ନୂଆଦିଲ୍ଲୀ: ଫୁଟବଲ ଜଗତର ସବୁଠାରୁ ମହାନ ଖେଳାଳା ଡିଏଗୋ ମାରଡୋନା ଆଉ ଆମ ପାଖରେ ନାହାନ୍ତି। ସାରା ବିଶ୍ୱରେ କୋଟିକୋଟି ପ୍ରଶଂସକ ତାଙ୍କ ଅକାଳ ବିୟୋଗ କଥା ଶୁଣି ପୂରା ସ୍ତବ୍ଧ ହୋଇଯାଇଛନ୍ତି। ଫୁଟବଲ ଠାରୁ କ୍ରିକେଟ ଓ ସିନେମାରୁ ଆରମ୍ଭ କରି ରାଜନୀତି ଯାଏ ସବୁଆଡ଼େ ମାରାଡୋନାଙ୍କ ପରଲୋକ ଖବର ଶୋକର ଛାୟା ଖେଳାଇ ଦେଇଛି।
ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ଫୁଟବଲ ଖେଳିଳାଙ୍କ ମଧ୍ୟରେ ଅନ୍ୟତମ ମାରାଡୋନା ୨ରୁ ୩ ସପ୍ତାହ ତଳେ ମସ୍ତିସ୍କ ସର୍ଜରୀ କରିଥିଲେ। ହସ୍ପିଟାଲରୁ ସୁସ୍ଥ ହୋଇ ସେ ଘରକୁ ମଧ୍ୟ ଫେରିଥିଲେ। ହେଲେ ହଠାତ୍ ବୁଧବାର ହୃଦଘାତରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା।
ମାରାଡୋନା କେବଳ ଜଣେ ଖେଳାଳି ନଥିଲେ ସେ ଏକାଧାରରେ ଜଣେ ପ୍ରଶିକ୍ଷକ, ବିଶ୍ୱକପ ବିଜୟୀ ଓ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ରହିଥିଲେ। ଫୁଟବଲ ପଡ଼ିଆରେ ତାଙ୍କ ସମକକ୍ଷ କେହି ବି ହୋଇ ପାରୁ ନଥିଲେ, କିନ୍ତୁ ପଡ଼ିଆ ବାହାରେ ସେ ବିବାଦର ବାଦଶାହ ଭାବେ ପରିଚୟ ହାସଲ କରିଥିଲେ।
ଆର୍ଜେଣ୍ଟିନା ପକ୍ଷରୁ ଲଗାତର ୪ଟି ବିଶ୍ୱକପ ଖେଳିଥିବା ଏହି ମହାନ ଫୁଟବଲରଙ୍କୁ ହ୍ୟାଣ୍ଡ ଅଫ ଗଡ୍ ଆଖ୍ୟା ମିଳିଥିଲା। ୧୯୮୬ରେ ଆର୍ଜେଣ୍ଟିନାକୁ ମାରାଡୋନା ବିଶ୍ୱକପ ଭେଟି ଦେଇଥିଲେ। ଏହି ସମୟରେ ହିଁ ତାଙ୍କ ନାଁ ପଛରେ ହ୍ୟାଣ୍ଡ ଅଫ ଗଡ୍ର ଟ୍ୟାଗ ଲାଗି ଯାଇଥିଲା।
ତେବେ ଏହା ପଛର କାହାଣୀ କ’ଣ ଜାଣନ୍ତୁ
୧୯୮୬ ବିଶ୍ୱକପର କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଆର୍ଜେଣ୍ଟିନା ଓ ଇଂଲଣ୍ଡ ମଧ୍ୟରେ ଲଢ଼େଇ ହୋଇଥିଲା। ହ୍ୟାଣ୍ଡ ଅଫ ଗଡ୍ ଗୋଲ ମାଧ୍ୟମରେ ମାରାଡୋନା ଆର୍ଜେଣ୍ଟିନାକୁ ବିଶ୍ୱ ବିଜେତା କରାଇଥିଲେ। ଏହି ଚର୍ଚ୍ଚିତ ଗୋଲ ବଳରେ ଆର୍ଜେଣ୍ଟିନା ଜିତିଥିଲେ ହେଁ ମାରାଡୋନା ବିବାଦ ମଧ୍ୟକୁ ଚାଲି ଆସିଥିଲେ। ସାରା ଜୀବନ, ଏପରି ତାଙ୍କ ଅବର୍ତ୍ତମାନରେ ମଧ୍ୟ ଏହି ବିବାଦ ତାଙ୍କ ପିଛା ଛାଡ଼ିନାହିଁ। ୧୯୮୬ ମସିହା ଜୁନ୍ ୨୨ ତାରିଖରେ ମେକ୍ସିକୋ ସିଟିର ଆଜଟେକା ଷ୍ଟାଡିୟମରେ ଆର୍ଜେଣ୍ଟିନା ଓ ଇଂଲଣ୍ଡ ମୁହାଁମୁହିଁ ହୋଇଥିଲେ।
