ମୀରଟ: ଉତ୍ତର ପ୍ରଦେଶର ମୀରଟ ସ୍ଥିତ ପଞ୍ଜାବୀ ପୁରା ଅଞ୍ଚଳର ଗୋଟିଏ ଛୋଟିଆ ଗଳିରେ ହଠାତ୍ ସବୁକିଛି ବନ୍ଦ ହୋଇ ଯାଇଥିଲା। ୧୨ରୁ ଅଧିକ ପୁଲିସ୍ ଅଧିକାରୀ ହାତରେ ବନ୍ଧୁକ ଧରି ଗଳି ମଧ୍ୟରେ ପଶିବାରୁ ସମସ୍ତେ ଛାନିଆ ହୋଇଯାଇଥିଲେ। ତେବେ ସମସ୍ତଙ୍କ ଆଖି ଗୋଟିଏ ଘରର ଗେଟ୍ ଉପରେ ରହିଥିଲା। ସେଠାରେ ପ୍ରଶାସନ ପକ୍ଷରୁ ଏକାଧିକ ନୋଟିସ୍ ମଧ୍ୟ ମରାଯାଇଥିଲା। ହଠାତ୍ ଦେଖୁଦେଖୁ ପ୍ରଶାସନ ପକ୍ଷରୁ ଏହି ବଙ୍ଗଳାଟିକୁ ଭାଙ୍ଗି ଦିଆଯାଇଥିଲା।
ତେବେ ଭଙ୍ଗା ଯାଇଥିବା ପାଲାଟିଆଲ ବଙ୍ଗଳାଟି ହେଉଛି ଉତ୍ତର ପ୍ରଦେଶର ମୋଷ୍ଟ ୱାଣ୍ଟେଡ ଡନ୍ ବାଦନ ସିଂହ ସାନ୍ଧୁ ଓରଫ ବାଡୋର।ସେ ବେଆଇନ ଭାବେ ଏଠାରେ ବଙ୍ଗଳା ତିଆରି କରିଥିଲା। ୧୮ ମାସ ତଳେ ୪୮ ବର୍ଷୀୟ ଡନ୍ ବାଡୋ ପୁଲିସ୍ ହେପାଜତରୁ ଖସି ଫେରାର ହୋଇଯାଇଥିଲା। ତା’କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିଲେ ହେଁ ଏଯାଏ ପୁଲିସ୍କୁ କୌଣସି ସଫଳତା ମିଳିନାହିଁ।
ରାଜ୍ୟର ବିଭିନ୍ନ ସ୍ଥାନରେ ତା’ ନାଁରେ ୩୦ରୁ ଅଧିକ ମାମଲା ରହିଛି ଓ ତା’କୁ ଧରିବା ପାଇଁ ପୁଲିସ୍ ୨.୫ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ସମସ୍ତ ପ୍ରକାରର ଆଇନଗତ ଦିଗକୁ ବିଚାରକୁ ନେଇ ବଙ୍ଗଳାଟିକୁ ଭଙ୍ଗା ଯାଇଛି। ଏହି ଘରଟି ବାଡୋ ନାଁରେ ପଞ୍ଜୀକରଣ ହୋଇ ନଥିଲା।
ସେ ଏହାକୁ ତା’ ଭାଉଜଙ୍କୁ ଉପହାର ଆକାରରେ ଦେଇଥିଲା। ନଗର ନିଗମ ରେକର୍ଡରେ ମଧ୍ୟ ଏହି ଘରର ନାଁ ନାହିଁ। କିନ୍ତୁ ବାଡୋ ଏହି ବଙ୍ଗଳାକୁ ଲାଗିଥିବା ଅନ୍ୟ ଘର ପାଇଁ ଟିକସ ଦେଉଥିଲା। ସେ ଏଭଳି କରି ପୂରା ସରକାରୀ ବ୍ୟବସ୍ଥାକୁ ଅନ୍ଧାରରେ ରଖି ଚାଲିଥିଲା। ଶେଷରେ ତା’ର ସବୁ ଚକ୍ରାନ୍ତ ଧରାପଡ଼ିଛି ଓ ଆଜି ଏହାକୁ ଉଚ୍ଛେଦ କରାଯାଇଛି।
The post ମୋଷ୍ଟ ୱାଣ୍ଟେଡ ଡନ୍ର ବଙ୍ଗଳା ମାଟିରେ ମିଶିଲା appeared first on Odisha Reporter.
from Odisha Reporter https://ift.tt/3sQ680j
No comments:
Post a Comment