ବିଦ୍ୟୁତ ଦର ନେଇ ମିଛ କହିଛନ୍ତି ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 6, 2020

ବିଦ୍ୟୁତ ଦର ନେଇ ମିଛ କହିଛନ୍ତି ମନ୍ତ୍ରୀ

ରବି ଦାସ

ରାଜ୍ୟରେ ଚଳିତ ବର୍ଷ ବିଦ୍ୟୁତ ଦର ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ନିଷ୍ପତି କରିବା ପରେ ଖାଉଟିମାନଙ୍କ ପକ୍ଷରୁ ଯେଉଁ ପ୍ରତିବାଦ ହେଲା ତାହାର ଜବାବ ଦେବାକୁ ଯାଇ ରାଜ୍ୟ ସରକାର କହିଲେ ଯେ, ଗତ ୭ ବର୍ଷ ଭିତରେ ରାଜ୍ୟରେ ବିଦ୍ୟୁତ ଦର ବଢ଼ିନଥିବାରୁ ଚଳିତ ବର୍ଷ ୟୁନିଟ୍ ପିଛା ୨୦ ପଇସା କରି ବଢ଼ାଯାଇଛି। ଅର୍ଥାତ୍ ବିଦ୍ୟୁତ ନିୟାମକ ଆୟୋଗ ଗ୍ରହଣ କରିଥିବା ନିଷ୍ପତି ପଛରେ ରାଜ୍ୟ ସରକାରଙ୍କ ଦୃଢ଼ ସମ୍ମତି ବା ସମର୍ଥନ ରହିଛି। ବିଧାନସଭାରେ ଏ ସଂକ୍ରାନ୍ତୀୟ ଆଲୋଚନା ବେଳେ ଶକ୍ତି ମନ୍ତ୍ରୀ ପୁଣି ତାଙ୍କର ମନ୍ତବ୍ୟକୁ ଦୋହରାଇ ୭ ବର୍ଷ ଭିତରେ ରାଜ୍ୟରେ ବିଦ୍ୟୁତ ଦର ବଢ଼ି ନଥିବାର ଯୁକ୍ତି ଉପସ୍ଥାପନ କରିଛନ୍ତି। ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରଥମ ଥର ପାଇଁ ୨୦୧୪ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଓ ଗତବର୍ଷ ପୁନର୍ବାର ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇଛନ୍ତି। ଏଣୁ ସାତ ବର୍ଷରେ ରାଜ୍ୟରେ ବିଦ୍ୟୁତ ଦର ବଢ଼ିନାହିଁ ବୋଲି ସେ ଯାହା କହୁଛନ୍ତି ତାହା ନିଶ୍ଚିତ ଭାବରେ ବିଭାଗୀୟ ଅଫିସରମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ କହୁଛନ୍ତି। କିନ୍ତୁ ବିଧାନସଭାରେ ମନ୍ତ୍ରୀ ଯାହା କହିବେ ତାହା ସତ୍ୟ ଉପରେ ପର୍ଯ୍ୟବେସିତ ହେବା କଥା। କାରଣ ବିଧାନସଭାରେ ଅସତ୍ୟ ବା ବିଭ୍ରାନ୍ତିକର ତଥ୍ୟ ଦିଆଗଲେ ସଂପୃକ୍ତ ମନ୍ତ୍ରୀ ବା ବିଧାୟକଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ଆସିବ ଓ ତାଙ୍କୁ ଦଣ୍ଡିତ କରାଯାଇପାରିବ। ସେହି ହିସାବରେ ମନ୍ତ୍ରୀମାନେ ବିଧାନସଭାରେ ଯେଉଁ ତଥ୍ୟ ବା ବକ୍ତବ୍ୟ ଦିଅନ୍ତି ତାହାକୁ ଭଲଭାବରେ ଅନୁଧ୍ୟାନ କଲାପରେ ମତ ଦେଇଥାନ୍ତି।

