟା appeared first on Odisha Reporter.
from Odisha Reporter https://ift.tt/34lIoWv
No comments:
Post a Comment