ଅମରାବତୀ: ଗୋଟିଏ ପଟେ କରୋନା ମହାମାରୀରେ ସାରା ଦେଶ ପ୍ରଭାବିତ ହୋଇଛି। ଅନ୍ୟପଟେ ଆଉ ଏକ ରହସ୍ୟମୟ ରୋଗ ମାତିଛି। ଏହି ରହସ୍ୟମୟ ରୋଗରେ ଶତାଧିକ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଛନ୍ତି। ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀଶ ଜିଲ୍ଲାର ଏଲୁରୁ ସହରରେ ଏହି ଅଜଣା ରୋଗ ମାତିଛି। ଏମ୍ସ ବିଶେଷଜ୍ଞ ଏ ନେଇ ଏକ ରିପୋର୍ଟ ଦେଇଛନ୍ତି। ଯେଉଁଥିରେ ପାଣି ଏବଂ କ୍ଷୀରର ନମୁନାରୁ ପେଷ୍ଟିସାଇଡ୍ (କୀଟନାଶକ) ଥିବା ଜଣାପଡ଼ିଛି। ଯେଉଁଥିପାଇଁ ଏହି ରୋଗ ମାତିଛି ବୋଲି କୁହାଯାଉଛି।
ବୁଧବାର ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଭିଡିଓ କନଫରେନ୍ସ ଜରିଆରେ ଏମ୍ସ, ଆଇଆଇସିଟି ଏବଂ ଦିଲ୍ଲୀର ଅନ୍ୟାନ୍ୟ ପ୍ରତିଷ୍ଠିତ ଅନୁଷ୍ଠାନର ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିଲେ। ତେବେ ଏଲୁରୁରେ ବ୍ୟାପୀଥିବା ରହସ୍ୟମୟ ରୋଗର କାରଣ କୀଟନାଶକ ବୋଲି ଅଧିକାଂଶ ବିଶେଷଜ୍ଞ ଦାବି କରିଛନ୍ତି।
ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଏବେ ସମସ୍ତ ଜିଲ୍ଲାର ପାଣିର ନମୁନାକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ନେଇ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହି ରୋଗର ମୁଖ୍ୟ କାରଣ କ୍ଷେତରେ ବ୍ୟବହୃତ କୀଟନାଶକ, ତେବେ ବଜାରରୁ କ୍ଷତିକାରକ କୀଟନାଶକ ପ୍ରତ୍ୟାହାର ଉପରେ କୃଷି ବିଭାଗ ଧ୍ୟାନ ଦେବା ଉଚିତ୍।
ବିଭିନ୍ନ ସଂସ୍ଥାର ରିପୋର୍ଟ
ଦିଲ୍ଲୀ ଏମ୍ସ ବିଶେଷଜ୍ଞ ଟିମ୍ ଏଲୁରୁ ପାଣି ଏବଂ କ୍ଷୀରର ନମୁନା ନେଇଥିଲା। ପାନୀୟ ଜଳ ଏବଂ କ୍ଷୀରରେ ନିକେଲ ରହିଥିବାରୁ ଏଲୁରୁରେ ଏହି ରହସ୍ୟମୟ ରୋଗ ବ୍ୟାପିଛି। ଏମ୍ସ ରିପୋର୍ଟରେ ଏହା ଉଲ୍ଲେଖ ରହିଛି। କେବଳ ରୋଗୀଙ୍କ କ୍ଷେତ୍ରରେ ନୁହେଁ, ରୋଗୀଙ୍କ ସମ୍ପର୍କୀୟଙ୍କ ରକ୍ତ ପରୀକ୍ଷଣରେ ମଧ୍ୟ ନିକେଲ ସାମ୍ନାକୁ ଆସିଛି। ତେବେ ଆଗାମୀ ଦିନରେ ପନିପରିବାର ନମୁନା ଯାଞ୍ଚ ହେବା ପରେ ଏହାର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ସାଧାରଣତଃ ଟମାଟୋ ଏବଂ ବାଇଗଣରେ ଏହି କୀଟନାଶକ ବ୍ୟବହାର ହୁଏ ବୋଲି କୁହାଯାଉଛି।