କିନ୍ତୁ ଏହି ଘଟଣାରେ ବିଦ୍ୟୁତ ମନ୍ତ୍ରୀ ସିଧାସଳଖ ମିଛ କହିଛନ୍ତି। କାରଣ ସରକାରୀ ତଥ୍ୟ ଅନୁସାରେ ୨୦୧୩-୧୪ରେ ବିଦ୍ୟୁତ ମୂଲ୍ୟରେ ଶତକଡ଼ା ୨.୪ ପ୍ରତିଶତ ବୃଦ୍ଧି କରାଯାଇଥିଲା। ସେତେବେଳେ ମୁଦ୍ରାସ୍ଫୀତି ହାରକୁ ବିଚାର କରି ଏହି ଦର ବୃଦ୍ଧି କିଛି ନୁହେଁ ବୋଲି ଯୁକ୍ତି କରାଯାଇଥିଲା। କିନ୍ତୁ ଦର ବୃଦ୍ଧି ହୋଇଥିଲା। ବିଶେଷ ଭାବରେ ୫୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର ଉପରେ ଶତକଡ଼ା ୪.୫୫ ମୂଲ୍ୟ ବୃଦ୍ଧି କରାଯାଇଥିବା ସମୟରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମୂଲ୍ୟବୃଦ୍ଧି ଶତକଡ଼ା ୩.୨୮ ହୋଇଥିବା ସମୟରେ ଅନ୍ୟମାନଙ୍କ ପାଇଁ ଶତକଡ଼ା ୨.୪ ଭାଗ ମୂଲ୍ୟବୃଦ୍ଧି ହୋଇଥିଲା। ସେହିପରି ୨୦୧୭ରେ ୟୁନିଟ୍ ପିଛା ୧୦ ପଇସା ମୂଲ୍ୟବୃଦ୍ଧି କରାଯାଇଥିଲା। ସେତେବେଳେ ବି ସେହି ମୁଦ୍ରାସ୍ଫୀତିର ଯୁକ୍ତି କରାଯାଇ ମୂଲ୍ୟବୃଦ୍ଧିର ବୋଝ ଲୋକମାନଙ୍କ ଉପରେ ପଡ଼ିବ ନାହିଁ ବୋଲି କୁହାଯାଇଥିଲା। ସେତେବେଳେ ରାଜ୍ୟ ସରକାର କୃଷି କ୍ଷେତ୍ରରେ ବିଦ୍ୟୁତ୍ ବ୍ୟବହାର ମୂଲ୍ୟ ୟୁନିଟ୍ ପିଛା ୪୦ ପଇସା ବୃଦ୍ଧି କରିଥିଲେ। ପରେ ପାଟିତୁଣ୍ଡ ହେବା ପରେ ରାଜ୍ୟ ସରକାର କୃଷିକ୍ଷେତ୍ରକୁ ସବ୍‌ସିଡି ଦିଆଯାଇ ପୂର୍ବ ମୂଲ୍ୟସୂଚୀରେ କୃଷିକୁ ବିଦ୍ୟୁତ୍ ଦିଆଯିବ ବୋଲି କହିଥିଲେ। ବାସ୍ତବରେ ଓଡ଼ିଶା ହେଉଛି ଭାରତର ଦ୍ୱିତୀୟ ରାଜ୍ୟ ଯେଉଁଠାରେ ବିଦ୍ୟୁତ କ୍ଷେତ୍ରରେ କୌଣସି ସବସିଡ଼ି ବିଶେଷ ଭାବରେ କୃଷି କ୍ଷେତ୍ରରେ ସବ୍‌ସିଡ୍ ଦିଆଯାଉନାହିଁ। ଭାରତର ଅଧିକାଂଶ ରାଜ୍ୟରେ କୃଷି ବିଦ୍ୟୁତ୍ ଦେୟ ବିଲକୁଲ ଛାଡ଼ କରାଯାଇଛି ବା ଅତି କମ୍ ଚାର୍ଜ ନିଆଯାଉଛି। ଓଡ଼ିଶାରେ କୃଷି କ୍ଷେତ୍ରରେ ବିଦ୍ୟୁତ୍ ବ୍ୟବହାର ଅତ୍ୟନ୍ତ ନଗଣ୍ୟ।

