ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛୋଟ ଛୋଟ ପିଲାଙ୍କ ପୁଷ୍ଟି ସାଧନ ନିମନ୍ତେ ପୂର୍ବରୁ ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ଅଣ୍ଡା ଓ ଛତୁଆ ପରି ସୁଷମ ଖାଦ୍ୟ ଦିଆଯାଉଥିଲା। ଖୁବ୍ଶୀଘ୍ର ଏହି ତାଲିକାରେ ସାମିଲ ହେବାକୁ ଯାଉଛି ଚୁନା ମାଛ।
ଏଣିକି ଅଙ୍ଗନବାଡ଼ି କେନ୍ଦ୍ରରେ ୩ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ, ପ୍ରସୂତୀ ମହିଳା ଏବଂ କିଶୋରୀଙ୍କୁ ଏହା ଦିଆଯିବ। ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ପୁଷ୍ଟିସାଧନ ଖାଦ୍ୟ ତାଲିକାରେ ଏହାକୁ ଅଙ୍ଗନବାଡ଼ି କେନ୍ଦ୍ରରେ ସାମିଲ କରାଯିବ।
ପାଇଲଟ୍ ପ୍ରକଳ୍ପ ଭାବେ ପ୍ରଥମେ ମୟୂରଭଞ୍ଜ ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯିବ । ଜିଲ୍ଲାର ୫୦ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଯୋଜନା ଅନୁସାରେ ପିଲାଙ୍କୁ ଚୁନା ମାଛ ଯୋଗାଇ ଦିଆଯିବ ।
ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ଏନେଇ ଏକ ଭର୍ଚୁଆଲ ବୈଠକ ବସିଥିଲା । ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି, ମତ୍ସ୍ୟ ଉତ୍ପାଦାନ, ୱାଲର୍ଡ ଫିସ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି ।
ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ କରୁଥିବା ମିଶନ ଶକ୍ତି ଏନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ଦେବ । ପୃଷ୍ଟି ସାଧନ କ୍ଷେତ୍ରରେ ଏହା ବେଶ୍ ଉପାଦେୟ ହେବ ବୋଲି ଆଶା କରାଯାଉଛି ।
ଏ ସମ୍ପର୍କରେ ସୂଚନା ଦେଇ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ମାଛରେ ପ୍ରଚୁର ପରିମାଣରେ ଲୌହ, ଜିଙ୍କ୍, କ୍ୟାଲସିୟମ୍, ଭିଟାମିନ ଓ ଓମେଗା-୩ ଫ୍ୟାଟି ଏସିଡ ମହଜୁଦ ରହିଛି। ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଏହାକୁ ସାମିଲ କରାଯିବା ଦ୍ୱାରା ଶିଶୁ ଓ ଗର୍ଭବତୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଅଣାଯାଇପାରିବ।
ଖୁବ ଶୀଘ୍ର ସମଗ୍ର ରାଜ୍ୟରେ ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ମାଛକୁ ସାମିଲ କରିବା ସମ୍ପର୍କରେ ବୈଷୟିକ-ଅର୍ଥନୈତିକ ବ୍ୟବହାରିକ ଜ୍ଞାନ ସଂସ୍ଥା ପକ୍ଷରୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ପ୍ରଦାନ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି।
The post ଅଣ୍ଡା, ଛତୁଆ ପରେ ଅଙ୍ଗନବାଡ଼ି ପିଲା ଖାଇବେ ଚୁନା ମାଛ appeared first on Odisha Reporter.
from Odisha Reporter https://ift.tt/3ePx61q
No comments:
Post a Comment