ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇ ଜେଲ୍ରେ ଥିବା ପାଠକ ବାପ ପୁଅଙ୍କ ଅଡୁଆ ବଢ଼ି ବଢ଼ି ଚାଲିଛି। ନିଜକୁ ଟାଟା ମୋଟର୍ସର ଏମ୍ଡି ରୂପେ ପରିଚୟ ଦେଇ ଆକାଶ ପାଠକ ଗଂଜାମ ଜିଲ୍ଲାର ବହୁ ଯୁବକ ଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ନିମନ୍ତେ ବ୍ରହ୍ମପୁରରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ । ଯେଉଁ ଯୁବକ ଯୁବତୀ ଠକେଇର ଶିକାର ହୋଇଛନ୍ତି, ସେମାନଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଭେଟିବା ସହ ତଥ୍ୟ ସଂଗ୍ରହ କରିବ ବୋଲି ଜଣାଯାଇଛି।
ଅପରପକ୍ଷେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଭୁବନେଶ୍ୱରର ୫ଟି ଏବଂ ମୁମ୍ବାଇ ଓ ପୁଣେର ୭ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଏହିଭଳି ଏକକାଳୀନ ୧୩ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା । ଅଭୟକାନ୍ତଙ୍କ ସମ୍ପତ୍ତି,ଗୋଟିଏ ପରେ ଗୋଟିଏ ଦାମୀ ଗାଡ଼ି, ଆଲିସାନ୍ ଫ୍ଲାଟ୍ ଆଉ ଫାର୍ମ ହାଉସ୍ ସଂପର୍କୀୟ ଓ ଡ୍ରାଇଭରଙ୍କ ନାଁରେ ବି ଠୁଳ ହୋଇଥିବା ସମ୍ପତ୍ତି ଦେଖଇ ଭିଜିଲାନ୍ସ ଅଧିକାରୀ ମଧ୍ୟ ତାଜୁବ ହୋଇଗଲେ।
ଭିଜିଲାନ୍ସ ଚଢ଼ାଉରୁ ଏପରି ଅମାପ ସଂପତ୍ତିର ପତ୍ତା ମିଳିବା ପରେ ବଢ଼ିଛି ଅଭୟକାନ୍ତ ପାଠକଙ୍କ ଅଡ଼ୁଆ । କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସେ ଛନ୍ଦି ହୋଇ ପଡ଼ିଛନ୍ତି।
ସେପଟେ ପୁଅ ଆକାଶ ପାଠକଙ୍କ କଳା କାରନାମା ବିରୋଧରେ ପୂର୍ବରୁ ମଧ୍ୟ ସଙ୍ଗୀନ ଅଭିଯୋଗ ଆସିଥିଲା । ପୁଅ ଆକାଶଙ୍କ ବିରୋଧରେ କ୍ରାଇମବ୍ରାଞ୍ଚରେ ଠକେଇ ଓ ଜାଲିଆତି ଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଥିଲା । ଏନେଇ କ୍ରାଇମବ୍ରାଞ୍ଚ ଆଇଜିଙ୍କୁ ପତ୍ର ଲେଖି ଫେରାଦ ହୋଇ ଥିଲା ଟାଟା ମୋଟର୍ସ । ଆକାଶଙ୍କ ବିରୋଧରେ ଏଫଆଇଆର ମଧ୍ୟ ରୁଜୁ ହୋଇଥିଲା ।
ହେଲେ ପୁଅର ମାସିକ କୋଟିଏ ଦରମା ବୋଲି କହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭୟକାନ୍ତ ପାଠକ। ଏଥିସହ କିଛି ଠକେଇ ହୋଇନି । ସବୁ କିଛି ଯଥାର୍ଥ ଅଛି ବୋଲି ମଧ୍ୟ ଦୃଢୋକ୍ତି ବାଢ଼ିଛନ୍ତି।
The post ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍; ଫିଟିବ ପାଠକ ବାପ-ପୁଅଙ୍କ ଗୁମର appeared first on Odisha Reporter.
from Odisha Reporter https://ift.tt/3ocahbJ
No comments:
Post a Comment