୭୦% କଳାହାଣ୍ଡିବାସୀଙ୍କ ଭାତହାଣ୍ଡିରେ ପଡ଼େ ସରକାରୀ ଚାଉଳ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 20, 2021

୭୦% କଳାହାଣ୍ଡିବାସୀଙ୍କ ଭାତହାଣ୍ଡିରେ ପଡ଼େ ସରକାରୀ ଚାଉଳ!

ଦିବାକର ଦାଶ

ପାଖାପାଖି ୧୦ ମାସର ଅଘୋଷିତ ସଙ୍ଗରୋଧରେ ରହିବା ପରେ ଏହି ମାସ ୧୪ ତାରିଖ ଅର୍ଥାତ ପବିତ୍ର ମକର ସଂକ୍ରାନ୍ତିରେ ମୁଖମନ୍ତ୍ରୀ କଳାହାଣ୍ଡି ଗସ୍ତ କରିଥିଲେ। ଗସ୍ତର ଉଦ୍ଦେଶ୍ୟ ଥିଲା କଳାହାଣ୍ଡି ଜିଲ୍ଲାରେ ୨୦୮୫ କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଉଦଘାଟନ ଏବଂ ୫୨ ଟି ପ୍ରକଳ୍ପର ଶିଳାନ୍ୟାସ। ଏହା ସରକାରୀ କାର୍ଯ୍ୟକ୍ରମ କମ, ରାଜନୀତିକ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ ଅଧିକ ଲାଗୁଥିଲା। କାରଣ ଏଥିରେ ଶାସକ ଦଳର ପ୍ରାୟ ୮୦ ଜଣ ନେତା ମନ୍ତ୍ରୀ ଯୋଗ ଦେଇଥିଲେ ଏବଂ ଉତ୍ସବ ପାଇଁ ୩ଟି ମଂଚ ତିଆରି କରାଯାଇଥିଲା, ଗୋଟିଏ ମୁଖ୍ୟମନ୍ତ୍ରୀଙ୍କ ପାଇଁ, ଦ୍ୱିତୀୟଟି ନେତା ମନ୍ତ୍ରୀଙ୍କ ପାଇଁ ଏବଂ ତୃତୀୟଟି ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଗୁଣଗାନ ସହ କୃଷି କ୍ଷେତ୍ରରେ କଳାହାଣ୍ଡିର ବିକାଶର ଉଚ୍ଚ ପ୍ରଶଂସା କରିଥିଲେ ଏବଂ କହିଥିଲେ ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ବର୍ତମାନ ଦେଶର ଭାତହାଣ୍ଡି ପାଲଟି ଯାଇଛି। ସେତେବେଳେ ପ୍ରାୟତଃ ଗଣମାଧ୍ୟମରେ ଗୋଟିଏ ଶିରୋନାମା ପ୍ରକାଶ ପାଇଲା ଯାହା ହେଉଛି “ଭୋକର ଭୂଗୋଳ ଏବେ ଭାତହାଣ୍ଡି”। ଅବଶ୍ୟ ସାମାଜିକ ଗଣମାଧ୍ୟମରେ କିଛି ନାଗରିକ ଏବଂ ବିରୋଧୀ ଦଳର କେତେକ ନେତା ଏହାକୁ ନେଇ ସରକାରଙ୍କୁ ନାନା ସମାଲୋଚନା କରିଥିଲେ ଏବଂ କିଛି ଏହା ମଧ୍ୟ କହିଥିଲେ ଯେ ସରକାରଙ୍କ ସ୍ୱଘୋଷିତ ପ୍ରଶଂସାପତ୍ରକୁ ଗଣମାଧ୍ୟମଗୁଡିକ ପାଖକୁ ଛାପିବାକୁ ପଠାଇ ଦିଆଯାଇଛି।

ଓଡିଶା ରାଜ୍ୟ ଯୋଗାଣ ନିଗମ ତଥ୍ୟ ଅନୁଯାୟୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବରଗଡ଼ ଜିଲ୍ଲାରୁ ସର୍ବାଧିକ ୬୬,୮୧,୫୮୭ କ୍ୱିଣ୍ଟାଲ ଧାନ ସଂଗୃହିତ ହେଇଥିବା ବେଳେ ଦ୍ଵିତୀୟରେ ଆସୁଛି କଳାହାଣ୍ଡି ଜିଲ୍ଲା ଯେଉଁଠାରୁ ୪୨,୬୨,୫୮୭ କ୍ୱିଣ୍ଟାଲ ଧାନ ସଂଗୃହିତ ହେଇଛି। ଆଉ ଯଦି ଖାଦ୍ୟ ଯୋଗାଣ ବ୍ୟବସ୍ଥା ଉପରେ ନଜର ପକାଇବା ତେବେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାର ଟାର୍ଗେଟେଡ୍ ପବ୍ଲିକ୍ ଡିଷ୍ଟ୍ରିବୁସନ ସିଷ୍ଟମ୍ (TPDS) ଅଧୀନରେ ରେସନ କାର୍ଡ ପ୍ରଦାନ କରୁଥିଲେ।  କିନ୍ତୁ NFSA ଆରମ୍ଭ ହେବା ପରେ ରେସନ କାର୍ଡ ଗୁଡିକ ସାଧାରଣତଃ ୨ ପ୍ରକାରର ହୋଇ ଯାଇଛି ଯାହା ହେଲା ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY) କାର୍ଡ ଏବଂ ପ୍ରାଥମିକ ପରିବାର ବା ପ୍ରାୟରିଟି ହାଉସହୋଲଡ଼ (PHH) କାର୍ଡ। ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନିତ ଗରିବ ପରିବାରକୁ ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY) ରେସନ କାର୍ଡ ଦିଆଯାଏ। ଯେଉଁମାନଙ୍କର ସ୍ଥିର ଆୟ ନାହିଁ, ବେକାର, ଗରିବ ମହିଳା ଏବଂ ବୃଦ୍ଧ ବ୍ୟକ୍ତି ଏହି ବର୍ଗ ଅଧୀନରେ ଅଛନ୍ତି। ଏହି କାର୍ଡଧାରୀମାନେ ପ୍ରତି ମାସରେ ୩୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ପାଇବାକୁ ଯୋଗ୍ୟ ଅଟନ୍ତି। ଅନ୍ତ୍ୟୋଦୟ ଅନ୍ନ ଯୋଜନା ଅଧୀନରେ ଯେଉଁମାନେ ଆସନ୍ତି ନାହିଁ ସେମାନଙ୍କୁ ପ୍ରାଥମିକ ପରିବାର ଅଧୀନରେ ଚୟନ କରାଯାଏ। ରାଜ୍ୟ ସରକାର ସେମାନଙ୍କର ଯୋଗ ହେବା ଏବଂ ବାଦଦେବା ମାନଦଣ୍ଡ ତଥା ନିର୍ଦ୍ଦେଶାବଳୀ ଅନୁଯାୟୀ ଟାର୍ଗେଟେଡ୍ ପବ୍ଲିକ୍ ଡିଷ୍ଟ୍ରିବୁସନ ସିଷ୍ଟମ୍ (TPDS) ଅଧୀନରେ ପ୍ରାଥମିକ ପରିବାରଗୁଡ଼ିକୁ ଚିହ୍ନଟ କରନ୍ତି। PHH କାର୍ଡଧାରୀମାନେ ପ୍ରତି ମାସରେ ମୁଣ୍ଡପିଛା ୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ପାଇବାକୁ ଯୋଗ୍ୟ ଅଟନ୍ତି।

ଭାରତ ସରକାରଙ୍କ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟ ତଥ୍ୟ ଅନୁସାରେ କଳାହାଣ୍ଡିର ୨୦୧୧ ଜନସଂଖ୍ୟା ହେଉଛି ୧୫, ୭୬, ୮୬୯ ଏବଂ ଦଶନ୍ଧି ଜନସଂଖ୍ୟା ବୃଦ୍ଧି ହାର ହେଉଛି ୧୮.୦୭ ପ୍ରତିଶତ। ଏହି ହାରରେ ଦେଖିଲେ ୨୦୨୧ ସୁଦ୍ଧା କଳାହାଣ୍ଡିର ଜନସଂଖ୍ୟା ପ୍ରାୟ ୧୮,୬୧,୮୦୯ରେ ପହଞ୍ଚି ଯାଇଥିବ। ତେବେ ସରକାରୀ ତଥ୍ୟ ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ଜୁନ ୨୦୨୦ ସୁଦ୍ଧା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଯୋଜନାର ସମୁଦାୟ ହିତାଧିକାରୀଙ୍କ ସଂଖ୍ୟା ହେଉଛି ୧୩ ଲକ୍ଷ ୩୨ ହଜାର ୩୮୭ ଜଣ। ଅର୍ଥାତ ସମୁଦାୟ ଜନସଂଖ୍ୟାର ପ୍ରାୟ ୭୧ ପ୍ରତିଶତ।

ଏବେ ପ୍ରଶ୍ନ ଉଠୁଛି ଯେଉଁ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଭାରତର ଭାତହାଣ୍ଡି କହିଲେ ସେହି ଜିଲ୍ଲାର ପ୍ରାୟ ୭୧ ପ୍ରତିଶତ ଲୋକ ଟଙ୍କିକିଆ ଚାଉଳ ପାଇଁ ସରକାରଙ୍କ ନିକଟରେ ହାତ ପତାଉଛନ୍ତି କାହିଁକି? ଯଦି ଧାନ ଅମଳ ଅଧିକ ହେଉଛି ତା’ହେଲେ ଶସ୍ତା ଚାଉଳ ପାଇଁ ଏଭଳି ଲମ୍ୱା ଲାଇନ୍ କାହିଁକି? କଳାହାଣ୍ଡି ଏବେ ଭାତହାଣ୍ଡି ପାଲଟିଛି ବୋଲି ରାଜ୍ୟ ସରକାର ଯେତେ ଡେଙ୍ଗୁରା ପିଟିଲେ ମଧ୍ୟ ଏସବୁ ତଥ୍ୟରୁ ଏପର୍ଯ୍ୟନ୍ତ ଭୋକର ଭୂଗୋଳ ବଦଳି ନାହିଁ ବୋଲି ଜଣାପଡୁଛି ଏବଂ ଗଣମାଧ୍ୟମରେ ଏହାର ପ୍ରଚାର କରି କେବଳ ମିଛ ବାହାବାଃ ସାଉଁଟୁଛନ୍ତି ସରକାର। ତେଣୁ ଲୋକେ ଏନେଇ ସଚେତନ ହେବାର ଆବଶ୍ୟକତା ରହିଛି।

ରସୁଲଗଡ଼, ଭୁବନେଶ୍ୱର

The post ୭୦% କଳାହାଣ୍ଡିବାସୀଙ୍କ ଭାତହାଣ୍ଡିରେ ପଡ଼େ ସରକାରୀ ଚାଉଳ! appeared first on Odisha Reporter.



from Odisha Reporter https://ift.tt/3o1r4hu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages