ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ (ସିଏସ୍କେ)ର ଅଧିନାୟକ ପଦରୁ ଇସ୍ତଫା ଦେଇପାରନ୍ତି ମହେନ୍ଦ୍ର ସିଂହ ଧୋନି। ସେ ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ୍ରେ ସିଏସ୍କେର ନେତୃତ୍ୱ ନେଇ ନପାରନ୍ତି। ତେବେ ଖେଳାଳି ଭାବେ ସେ ଟିମ୍ରେ ସାମିଲ ହୋଇପାରନ୍ତି। ଷ୍ଟାର ସ୍ପୋର୍ଟସ୍ର ଶୋ’ ‘ଷ୍ଟାର କନେକ୍ଟେଡ୍’ କାର୍ଯ୍ୟକ୍ରମରେ ଏଭଳି ମତ ଦେଇଛନ୍ତି ଭାରତୀୟ ଟିମ୍ର ପୂର୍ବତନ ଖେଳାଳି ସଞ୍ଜୟ ବାଙ୍ଗର।
ସେ କହିଥିଲେ, ମୁଁ ଯାହା ଜାଣିଛି, ୨୦୧୧ ପରେ ଧୋନି ଟିମ୍ ଇଣ୍ଡିଆର ଅଧିନାୟକ ପଦ ଛାଡ଼ିବାକୁ ଚିନ୍ତା କରୁଥିଲେ। କିନ୍ତୁ ସେ ଜାଣିଥିଲେ ଯେ ଆଗକୁ କିଛି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରହିଥିଲା। ତା’ ମଧ୍ୟରେ ଥିଲା ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଗସ୍ତ। ଆଉ ସେହି ସମୟରେ ଦଳର କୌଣସି ଖେଳାଳି ଅଧିନାୟକ ହେବାକୁ ପ୍ରସ୍ତୁତ ନଥିଲେ। ତେବେ ସେ ଠିକ୍ ସମୟରେ ଟିମ୍ ଇଣ୍ଡିଆର ଅଧିନାୟକ ପଦ ବିରାଟ କୋହଲିଙ୍କୁ ଦେଇଥିଲେ। ମୋତେ ଯାହା ଲାଗୁଛି, ଧୋନି ଆସନ୍ତା ବର୍ଷ ଆଉ ଚେନ୍ନାଇ ଟିମ୍ର ଅଧିନାୟକ ରହିବେ ନାହିଁ। ସେ ଜଣେ ଖେଳାଳି ଭାବେ ଟିମ୍ରେ ରହିବେ। ସେ ଫାପ୍ ଡୁପ୍ଲେସିସ୍ଙ୍କୁ ଅଧିନାୟକ ପଦ ଦେଇପାରନ୍ତି।
ବାଙ୍ଗର କହିଛନ୍ତି, ଏବେ ଚେନ୍ନାଇ ପାଖରେ ଅନ୍ୟ କୌଣସି ବିକଳ୍ପ ମଧ୍ୟ ନାହିଁ। ଅକ୍ସନ ବେଳେ ମଧ୍ୟ କୌଣସି ଟିମ୍ ଏମିତି କୌଣସି ଖେଳାଳିଙ୍କୁ ଛାଡ଼ିବେ ନାହିଁ, ଯାହା ପାଖରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ନେବା ପାଇଁ ଦକ୍ଷତା ରହିଥିବ।
ସୂଚନାଯୋଗ୍ୟ, ୨୦୨୦ ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ଭଲ ନଥିଲା। ଦଳ ପ୍ଲେଅଫ୍ ରାଉଣ୍ଡକୁ ଯାଇପାରି ନଥିଲା। ଧୋନିଙ୍କ ବ୍ୟାଟ୍ରୁ ମଧ୍ୟ ଭଲ ରନ୍ ବାହାରି ନଥିଲା। ସେ ୧୪ଟି ମ୍ୟାଚ୍ ଖେଳି ମାତ୍ର ୨୦୦ ରନ୍ କରିଥିଲେ। ଏଥିରେ ଗୋଟିଏ ବି ଅର୍ଦ୍ଧ ଶତକ ନଥିଲା।
The post ଚେନ୍ନାଇର ଅଧିନାୟକ ପଦ ଛାଡ଼ିବେ ଧୋନି! appeared first on Odisha Reporter.
from Odisha Reporter https://ift.tt/3nkrmA3
No comments:
Post a Comment