ଦିଲ୍ଲୀରେ ୫୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର ପାଇଁ ଦେୟ ବିଲକୁଲ ଛାଡ଼ କରାଯାଇଥିବା ସମୟରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର ଉପରେ ବିଦ୍ୟୁତ୍ ବିଲ ଛାଡ଼ କରାଯାଇଛି। ୪୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର ଉପରେ ବିଲ୍ ୯୦୦ ଟଙ୍କା ହେଉଛି।  ଓଡ଼ିଶାରେ କାହାରିକୁ ବିଦ୍ୟୁତ ଦେୟ ଛାଡ଼ କରାଯାଇନାହିଁ। ଅବଶ୍ୟ ଦିଲ୍ଲୀରେ ଖାଉଟୀମାନଙ୍କୁ ସରକାର ସବସିଡ଼ି ଯୋଗାଉଛନ୍ତି। ଓଡ଼ିଶାରେ ସବସିଡ଼ି ବ୍ୟବସ୍ଥା ନାହିଁ। କିନ୍ତୁ ଓଡ଼ିଶା ହେଉଛି ଭାରତର ପ୍ରଥମ ରାଜ୍ୟ ଯେଉଁଠାରେ ବିଦ୍ୟୁତ୍ ସଂସ୍କାର ପ୍ରଥମେ କାର୍ଯ୍ୟକାରୀ କରାଗଲା। କୁହାଯାଇଥିଲା ଯେ, ଗ୍ରାହକମାନଙ୍କୁ ସ୍ଥିର ଓ ଉତମମାନର ବିଦ୍ୟୁତ୍ ମିଳିବ। ବିଦ୍ୟୁତ୍ ପରିବହନ କ୍ଷେତ୍ରରେ ଯେଉଁ ବିପୁଳ କ୍ଷତି ହେଉଛି ତାହା କମିଯିବ। ଓଡ଼ିଶାରେ ତାପଜ ବିଦ୍ୟୁତ୍ ସହିତ ଜଳବିଦ୍ୟୁତ୍‌ର ପର୍ଯ୍ୟାପ୍ତ ସୁବିଧା ରହିଛି। ତାହାଛଡ଼ା ଏବେ ସୌର-ବିଦ୍ୟୁତ ପାଇଁ ସୁଯୋଗ ଛିଡ଼ା ହୋଇଛି। ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ରରେ ଏକ ବଳକା ରାଜ୍ୟ। ତାହାଛଡ଼ା ଓଡ଼ିଶାରେ ଅନେକ ଶିଳ୍ପସଂସ୍ଥା ନିଜସ୍ୱ କ୍ୟାପଟିଭ୍ ପାୱାରପ୍ଲାଂଟ କରିଛନ୍ତି ଓ ସେମାନଙ୍କର ବଳକା ବିଦ୍ୟୁତ ରାଜ୍ୟ କମ୍ ଦାମରେ ବି କିଣିପାରିବ। ଓଡ଼ିଶାରେ ଯେଉଁ ସ୍ଥିତି ରହିଛି