ହାଫ ଟାଇମ ସୁଦ୍ଧା କେହି କାହାକୁ ଗୋଲ ଦେଇ ପାରି ନଥିଲେ। କିନ୍ତୁ ମ୍ୟାଚ୍ର ଦ୍ୱିତୀୟ ଭାଗର ୬ଷ୍ଠ ମିନିଟ୍ରେ ମାରାଡୋନା ଏକ ଚମତ୍କାର ଗୋଲ କରି ନିଜ ଦଳକୁ ଆଗୁଆ କରିଦେଇଥିଲେ। ତେବେ ବଲ୍ଟି ତାଙ୍କ ହାତରେ ବାଜି ଗୋଲ ପୋଷ୍ଟ ମଧ୍ୟକୁ ଯାଇଥିଲା। ନିୟମ ଅନୁସାରେ, ମାରାଡୋନାଙ୍କୁ ହଳଦିଆ କାର୍ଡ ମିଳିବା ସହ ଗୋଲକୁ ମଧ୍ୟ ନାକଚ କରାଯିବା କଥା। ହେଲେ ବଲ୍ଟି ତାଙ୍କ ହାତ ବାଜି ଗୋଲପୋଷ୍ଟକୁ ଯାଇଥିବା ମ୍ୟାଚ୍ର ରେଫରୀ ଦେଖି ପାରି ନଥିଲେ।
ସେତେବେଳେ ଭିଡିଓ ରେଫରାଲ ମଧ୍ୟ ନଥିଲା। ଫଳରେ ଆର୍ଜେଣ୍ଟିନା ସପକ୍ଷରେ ନିଷ୍ପତ୍ତି ଯାଇଥିଲା। ଶେଷରେ ଆର୍ଜେଣ୍ଟିନା ୨-୧ରେ ମ୍ୟାଚ୍କୁ ଜିତିଥିଲା। ଦ୍ୱିତୀୟ ଗୋଲଟି ମଧ୍ୟ ମାରାଡୋନା ଦେଇଥିଲେ। ଏହାକୁ ବିଂଶ ଶତାବ୍ଦୀର ଶ୍ରେଷ୍ଠ ଗୋଲର ଆଖ୍ୟା ମିଳିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମାରାଡୋନାଙ୍କ ଉଚ୍ଚତା ୫.୫ ଫୁଟ ଥିବା ବେଳେ ସେ ତାଙ୍କ ଠାରୁ ୨୦ ସେଣ୍ଟିମିଟର ଉଚ୍ଚ ଇଂଲଣ୍ଡ ଗୋଲ କିପରଙ୍କୁ କେମିତି ଚକମା ଦେଇ ଗୋଲ ସ୍କୋର କରିଥିଲେ, ତାହା ସମସ୍ତଙ୍କୁ ଚିକିତ କରିଦେଇଥିଲା। ମ୍ୟାଚ୍ ପରେ ବିବାଦୀୟ ଗୋଲ ସମ୍ପର୍କରେ ମାରାଡୋନା କହିଥିଲେ ଯେ, ଏହି ଗୋଲଟିକୁ ସେ କିଛିଟା ବୁଦ୍ଧି ଓ ଭଗବାନଙ୍କ ହାତ ସହାୟତାରେ ସ୍କୋର କରିଛନ୍ତି। ସେବେଠାରୁ ସେ ହ୍ୟାଣ୍ଡ ଅଫ ଗଡ ମାନ୍ୟତା ପାଇଥିଲେ। ଏହି ଘଟଣାର ଦୀର୍ଘ ୧୯ ବର୍ଷ ପରେ ସେ ନିଜ ଭୁଲକୁ ସ୍ୱୀକାର କରିଥିଲେ। ସେ ଦିନ(୧୯୮୬) ହେଡର କରିବା ପୂର୍ବରୁ ବଲଟି ପ୍ରଥମେ ତାଙ୍କ ହାତରେ ବାଜିଥିଲା ବୋଲି ମାରାଡୋନା ୨୦୦୫ ମସିହାରେ କହିଥିଲେ।
The post କାହିଁକି ମାରାଡୋନାଙ୍କୁ ‘ହ୍ୟାଣ୍ଡ ଅଫ ଗଡ୍’ ଆଖ୍ୟା ମିଳିଥିଲା appeared first on Odisha Reporter.
from Odisha Reporter https://ift.tt/2HBTa3A
No comments:
Post a Comment