ସେହିପରି ହାଇଦ୍ରାବାଦରେ ଥିବା ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜି ପୁଣେରେ ଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ରିପୋର୍ଟରେ କହିଛନ୍ତି ଯେ କୌଣସି ନମୁନାରେ ଜୀବାଣୁ ଚିହ୍ନଟ ହୋଇ ନାହିଁ। ଅର୍ଥାତ୍ ଏହା ଭାଇରାଲ୍ ସଂକ୍ରମଣ ନୁହେଁ।
ହାଇଦ୍ରାବାଦରେ ଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍ କହିଛି ଯେ ଟମାଟୋ ଏବଂ ବାଇଗଣ ଭଳି ପନିପରିବା ନମୁନାରେ କୀଟନାଶକ ଔଷଧ ମିଳିଛି ଏବଂ ଏହି କୀଟନାଶକ ଏହି ରୋଗର ମୁଖ୍ୟ କାରଣ ହୋଇପାରେ। ତେବେ କୀଟନାଶକ ମଣିଷ ଶରୀରରେ କିପରି ପ୍ରବେଶ କରିଛି ସେନେଇ ଆଗକୁ ଗବେଷଣା କରିବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।
ଆଇଆଇସିଟି ବିଶେଷଜ୍ଞମାନେ କହିଛନ୍ତି ଯେ ସେମାନେ ମଣିଷ ଏବଂ ପ୍ରାଣୀମାନଙ୍କର ରକ୍ତ ନମୁନା ପରୀକ୍ଷା କରିବା ସହିତ କୋଡିଏରୁ ଅଧିକ ପାଣିର ନମୁନା ପରୀକ୍ଷା କରିଛନ୍ତି। ଯେଉଁଥିରେ ସୀସା, ନିକେଲ ଏବଂ ଆର୍ସେନିକ ଥିବା ରିପୋର୍ଟରେ କୁହାଯାଇଛି। ତେବେ କୀଟନାଶକ ମିଶିଥିବାର ପ୍ରମାଣ ନାହିଁ ବୋଲି ଏହି ସଂସ୍ଥା କହିଛି। ହେଲେ ରକ୍ତ ପରୀକ୍ଷାରେ ଏଣ୍ଡୋସୁଲଫାନ୍ ଏବଂ ଡିଡିଡି ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ହାଇଦ୍ରାବାଦର ନ୍ୟାଶନାଲ ଏନଭାଇରନମେଣ୍ଟ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (NEERI) ଏଲୁରୁର ବାୟୁମଣ୍ଡଳର ଗୁଣବତ୍ତା ଯାଞ୍ଚ କରିଛି। ଜିଲ୍ଲାର ବାୟୁ ପ୍ରଦୂଷଣ ବିପଦ ସଙ୍କେତ ଅବସ୍ଥାରେ ନାହିଁ। ପାଣି ଦୂଷିତ ହେବା ପଛର କାରଣ ବର୍ଜ୍ୟବସ୍ତୁ ହୋଇପାରେ ବୋଲି କୁହାଯାଉଛି। ପାଣିରେ ଅର୍ଗାନକ୍ଲୋରାଇନ୍, ଅର୍ଗାନୋଫୋସଫେଟ୍ କିମ୍ବା ସୀସା ର କୌଣସି ଚିହ୍ନ ଥିବା ସ୍ପଷ୍ଟ ହୋଇନି।
The post ପାଣି ଓ କ୍ଷୀରରେ କୀଟନାଶକ! ଶତାଧିକ ହସ୍ପିଟାଲରେ ଭର୍ତ୍ତି appeared first on Odisha Reporter.
from Odisha Reporter https://ift.tt/3gTjDqu
No comments:
Post a Comment