ସେଥିରେ ବିଦ୍ୟୁତ୍ ମୂଲ୍ୟ ବଢ଼ିବା ସପକ୍ଷରେ କୌଣସି ଯୁକ୍ତି ନାହିଁ। ଯେହେତୁ ତାପଜ ବିଦ୍ୟୁତ୍ କେନ୍ଦ୍ର ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ କୋଇଲା ରହିଛି ଓ ବିଦ୍ୟୁତ୍ କମ୍ପାନୀମାନୀଙ୍କୁ କୋଇଲା ପରିବହନ ପାଇଁ ବିଶେଷ ବ୍ୟୟ କରିବାକୁ ପଡ଼ୁନାହିଁ, ସେହେତୁ ଓଡ଼ିଶାରେ ବିଦ୍ୟୁତ୍ ମୂଲ୍ୟ ଅନ୍ୟ ରାଜ୍ୟମାନଙ୍କଠାରୁ କମ୍। ତାହାଛଡ଼ା ଜଳ ବିଦ୍ୟୁତ୍ ଉତ୍ପାଦନରେ ଖର୍ଚ୍ଚ ମଧ୍ୟ ଯଥେଷ୍ଟ କମ୍। ଓଡ଼ିଶାରେ ଏକମାତ୍ର ଲକ୍ଷ୍ୟ ହେଉଛି ବିଦ୍ୟୁତ୍ ପରିବହନ ଜନିତ କ୍ଷତିକୁ ହ୍ରାସ କରିବା। କିନ୍ତୁ ଏହି ଲକ୍ଷ୍ୟ ବିଦ୍ୟୁ ସଂସ୍କାରର ୨୨ ବର୍ଷ ପରେ ମଧ୍ୟ ପୂରଣ ହୋଇପାରୁନାହିଁ। ଫଳରେ ଗ୍ରୀଡ୍‌କୋ ଓ ବିଦ୍ୟୁତ୍ ବଂଟନକାରୀ ସଂସ୍ଥାମାନେ ଖାଉଟୀମାନଙ୍କ ଉପରେ ବୋଝ ଲଦି ବିଦ୍ୟୁତ କ୍ଷତି ଭରଣା କରୁଛନ୍ତି। ବାସ୍ତବରେ ଦିଲ୍ଲୀ ଓ ଆନ୍ଧ୍ର ପ୍ରଦେଶ ପରି ଓଡ଼ିଶାରେ ବିଦ୍ୟୁତ୍ ପରିବହନ ଓ ଏଟିସି କ୍ଷତି ଯଦି ଶତକଡ଼ା ୧୦ ଭାଗରେ ପହଁଚାଇଦେଇପାରିବେ ତେବେ ଓଡ଼ିଶାରେ ବିଦ୍ୟୁତ ମୂଲ୍ୟ ବଢ଼ିବା ପରିବର୍ତେ ପ୍ରତିବର୍ଷ କମିବା ସମ୍ଭବ ହେବ। କିନ୍ତୁ ଓଡ଼ିଶାର ବିଦ୍ୟୁତ ନିୟାମକ ଆୟୋଗ କେବେ ବି ଏପରି ଏକ ନିଷ୍ପତି ନେଇନାହାନ୍ତି। ଏପରିକି ବିଦ୍ୟୁତ୍ କ୍ଷତି ଯଦି ଶତକଡ଼ା ୨୦ ଭାଗ ପର୍ଯ୍ୟନ୍ତ କମାଇ ଦିଆଯାଇପାରିବ ତେବେ ବି ଓଡ଼ିଶାରେ ବିଦ୍ୟୁତ୍ ମୂଲ୍ୟ ବଢ଼ିବା ପରିବର୍ତେ କମିବା ଆରମ୍ଭ ହେବ।

