ଶାରଜା: କ୍ରମାଗତ ୫ଟି ପରାଜୟ ପରେ ଶେଷରେ ୱିନିଂ ଟ୍ରାକକୁ ଫେରିଛି କିଙ୍ଗସ ଏକାଦଶ ପଞ୍ଜାବ। ଚଳିତ ଆଇପିଏଲରେ ୭ଟି ମ୍ୟାଚ୍ରୁ ମାତ୍ର ଗୋଟିଏରେ ବିଜୟ ହୋଇଥିବା କେଏଲ ରାହୁଲଙ୍କ ପଞ୍ଜାବ ଗତକାଲି ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ବିଜୟ ହାସଲ କରିଛି। ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇ ପଞ୍ଜାବ ଦୁଇ ପଏଣ୍ଟ ହାସଲ କରିଥିଲେ ହେଁ ଚଳିତ ଆଇପିଏଲରେ ୪ ପଏଣ୍ଟ ସହ ପୂର୍ବଭଳି ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି।
ଆରସିବି ପ୍ରଥମେ ବ୍ୟାଟିଂ କରି ୧୭୧ ରନ୍ କରିଥିବା ବେଳେ ରାହୁଲ ଓ ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚ୍ ଖେଳୁଥିବା କ୍ରିସ ଗେଲଙ୍କ ଅର୍ଦ୍ଧଶତକ ବଳରେ ପଞ୍ଜାବ ୮ ୱିକେଟରେ ବାଜିମାତ କରିଛି। ପଞ୍ଜାବ ପକ୍ଷରୁ ରାହୁଲ ଅପରାଜିତ ୪୯ ବଲରେ ୬୧ ଓ ଗେଲ୍ ୪୫ ବଲରେ ୫୩ ରନ୍ର ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
୧୭୨ ରନ୍ର ଟାର୍ଗେଟ ପାଇଥିବା ପଞ୍ଜାବ ପାଇଁ ଦୁଇ ଓପନର ମୟଙ୍କ ଅଗ୍ରୱାଲ ଓ ରାହୁଲ ଜବରଦସ୍ତ ଆରମ୍ଭ କରିଥିଲେ। ଉଭୟ ୮ମ ଓଭର ସୁଦ୍ଧା ବିନା କୌଣସି ୱିକେଟ ହରାଇ ଦଳ ପାଇଁ ୭୮ ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ ୨୫ ବଲରେ ୪୫ ରନ୍ କରିଥିବା ମୟଙ୍କ ଅଗ୍ରୱାଲଙ୍କୁ ଚହଲ ବୋଲ୍ଡ କରି ପଞ୍ଜାବକୁ ପ୍ରଥମ ଝଟକା ଦେଇଥିଲେ। ତେବେ ଏହାପରେ ବ୍ୟାଟିଂ କରିବାକୁ ଆସିଥିବା କ୍ରିସ ଗେଲ୍ ଆରମ୍ଭରୁ ବେଶ ଧିମା ଖେଳିଥିଲେ। ହେଲେ ସେ କ୍ରିଜ୍ରେ ଜମି ଯିବା ପରେ ନିଜର ଚିରାଚରିତ ଢଙ୍ଗରେ ବ୍ୟାଟିଂ କରିଥିଲେ।
ରାହୁଲ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଉଭୟ ୨ୟ ୱିକେଟ ପାଇଁ ୯୩ ରନ୍ର ଭାଗିଦାରୀ କରି ପଞ୍ଜାବ ବିଜୟକୁ ସୁନିଶ୍ଚିତ କରିଥିଲେ। ଏଥିସହ ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ବିଜୟ ପାଇଁ ୧ ରନ୍ ଦରକାର ଥିବା ବେଳେ ଗେଲ୍(୫୩) ରନ୍ ଆଉଟ ହୋଇଯାଇଥିଲେ। ଏହାପରେ ନିକୋଲ୍ସ ପୂରନ ଛକା ମାରି ଦଳକୁ ବିଜୟ କରାଇଥିଲେ। ରାହୁଲ ଶେଷ ଯାଏ ୬୧ ରନ୍ କରି ଅପରାଜିତ ରହିଥିଲେ।
The post ଗେଲ ଓ ରାହୁଲଙ୍କ ଦମଦାର ବ୍ୟାଟିଂ, ୱିନିଂ ଟ୍ରାକକୁ ଫେରିଲା ପଞ୍ଜାବ appeared first on Odisha Reporter.
from Odisha Reporter https://ift.tt/31f3s0i
No comments:
Post a Comment