ଆଗ୍ରା: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶର ହାଥରସ ସ୍ଥିତ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାର ୪ ଅଭିଯୁକ୍ତଙ୍କର ପଲିଗ୍ରାଫ ଟେଷ୍ଟ କରାଯିବ। ଏଥିସହ ସେମାନଙ୍କର ବ୍ରେନ୍ ପ୍ରୋଫାଇଲିଂ ମଧ୍ୟ କରାଯିବ। ଏଥିପାଇଁ ସେମାନଙ୍କୁ ଉତ୍ତର ପ୍ରଦେଶରୁ ଗୁଜରାଟ ନିଆଯାଇଛି। ବ୍ରେନ୍ ପ୍ରୋଫାଇଲିଂ ହେଉଛି ଏକ ଇଇଜି ଟେକନିକ। ଏହାଦ୍ୱାରା ମେସିନ୍ ବ୍ୟବହାର କରି ଜଣେ ଅପରାଧରେ ସାମିଲ ଅଛି କି ନାହିଁ, ସେକଥା ଜଣାପଡ଼ିବ।
ଆଲିଗଡ଼ ଜେଲ୍ର ଜେଲର ପ୍ରମୋଦ କୁମାର ସିଂହ କହିଛନ୍ତି, ହାଥରସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୁଲିସ୍ ସମସ୍ତ ୪ ଅଭିଯୁକ୍ତଙ୍କୁ ଗୁଜରାଟ ନେଇଛି। ସିବିଆଇ ହିଁ ପ୍ରଥମେ କୋର୍ଟରେ ଅଭିଯୁକ୍ତଙ୍କ ମିଛ ଧରା ପରୀକ୍ଷା କରିବାକୁ ଆବେଦନ କରିଥିଲା। କୋର୍ଟ ଏହାକୁ ଗ୍ରହଣ କରି ଟେଷ୍ଟ ପାଇଁ ଅନୁମତି ଦେଇଛନ୍ତି। ସେମାନଙ୍କ ସହ ଜଣେ ଜେଲ୍ ୱାର୍ଡେନ ମଧ୍ୟ ଗୁଜରାଟ ଯାଇଛନ୍ତି। ସୂତ୍ର ଅନୁସାରେ, ଦୁଇଟି ଯାକ ଟେଷ୍ଟ କରିବା ପାଇଁ ପ୍ରାୟ ଗୋଟିଏ ସପ୍ତାହ ସମୟ ଲାଗିବ। ଏହାପରେ ପୂରା ଘଟଣା ସାମ୍ନାକୁ ଆସିବ।
ସେପ୍ଟେମ୍ବର ୧୪ରେ ଉତ୍ତରପ୍ରଦେଶ ହାଥରସସ୍ଥିତ ଏକ ଗାଁରେ ୧୯ ବର୍ଷୀୟ ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରାଯିବା ପରେ ତାଙ୍କୁ ଜୀବନରେ ମାରିଦେବାକୁ ଚେଷ୍ଟା କରାଯାଇଥିଲା। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ପ୍ରଥମେ ସ୍ଥାନୀୟ ଓ ପରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ତେବେ ଚିକିତ୍ସାଧୀନ ଅବସ୍ଥାରେ ସେପ୍ଟେମ୍ବର ୨୯ରେ ତାଙ୍କର ମୃତ୍ୟୁ ଘଟିଥିଲା। ମାମଲାରେ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସିବିଆଇ ଘଟଣାର ତଦନ୍ତ କରୁଥିବା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆହ୍ଲାବାଦ ହାଇକୋର୍ଟ ଏହା ଉପରେ ନଜର ରଖିଛନ୍ତି।
The post ପଲିଗ୍ରାଫ ଟେଷ୍ଟ ପାଇଁ ଗୁଜରାଟ ଗଲେ ୪ ହାଥରସ ଅଭିଯୁକ୍ତ appeared first on Odisha Reporter.
from Odisha Reporter https://ift.tt/35ZA7K9
No comments:
Post a Comment