ବିଧାନସଭାରେ ଏ ସଂକ୍ରାନ୍ତରେ ହୋଇଥିବା ଆଲୋଚନାରେ ରାଜ୍ୟ ସରକାରଙ୍କର ବିଦ୍ୟୁତ ପରିଚାଳନା ଓ ବିଭିନ୍ନ କମ୍ପାନୀ ପ୍ରୀତି ଓ ସର୍ବୋପରି ବଡ଼ବଡ଼ ସଂସ୍ଥା ଉପରେ ବକେୟା ବିଦ୍ୟୁତ ବିଲ୍‌ ଓ ଜଳ ବିଲ୍‌ ନେଇ ସରକାରଙ୍କୁ ସମାଲୋଚନାର କୌଣସି ପ୍ରଭାବ ସରକାରଙ୍କ ଉପରେ ପଡ଼ିବ ନାହିଁ। ଅସଲ କଥା ହେଉଛି ବିଦ୍ୟୁତ କ୍ଷେତ୍ରରେ ଯାହାକିଛି ଚାଲିଛି ଓ ଯେପରି ଭାବରେ ବିଭିନ୍ନ ସ୍ତରରେ ଦୁର୍ନୀତି ଦେଖାଦେଇଛି ସେସବୁର ପ୍ରକୃତ ସମାଧାନ ସହଜ ନୁହେଁ। କିନ୍ତୁ ଖାଉଟିମାନଙ୍କ ଉପରେ ବୃଦ୍ଧି ପାଉଥିବା ବିଦ୍ୟୁତ ବିଲ୍‌ର ପ୍ରକୃତ ରହସ୍ୟ ଜାଣିବା ପାଇଁ ରାଜ୍ୟରେ ଏକ ଏନର୍ଜି ଅଡିଟ୍‌ର ଆବଶ୍ୟକତା ରହିଛି। ଯେହେତୁ ରାଜ୍ୟରେ ବିଦ୍ୟୁତ ସଂସ୍କାର ହୋଇଯାଇଛି ସେହେତୁ ସିଏଜି ଏହିସବୁ ସଂସ୍ଥାମାନଙ୍କର କୌଣସି ଅଡିଟ୍ କରୁନାହିଁ। ଏହିସବୁ ସଂସ୍ଥାମାନେ ନିଜସ୍ୱ ଅଡିଟରମାନଙ୍କ ଦ୍ୱାରା ଯେଉଁ ତଥ୍ୟ ପ୍ରଦାନ କରୁଛନ୍ତି ତାହାରି ଉପରେ ଭିତ୍ତିକରି ବିଦ୍ୟୁତ ନିୟାମକ ଆୟୋଗ ନିଷ୍ପତି ଘୋଷଣା କରୁଛି। ବିଦ୍ୟୁତ କ୍ଷତି କମାଇବା ପାଇଁ ବିଦ୍ୟୁତ କମ୍ପାନୀମାନେ କୌଣସି ପଦକ୍ଷେପ ନେଉନାହାନ୍ତି ବା ଏଥିରେ ଯାହା ବିନିଯୋଗ ଆଶା କରାଯାଉଥିଲା ତାହା ହୋଇନାହିଁ। କିନ୍ତୁ ଓଡ଼ିଶା ଏକ ଦରିଦ୍ର ରାଜ୍ୟ ହେଲେ ମଧ୍ୟ ସାଧାରଣ ଖାଉଟିମାନେ ସେମାନଙ୍କ ବିଦ୍ୟୁତ ବିଲ ଠିକଣା ସମୟରେ ପ୍ରଦାନ କରୁଛନ୍ତି। ଓଡ଼ିଶାର ବିଦ୍ୟୁତ ବ୍ୟବସ୍ଥାରେ ବହୁତ କିଛି ସରକାର ଲୁଚାଇବାକୁ ଚାହୁଁଥିବା ସେମାନଙ୍କ ଆଚରଣରୁ ଜଣାପଡ଼ୁଛି। ଯେଉଁମାନେ ଓଡ଼ିଶାରେ କେବଳ ତାପଜ ବିଦ୍ୟୁତ କେନ୍ଦ୍ର କରି ବେଶ ଲାଭବାନ ହୋଇଛନ୍ତି ସେମାନଙ୍କ ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ନଥିବା ଓ ସେମାନଙ୍କୁ ବିଭିନ୍ନ ଭାବରେ ଅନୁଗ୍ରହ ପ୍ରଦର୍ଶନ କରାଯାଉଛି। ତେଣୁ ବିଦ୍ୟୁତ କ୍ଷେତ୍ର ଉପରେ ଏକ ନିରପେକ୍ଷ ଅଡିଟ୍ ଓ ତଦନ୍ତର ଆବଶ୍ୟକତା ଦେଖାଦେଇଛି। ଏ ନେଇ ସର୍ବସମ୍ମତି କ୍ରମେ ବିଧାନସଭାରେ ପ୍ରସ୍ତାବ ଗ୍ରହଣ ହୋଇପାରିଲେ ରାଜ୍ୟର ସ୍ୱାର୍ଥ ରକ୍ଷା ହେବା ସହିତ ଖାଉଟୀମାନଙ୍କର ପ୍ରକୃତ ସୁରକ୍ଷା ହୋଇପାରିବ।

ବରିଷ୍ଠ ସାମ୍ବାଦିକ

ମୋ- ୯୪୩୭୪୦୪୪୫୫

The post ବିଦ୍ୟୁତ ଦର ନେଇ ମିଛ କହିଛନ୍ତି ମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3nfw5DM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages