ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ସଂକ୍ରମଣ ଥମି ନଥିବା ବେଳେ ଏବେ ଦେଖାଦେଇଛି ଆଉ ଏକ ସଙ୍କଟ । କେତେକ ରାଜ୍ୟରେ ବାର୍ଡ ଫ୍ଲୁ’ ଯୋଗୁଁ ସ୍ଥିତି ଅଣାୟତ୍ତ ହୋଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ ପରେ ଏବେ ହିମାଚଳ ପ୍ରଦେଶ ଏବଂ କେରଳରେ ବାର୍ଡ ଫ୍ଲୁ ପ୍ରବେଶ କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ହାଇ ଅଲର୍ଟ ଜାରି କରିଛନ୍ତି ।
ହିମାଚଳ ପ୍ରେଦଶରେ ବାର୍ଡ ଫ୍ଲୁ ଯୋଗୁଁ ପକ୍ଷୀ ମୃତ୍ୟୁ ବଢ଼ିବାରେ ଲାଗିଛି । କାଙ୍ଗଡାର ପୋଙ୍ଗ ହ୍ରଦରେ ୧୭୦୦ରୁ ଅଧିକ ପ୍ରବାସୀ ପକ୍ଷୀଙ୍କ ମୃତ୍ୟୁ ଘଟିଛି। ଏହି ପକ୍ଷୀ ଗୁଡିକରୁ H-5 N-1 ଭାଇରସ୍ ଚିହ୍ନଟ ହୋଇଛି। ସ୍ଥାନୀୟ ପ୍ରଶାସନ ପୋଙ୍ଗ ଡ୍ୟାମରେ ମରି ପଡିଥିବା ପକ୍ଷୀଙ୍କ ନମୂନା ଭୋପାଳ ପଠାଇଥିଲେ। ସେଠାରୁ ପକ୍ଷୀଙ୍କ ଯାଞ୍ଚ ରିପୋର୍ଟ ପଜିଟିଭ୍ ଆସିଛି।
ଭୋପାଳରୁ ଆସିଥିବା ରିପୋର୍ଟରେ ସମସ୍ତ ପକ୍ଷୀଙ୍କଠାରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି। ଏହାପରେ ଜିଲ୍ଲା ପ୍ରଶାସନ ଏହି ଜଳାଶୟ ଆଖପାଖ ଅଣ୍ଡା,ମାଂସ ସମେତ ପୋଲ୍ଟ୍ରି ଉତ୍ପାଦନର ବିକ୍ରି ଉପରେ କଟକଣା ଲଗାଇଛନ୍ତି। ପୋଙ୍ଗ ହ୍ରଦର ଏକ କିଲୋମିଟର ପରିଧିରେ ଥିବା ଅଞ୍ଚଳକୁ ଆଲର୍ଟ ଜୋନ୍ ଘୋଷିତ କରାଯାଇଛି। ପ୍ରଶାସନ ପର୍ଯ୍ୟଟକଙ୍କୁ ଏହି ସବୁ ଅଞ୍ଚଳକୁ ନଯିବାକୁ ପରାମର୍ଶ ଦେଇଛି।
ସେହିପରି ହରିୟାଣାରେ ଲକ୍ଷେରୁ ଅଧିକ କୁକୁଡାଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ଅନ୍ୟପଟେ ମଧ୍ୟପ୍ରଦେଶରେ ଡିସେମ୍ବର ୨୩ରୁ ଜାନୁଆରୀ ୩ ତାରିଖ ମଧ୍ୟରେ ୩୭୬ଟି କାଉଙ୍କ ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ଇନ୍ଦୋରରେ ସର୍ବାଧିକ ୧୪୨ଟି କାଉ ମରି ପଡିଥିବା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ମନ୍ଦସୌରରେ ୧୦୦, ଆଗର-ମାଲୱାରେ ୧୧୨, ଖରଗୋନ ଜିଲ୍ଲାରେ ୧୩, ସିହ୍ରରେ୯ କାଉ ମରିଛନ୍ତି । ମୃତ କାଉଙ୍କ ନମୁନାରେ ବାର୍ଡ ଫ୍ଲ ଭୂତାଣୁ ଚିହ୍ନଟ ହୋଇଛି ।
ଅନ୍ୟପଟେ କେରଳର କୋଟ୍ଟାୟମ ଏବଂ ମଲ୍ଲପୁଝା ଜିଲ୍ଲାରେ ମଧ୍ୟ ପକ୍ଷୀ ମଡକ ଦେଖିବାକୁ ମିଳିଛି । ମୃତ ପକ୍ଷୀଙ୍କ ଠାରେ H-5 N-1 ଭୂତାଣୁ ଚିହ୍ନଟ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଦୁଇ ଜିଲ୍ଲାରେ ପ୍ରାୟ ୪୦ ହଜାର କୁକୁଡାକୁ ହତ୍ୟା କରାଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । କୋଟ୍ଟାୟମ ଜିଲ୍ଲାରେ ଏଯାଏଁ ପ୍ରାୟ ୧୫,୦୦ ବତକଙ୍କ ମୃତ୍ୟୁ ଘଟିଥିବା ପ୍ରାଣୀ ବିଭାଗ ସୂଚନା ଦେଇଛି ।
ଉତ୍ତରରୁ ମଧ୍ୟ ଏବଂ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ବାର୍ଡ ଫ୍ଲୁ ତାର କାୟା ବିସ୍ତାର କରିଛି । ଏହି ସବୁ ରାଜ୍ୟରେ ପ୍ରଶାସନ ହାଇ ଅଲର୍ଟ ଜାରି କରାଯାଇଛି।
ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଦେଖାଯିବା ପରେ ରାଜ୍ୟରେ ପଦକ୍ଷେପ ନିଆଯାଇଛି । ଚିଲିକାରୁ ୪ ଶହ ସାମ୍ପଲ ଟେଷ୍ଟ ପାଇଁ ପଠାଇଛି ପ୍ରାଣୀଧନ ବିଭାଗ। ସେହିପରି ଭୁବନେଶ୍ୱର ସ୍ଥିତ OUATରୁ କୁକୁଡ଼ାଙ୍କ ସାମ୍ପଲ ମଧ୍ୟ ପଠାଯାଇଛି। ସବୁ ସାମ୍ପଲ କଟକର ଫୁଲନଖରାସ୍ଥିତ ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନକୁ ପଠାଯାଇଛି। ଖୋର୍ଦ୍ଧା ସିଡିଭିଓ କହିଛନ୍ତି, ଚିଲିକା ନଳବଣରୁ ମଧ୍ୟ ସାମ୍ପଲ ପଠାଯିବ।
The post ହରିୟାଣାରେ ଏକ ଲକ୍ଷ କୁକୁଡାଙ୍କ ମୃତ୍ୟୁ, କେରଳରୁ ହିମାଚଳ ଯାଏଁ ବ୍ୟାପିଛି appeared first on Odisha Reporter.
from Odisha Reporter https://ift.tt/38cNd7O
No comments:
Post a Comment